କାହା ଇଙ୍ଗିତରେ ବଦଳିଲା ରାସ୍ତା ଡିଜାଇନ୍?

ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ପ୍ରସଙ୍ଗ

ନେତା ନା ଅଫିସର? ୟା ପଛରେ କିଏ ଯେ ମଲ୍ ଛୁଇଁବା ପାଇଁ ହାତ ଯାଉନି
ବିଏମ୍‌ସି କୋଠା, ମ୍ୟୁଜିୟମ୍, ଭଞ୍ଜକଳା ମଣ୍ଡପ, ବିଜେବି କଲେଜ ବି ତୁଚ୍ଛ
ମାଉସୀ ମା’ ଛକରୁ କଳ୍ପନା ରାସ୍ତା ସମ୍ପ୍ରସାରଣ ଟେଣ୍ଡର ମଧ୍ୟ ବାତିଲ୍‌ ହେବ

ଭୁବନେଶ୍ବର : ପୁରୀରେ ଶ୍ରୀ ମନ୍ଦିର ଚତୁଃପାର୍ଶ୍ବର ଉନ୍ନତୀକରଣ ପାଇଁ ଶହ ଶହ ବର୍ଷର ପୁରୁଣା ଐତିହ୍ୟ ସଂପନ୍ନ କୋଠାକୁ ମାଟିରେ ମିଶାଇ ଦିଆଗଲା। ଭୁବନେଶ୍ବରରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉନ୍ନତୀକରଣ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ବହୁ ପ୍ରାଚୀନ କୋଠାକୁ ଧୂଳିସାତ୍ କରିଦେଲେ ପ୍ରଶାସନ। ହେଲେ ଭୁବନେଶ୍ବର ଛାତି ଉପରେ ଥିବା କଳ୍ପନା ଛକରେ ଜବରଦଖଲ କରିଥିବା ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ହାତ ମାରିପାରୁନାହାନ୍ତି କରିତକର୍ମା ତଥା ରାଜ୍ୟ ସରକାରଙ୍କର ଅତ୍ୟନ୍ତ କ୍ଷମତାଶାଳୀ ବାବୁମାନେ? ଏ ମଲ୍‌ଟି ଏମିତି କାହାର ଯେ ବିଏମସି କମିସନର, ବିଡ଼ିଏ ଉପାଧ୍ୟକ୍ଷ ଅସହାୟ ହୋଇପଡୁଛନ୍ତି? ୟା ପଛରେ ଏମିତି କିଏ ଅଛନ୍ତି କି? ରାଜନେତା ନା ଅତ୍ୟନ୍ତ କ୍ଷମତାଶାଳୀ ବାବୁ? ଯାହାଫଳରେ ସଚିବାଳୟ ଠାରୁ ଦେଢ଼ କିଲୋମିଟର ଓ ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ ସାମ୍ନାରେ ଥିବା ଗୋଟିଏ ବେଆଇନ ନିର୍ମାଣକୁ ବି କେହି ହାତ ମାରିପାରୁନାହାନ୍ତି?

ଏମିତି ମାଳ ମାଳ ପ୍ରଶ୍ନ ଏବେ ରାଜଧାନୀବାସୀଙ୍କୁ ଆନ୍ଦୋଳିତ କରୁଛି। ଏ ସଂପର୍କରେ ଠୋସ୍ ତଥ୍ୟ ଦେବା ଲାଗି ଅଫିସରମ‌ାନେ ନାରାଜ। ଏମିତିକି କାହିଁକି ବାରମ୍ବାର ଏହି ଜବରଦଖଲ ଭାଙ୍ଗିବା ଲାଗି ନିର୍ଦେଶ ଜାରି ହେଉଛି ଓ ପୁଣି ବାତିଲ୍ ହେଉଛି, ସେ ସଂପର୍କରେ ବି ମୁହଁ ଖୋଲୁନାହାନ୍ତି। କେବଳ ଏତିକୁ ନୁହେଁ, ମଲ୍‌କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ଏତେ ଚାପଗ୍ରସ୍ତ ଯେ ବିଏମସି କାର୍ଯ୍ୟାଳୟର ଗୋଟିଏ ଅଂଶ କେବଳ ଭଙ୍ଗାଯିବ ତା ନୁହେଁ, ରାସ୍ତା ସଂପ୍ରସାରଣ ଟେଣ୍ଡର ବି ବାତିଲ୍ କରିଦିଆଯାଇଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପ୍ରସାରଣ କରି ଚାରି ଥାକିଆ କରିବାକୁ ଦେଢ଼ ବର୍ଷ ତଳେ ଟେଣ୍ଡର ହୋଇଥିଲା। ପ୍ରାୟ ୧କୋଟି ୬୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବି ଦିଆଯାଇଥିଲା। କିନ୍ତୁ ପୂର୍ତ୍ତ ବିଭାଗ ରାସ୍ତା କାମ ଆରମ୍ଭ କରିବା ପାଇଁ ଏହି ରାସ୍ତାରୁ ଜବରଦଖଲ ହଟାଇ ପାରିଲାନି। ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ବେଆଇନ୍‌ ସୌନ୍ଦର୍ଯ୍ୟୀକରଣକୁ ଭାଙ୍ଗି ନପାରିବାରୁ ଏବେ ଏହି ଟେଣ୍ଡର ବାତିଲ୍‌ କରିବାକୁ ନିଷ୍ପତ୍ତି ‌ହୋଇଛି। ଆହୁରି ସାଂଘାତିକ କଥା ହେଲା, ଏ ପ୍ରଭାବଶାଳୀ ଗୋଷ୍ଠୀ ଏଭଳି ଯାଦୁ ସରକାରଙ୍କ ଉପରେ ଚଲାଇଛନ୍ତି ଯେ କେବଳ ଏତିକି ନୁହେଁ ଏହି ରାସ୍ତାର ଡିଜାଇନ୍ ବଦଳାଇ ଦିଆଯାଇଛି। ନୂଆ ଡିଜାଇନ୍‌ ଅନୁସାରେ ବଡଗଡ଼ ଟ୍ରାଫିକ ଛକ ନିକଟରୁ ବିଜେବି କଲେଜ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପ୍ରସାରଣ କରିବାକୁ ଯୋଜନା ହୋଇଛି।

ଗୋଟିଏ ମହଲରେ ପ୍ରଶ୍ନ ଉଠାଇଛନ୍ତି, ଏବେ ଯେଉଁ ଅଧିକାରୀଙ୍କ ମୁଣ୍ଡକୁ ବଡ଼ଗଡ଼ ଟ୍ରାଫିକ ଛକରୁ ମାଉସୀ ମା’ ଛକ ଏବଂ ବଡ଼ଗଡ଼ ଟ୍ରାଫିକ ଛକରୁ ଭଞ୍ଜକଳା ମଣ୍ଡପ ରାସ୍ତା ସମ୍ପ୍ରସାରଣ ପାଇଁ ‌ବୁଦ୍ଧି ଜୁଟିଲା ତାହା କ’ଣ ଦେଢ଼ ବର୍ଷ ତଳେ ଜୁଟି ନଥିଲା?ସେତେବେଳେ କ’ଣ କଳ୍ପନା ଛକରେ ଭିଡ଼ ହେଉନଥିଲା? ପୂର୍ତ୍ତ ବିଭାଗର ଅଧିକାରୀମାନେ ଯେତେ ଲୁଚାଇଲେ ବି ଧରା ପଡ଼ିଯାଉଛି ଯେ ମଲ୍‌କୁ ସୁହାଇବା ପାଇଁ ସବୁ ଯୋଜନାରେ ପରିବର୍ତ୍ତନ କରାଯାଉଛି। ଭୁବନେଶ୍ବର ଭଳି ସ୍ମାର୍ଟ ସହରରେ ଗୋଟିଏ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଡିଜାଇନ୍ ବଦଳାଇବା ପଛରେ ଏ କରିତକର୍ମା କିଏ? ଗୋଟିଏ ମଲ୍‌କୁ ସୁରକ୍ଷା ଦେବା ପାଇଁ ସବୁ ନିୟମକୁ ମୋଡ଼ି ମକ୍‌ଚି ଦେଇଛନ୍ତି?

