ସମ୍ବଲପୁର : ଭିମ୍ସାର୍ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ଆଉ ପାଦେ ଆଗକୁ ବଢ଼ିଛି। ଏହା ନିର୍ମାଣ ହେବାକୁ ଥିବା ସ୍ଥାନରେ ପୂର୍ବରୁ ପରିତ୍ୟକ୍ତ ଅବସ୍ଥାରେ ଥିବା ଶିଶୁ ଚିକିତ୍ସା କେନ୍ଦ୍ର କୋଠାକୁ ରବିବାର ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ୧୯୫୨ ମସିହାରୁ ହୀରାକୁଦ ହେଡ୍କ୍ବାର୍ଟର୍ସ ହସ୍ପିଟାଲ୍ ନାମରେ ଥିବା ଉକ୍ତ ପୁରୁଣା କୋଠାଟି ବହୁ ବର୍ଷ ହେଲା ଭିମସାର୍ କ୍ୟାମ୍ପସ୍ରେ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। କେନ୍ଦ୍ର ସରକାର ଭିମସାର୍ରେ ସ୍ବତନ୍ତ୍ର କ୍ୟାନ୍ସର ଡାକ୍ତରଖାନା ବିକଶିତ କରିବା ପାଇଁ ୫୦୦ କୋଟିର ଅନୁଦାନ ମଞ୍ଜୁର କରିବା ପରେ ଏଥି ପାଇଁ ସ୍ଥାନ ଖୋଜା ପଡ଼ିଥିଲା।
ଏନ୍ଏସି କଲେଜ୍ ନିକଟରେ ଥିବା ୭ ଏକର ସରକାରୀ ଜମିରେ ନୂଆ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ କରିବାକୁ ତତ୍କାଳୀନ ନିର୍ଦ୍ଦେଶକ ଡା. ଅଶ୍ବିନୀ ପୂଜାହାରୀଙ୍କ ସମୟରେ ଯୋଜନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ବଦଳାଇ ଭିମସାର୍ ମୂଳ କ୍ୟାମ୍ପସ୍ ଭିତରେ ଥିବା ପରିତ୍ୟକ୍ତ ଶିଶୁ ୱାର୍ଡକୁ ଭାଙ୍ଗି ସେଠାରେ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ କରିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଟେଣ୍ଡର୍ ହୋଇଥିବା ବେଳେ ପୁରୁଣା କୋଠା ଭାଙ୍ଗିବାରେ ବିଳମ୍ବ ହୋଇଥିଲା। ଏବେ ତାକୁ ଭାଙ୍ଗି ଦିଆ ଯାଇଥିବାରୁ ଖୁବ୍ ଶୀଘ୍ର କ୍ୟାନ୍ସର କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।