୩୩୨୩ ଗ୍ରାମକୁ ରାସ୍ତା ସଂଯୋଗ ହୋଇନି

ଭୁବନେଶ୍ବର: ରାଜ୍ୟରେ ୩୩୨୩ ଗ୍ରାମକୁ ରାସ୍ତା ସଂଯୋଗ ହୋଇପାରିନି। ଆଜି ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଆକଳନ ଅନୁଯାୟୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସହିତ ଏହି ଜନବସତିକୁ ସବୁଦିନିଆ ରାସ୍ତା କରିବା ପାଇଁ ୧୯ କୋଟି ୫୦ ଲକ୍ଷ ଟଙ୍କା ଦରକାର। ସରକାରଙ୍କ ବିଭିନ୍ନ ଯୋଜନା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଗୋପବନ୍ଧୁ ଗ୍ରାମୀଣ ଯୋଜନା, କେନ୍ଦ୍ରୀୟ ଅର୍ଥ କମିସନ୍, ରାଜ୍ୟ ଅର୍ଥ କମିସନ୍, ଜିଲ୍ଲା ଖଣିଜ ପାଣ୍ଠି ଆଦି ମାଧ୍ୟମରେ ପର୍ଯ୍ୟାୟକ୍ରମେ ସମସ୍ତ ଗ୍ରାମକୁ ରାସ୍ତା ଓ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସହ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ନିମନ୍ତେ ପଦକ୍ଷେପ ନିଆଯାଉଛି।

ବ‌ିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଥିଲେ। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମାଝୀ ଆହୁରି ପଚାରିଥିଲେ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ମୁଖ୍ୟାଳୟକୁ ସବୁଦିନିଆ ରାସ୍ତା କରିବା ପାଇଁ ଅନେକ ସମୟରେ ସରକାର ଘୋଷଣା କରିଛନ୍ତି। କିନ୍ତୁ ତାହାକୁ କାର୍ଯ୍ୟକାରୀ କରାଯାଉନି। କେବେ ସୁଦ୍ଧା ରାଜ୍ୟ ସରକାର ଅର୍ଥ ଯୋଗାଡ଼ କରି କାର୍ଯ୍ୟ କରିବେ ?
ମନ୍ତ୍ରୀ କହିଥିଲେ, ବିଭିନ୍ନ ଯୋଜନା ଜରିଆରେ ରାସ୍ତା କାମ କରାଯାଉଛି। ଆଗରୁ ମେଣ୍ଟାଲ୍‌, ମରମ୍ ରାସ୍ତା ହେଉଥିଲା ବେଳେ ଏବେ ପକ୍କା ରାସ୍ତା ହେଉଛି। ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ। କିଶୋର ମହାନ୍ତି, ଅନନ୍ତ ଦାସ, ରଘୁନାଥ ଗମାଙ୍ଗୋ, ଶ୍ରୀକାନ୍ତ ସାହୁ ଓ ଅରବିନ୍ଦ ଢାଲି ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର