ରାସ୍ତା ସୁବିଧା ନାହିଁ, ପହଞ୍ଚି ପାରୁନି ଆମ୍ବୁଲାନ୍ସ, ପାହାଡ଼ ଉପରେ ଡଙ୍ଗରିଆ ମହିଳାଙ୍କ ପ୍ରସବ

ବିଷମକଟକ: ପ୍ରସବ ପାଇଁ ଜଣେ ଡଙ୍ଗରିଆ ମହିଳାଙ୍କୁ ଆଜି କଷ୍ଟସାଧ୍ୟ ଯାତ୍ରା କରିବାକୁ ପଡ଼ିଛି। ଗାଁକୁ ରାସ୍ତା ନଥିବାରୁ ସେ ଚାଲିଚାଲି ଯାଉଥିବାବେଳେ ପାହାଡ଼ ଉପରେ ପ୍ରସବ କରିଥିଲେ। ଏକ ଶିଶୁକନ୍ୟାଙ୍କୁ ଜନ୍ମଦେବା ପରେ ବି ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ ହସ୍ପିଟାଲରେ ପହଞ୍ଚିବା ପାଇଁ ତାଙ୍କୁ ୩ କିଲୋମିଟର ବାଟ ଚାଲିବାକୁ ପଡ଼ିଥିଲା। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ନିୟମଗିରି ପାହାଡ ଉପରେ ଥିବା କୋଡିଗୁମ୍ମା ଗ୍ରାମରେ ଏହି ଘଟଣା ଘଟିଛି। କୋଡିଗୁମ୍ମା ଗ୍ରାମର ତେଲାଡି ହୁଇକା ଆଜି ସକାଳେ ପ୍ରସବକାଳୀନ ଯନ୍ତ୍ରଣ‌ା ଅନୁଭବ କରିଥିଲେ। ଗାଁକୁ ପକ୍କା ରାସ୍ତା ନଥିବାରୁ ପରିବାର ଲୋକେ ପାହାଡ଼ିଆ ରାସ୍ତା ଦେଇ ତାଙ୍କୁ ଚଲେଇ ଚଲେଇ ଆଣିଥିଲେ। ତେବେ ୨ କିମି ଆସିବା ପରେ ତାଙ୍କର ପ୍ରସବ ଯନ୍ତ୍ରଣା ବଢ଼ିଯାଇଥିଲା। ସେ ଆଉ ଚାଲିପାରିନଥିଲେ। ଆଶା କର୍ମୀ ଓ ସଂପର୍କୀୟ ମହିଳା ତାଙ୍କୁ ପାହାଡ଼ ଉପରକୁ ନେଇ ପ୍ରସବ କରାଇଥିଲେ। ସେଠାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ତାଙ୍କୁ ଏବଂ ଜନ୍ମିତ ଶିଶୁକୁ ହସ୍ପିଟାଲକୁ ନେବା ଆବଶ୍ୟକ ପଡ଼ିଥିଲା। ଯନ୍ତ୍ରଣା ସତ୍ତ୍ବେ ଆଶା କର୍ମୀଙ୍କ ସହାୟତାରେ ପରିବାର ଲୋକ ତାଙ୍କୁ ୩ କିଲୋମିଟର ଚଲେଇ ଚଲେଇ ଦେଓଗାଁକୁ ଆଣିଥିଲେ। ସେଠାରୁ ଏକ ଟାଟା ମ୍ୟାଜିକ୍ ଭଡା କରି ବିଷମ‌କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ସୌଭାଗ୍ୟବଶତଃ ତେଲାଡି ଓ ନବଜାତ ଶିଶୁ ଉଭୟ ସୁସ୍ଥ ଥିବା ଜଣା ପଡିଛି।

ସୂଚନାଯୋଗ୍ୟ, ନିୟମଗିରି ପାହାଡ ଉପରକୁ ଆମ୍ବୁଲାନସ୍ ସେବା ଅପହଞ୍ଚି ଯୋଗୁ ଡଙ୍ଗରିଆ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା ପାଇବାରୁ ବଂଚିତ ହୋଇ ଆସୁଛନ୍ତି। ନା’ ସେମାନଙ୍କ ପାଖକୁ ପହଞ୍ଚୁଛନ୍ତି ସ୍ୱାସ୍ଥ୍ୟ ସେବା ଦଳ ନା’ ରୋଗୀ ଆସି ପାରୁଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରକୁ। ପାହାଡିଆ ଅଂଚଳରେ ରାସ୍ତା ପ୍ରମୁଖ ସମସ୍ୟା ହୋଇଥିବାରୁ ପାଦ ଚଲା ରାସ୍ତା ଛଡା ଆଉ କିଛି ବିକଳ୍ପ ନାହିଁ।

ସମ୍ବନ୍ଧିତ ଖବର