ମିଳିଥିବା ସୂଚନା ଅନୁଯାୟୀ, ମାଉସୀ ମା’ ଛକରୁ କଳ୍ପନା ଛକର ରାସ୍ତା ସମ୍ପ୍ରସାରଣ ପାଇଁ ପୂର୍ବରୁ ଯେଉଁ ଟେଣ୍ଡର ହୋଇଥିଲା ସେହି ଅନୁଯାୟୀ କାମ ହୋଇଥିଲେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ସବୁ ଜବରଦଖଲ ଅଞ୍ଚଳ ଉଚ୍ଛେଦ ହୋଇଥାନ୍ତା। ଏପରିକି ମଲ୍‌ ଆଗରେ ମାତ୍ର ୪ଫୁଟ ସରକାରୀ ଜାଗା ଖାଲି ପଡ଼ିଥାନ୍ତା। ଏହାଦ୍ବାରା ମଲ୍‌ର ପ୍ରବେଶ ଓ ପ୍ରସ୍ଥାନରେ ସମସ୍ୟା ହୋଇଥାନ୍ତା। ଏଣୁ ମଲ୍‌ କର୍ତ୍ତୃପକ୍ଷ ତାଙ୍କ ଜବରଦଖଲ ଭାଙ୍ଗିଲେନି କି ଉଚ୍ଛେଦ କରାଇ ଦେଲେନି। ବରଂ ଅଦୃଶ୍ୟ ଚାପ ଏମିତି ଢଙ୍ଗରେ ପଡ଼ିଲା ଯେ ସରକାରୀ ନିର୍ଦେଶନାମା ବାଟବଣା ହୋଇଗଲା। ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ରାସ୍ତାର ଡିଜାଇନ୍‌ ବଦଳାଇ ଦେଲେ।

ଏହି ରାସ୍ତା ପାଇଁ ଏବେ ଯେଉଁ ଡିଜାଇନ୍‌ ପ୍ରସ୍ତୁତ ହୋଇଛି, ସେଥିରେ ମଲ୍ ନୁହେଁ, ବରଂ ବିଏମ୍‌ସି ଅଫିସକୁ ମଡ଼ାଇ ନିର୍ମାଣ ହେବ। ମଲ୍ ପୁଣି ୩୫ ଫୁଟ ପର୍ଯ୍ୟନ୍ତ ଜମି ରଖିବ। ଆଉ ବିଏମ୍‌ସିର କୋଠା ଭାଙ୍ଗି ୧୦ଫୁଟ ଓସାରର ଜମି ରାସ୍ତା ପାଇଁ ଦିଆଯିବ। କେବଳ ଏତିକି ନୁହେଁ ମଲ୍‌ ପ୍ରବେଶ ପଥରେ ଓ ସମ୍ମୁଖରେ ଯେପରି ଯଥାସମ୍ଭବ ଅଧିକ ସରକାରୀ ଜମି ରହିବ ସେଥିପାଇଁ ସୁଡା କାର୍ଯ୍ୟାଳୟ ନିକଟରୁ ରାସ୍ତାକୁ ଡାହାଣକୁ ମାଡ଼ି ନିର୍ମାଣ ହେବ। ଆହୁରି ବିସ୍ମୟକର କଥା ହେଲା, ମଲ୍‌କୁ ସୁରକ୍ଷା ଦେବାକୁ ପ୍ରଶାସନିକ ବଡ଼ବାବୁ ମାନେ ସଂଗ୍ରହାଳୟ, ଭଞ୍ଜକଳା ମଣ୍ଡପ, ବିଜେବି କଲେଜର କିଛି ଜମି ଅଧିଗ୍ରହଣ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ଏଥିରେ କାଳେ କିଏ କେଁ ପୂରାଇବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରୁ କରୁ ଜମି ମାପ କରି ଚିହ୍ନ ଦିଆ ହୋଇଛି। ଆଉ ଏହି ଅଞ୍ଚଳରୁ ସମସ୍ତ ନିର୍ମାଣ ଭାଙ୍ଗିବାକୁ ବିଡିଏକୁ ଚିଠି ଲେଖା ହୋଇଯାଇଛି। ଏହାସହ ସାଧାରଣ ପ୍ରଶାସନ ବିଭାଗ ଆବଣ୍ଟିତ ଜମିଗୁଡ଼ିକ କିପରି ଖାଲି ହେବ ସେନେଇ ବିଭାଗକୁ ମତାମତ ମଗାଯାଇଛି। ଆସନ୍ତା ମାସକ ମଧ୍ୟରେ ବଡ଼ଗଡ଼ ଟ୍ରାଫିକ ଛକରୁ ବିଜେବି କଲେଜ ଏବଂ ମାଉସୀ ମା’ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସବୁ ଜମି ଅଧିଗ୍ରହଣ କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର