କନ୍ଧମା‌ଳରେ ରାସ୍ତା ଯନ୍ତ୍ରଣା: ଚିକିତ୍ସା ପାଇଁ ୫ କିଲୋମିଟର କାନ୍ଧରେ ବୋହିଥିଲେ, ମୃତ୍ୟୁ ପରେ ବି ବୋହିଲେ

ଫୁଲବାଣୀ: ଆଦିବାସୀଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବିପର୍ଯ୍ୟସ୍ତ ଯୋଗାଯୋଗ ଓ ରାସ୍ତା ସମସ୍ୟାକୁ ନେଇ ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ଖରାପ ରାସ୍ତା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ୍ ପହଞ୍ଚି ନପାରିବାରୁ ଗ୍ରାମବାସୀ ୫ କିଲୋମିଟର ପର୍ଯ୍ୟନ୍ତ ଜଣେ ରୋଗୀଙ୍କୁ କାନ୍ଧରେ ବୋହି ଆଣିଥିଲେ। ପୁଣି ଆଜି ତାଙ୍କର ମୃତ୍ୟୁ ପରେ ଶବକୁ ସେମିତି କାନ୍ଧରେ ବୋହି ଗ୍ରାମକୁ ଆଣିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକ୍ ତୁଡିପାଜୁ ପଞ୍ଚାୟତ ଅନ୍ତର୍ଗତ ଟାଡ଼ପଙ୍ଗା ଗ୍ରାମରେ l

ସଦରମହକୁମା ଫୁଲବାଣୀରୁ ମାତ୍ର ୧୦ କି‌ଲୋମିଟର ଦୂରରେ ଏହି ଗାଁ ଥିବା ବେଳେ ଭଲ ରାସ୍ତା ନାହିଁ। ଦେବେଶ୍ୱର କହଁର ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଗତକାଲି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ଗ୍ରାମବାସୀ ଆମ୍ବୁଲାନ୍ସ୍‌କୁ ଡକାଇଥିଲେ। ଆମ୍ବୁଲାନ୍ସ୍ ଆସିଥିଲେ ମଧ୍ୟ ଖରାପ ରାସ୍ତା ପାଇଁ ଗାଁରେ ପହଞ୍ଚ ପାରି ନଥିଲା। ଫଳରେ ପରିବାରଲୋକେ ଓ ଗ୍ରାମବାସୀ ମିଶି ଦେବେଶ୍ବରଙ୍କୁ କାନ୍ଧରେ ବୋହି ତାଡ଼ପଙ୍ଗା ଗ୍ରାମରୁ ଗୁମି, ସୁଡୁବାଲି ଓ ମିଣିଆକାଠି ଗ୍ରାମ ଦେଇ ଡକାଙ୍ଗି ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ୍ ଯୋଗେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ଆଜି ଦେବେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ଶବବୁହା ଗାଡ଼ିରେ ଶବକୁ ଅଣାଯିବା ପରେ ତାହା ଡକାଙ୍ଗି ଗ୍ରାମରେ ଅଟକିଯାଇଥିଲା। ଗ୍ରାମବାସୀ ସେଠାରୁ ପୁଣି ଦେବେଶ୍ବରଙ୍କ ଶବକୁ କାନ୍ଧରେ ବୋହି ଗ୍ରାମକୁ ଆଣିବା ଦୁଃଖଦାୟକ ଥିଲା।

ସଦରମହକୁମାଠୁ ମାତ୍ର ୧୦ କିଲୋମିଟର ଦୂରରେ ରହିଥିବା ଗ୍ରାମର ଏଭଳି ଦୁରବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପକ୍କା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ଦାବି କରି ଆସୁଛନ୍ତି। ହେଲେ ପ୍ରଶାସନ ଶୁଣୁ ନଥିବା ‌ସେମାନେ ଅଭିଯୋଗ କରିଛନ୍ତି। କେବଳ ଏହି ଗୋଟିଏ ଗାଁ ନୁହେଁ, ଜିଲ୍ଲାରେ ଏଭଳି ୫୦୦ରୁ ଅଧିକ ଗ୍ରାମ ଓ ପଡ଼ା ରହିଛି, ଯେଉଁଠିକୁ ପକ୍କା ରାସ୍ତା ନାହିଁ। ଫଳରେ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ଆମ୍ବୁଲାନ୍ସ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର