ପୂର୍ତ୍ତବିଭାଗର ଆଉ ଏକ କେଳେଙ୍କାରୀ : ରାସ୍ତା ମରାମତି କାମରେ ଲକ୍ଷ ଲକ୍ଷ ଚଳୁ! ପିସି ହାତେଇବାକୁ ହେଉନି ଟେଣ୍ଡର

ରାଉରକେଲା : ରାଉରକେଲା ପୂର୍ତ୍ତ ବିଭାଗରେ ବର୍ଷ ବର୍ଷ ଧରି ଚାଲିଛି ବେଆଇନ କାମ। କ୍ୱାର୍ଟର୍ସ, ରାସ୍ତା ମରାମତିରେ ବର୍ଷକୁ ଟେଣ୍ଡର ଫିକ୍ସିଂରେ କୋଟି କୋଟି ଟଙ୍କାର ଗନ୍ଧ ବାହାରୁଛି। ଜେଇ, ଏସ୍‌ଡିଓଙ୍କ ସହ କିଛି କରିତକର୍ମା ଠିକାଦାର ମିଳି ମିଶି ଏଭଳି ଦୁର୍ନୀତି ପ୍ରୋତ୍ସାହନ ଦେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଟେଣ୍ଡରକୁ ଏଡାଇବା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦୃଷ୍ଟି ଆଢ଼ୁଆଳରେ ରଖି ଏସ୍‌ଡିଓ ଓ ଜେଇମାନେ ବିଭିନ୍ନ ଉପାୟ ଉଦ୍ଭାବନ କରୁଛନ୍ତି। କେବଳ ଏତିକି ନୁହେଁ, ନିର୍ଦ୍ଦିଷ୍ଟ ଠିକାଦାରମାନଙ୍କ ସହ ମିଶି କିଛି ଏସ୍‌ଡିଓ ଓ ଜେଇ କୁଆଡ଼େ ନିଜେ ଠିକାଦାର କାମ ମଧ୍ୟ କରୁଛନ୍ତି! କ୍ୱାର୍ଟର୍ସ ଓ ବିଲ୍‌ଡିଂ ମରାମତିରେ ନିଜେ ମଧ୍ୟ ପୁଞ୍ଜି ଖଟାଉଛନ୍ତି! ଏଭଳି କାରବାର ନାୟକ ସାଜିଛନ୍ତି ବର୍ଷ ବର୍ଷ ଧରି ସହର ଛାଡୁ ନଥିବା କିଛି ଏସ୍‌ଡିଓ ଓ ଜେଇ।

mines.gov.in

ସରକାରୀ କ୍ୱାର୍ଟର୍ସ, ଅଫିସ ମରାମତିରୁ ଯେତିକି ପିସି ହାତଉଛନ୍ତି, ତା’ ଠାରୁ‌‌ ଢ଼େର କମାଉଛନ୍ତି ଉପାନ୍ତ ବ୍ଲକ ରାସ୍ତା ମରାମତି କାମରେ। ଏସବୁ ରାସ୍ତା ମରାମତି କାମଗୁଡ଼ିକୁ ଟେଣ୍ଡର କରା ନଯାଇ ୫ ଲକ୍ଷରୁ କମ୍‌ କରି ନିଜ ଠିକାଦାରଙ୍କୁ ବାଣ୍ଟି ଦେଉଛନ୍ତି। ଗତ ବର୍ଷକ ମଧ୍ୟରେ ବ୍ଲକରେ ଯେତେ ରାସ୍ତା ମରାମତି ହୋଇଛି, ପ୍ରାୟ ଅର୍ଦ୍ଧାଧିକ କାମରେ ଦୁର୍ନୀତିର ତାଲିକା ବେଶ୍‌ ଲମ୍ବା। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏମିତି ଦୁର୍ନୀତି ହୋଇଥିବା ପୂର୍ତ୍ତ ବିଭାଗରୁ ମିଳିଥିବା ତଥ୍ୟ ସ୍ପଷ୍ଟ ହୋଇଛି। କୋଇଡା ବ୍ଲକ ଅନ୍ତର୍ଗତ କୁରାଡିନାଳକୁ ସଂଯୋଗ ରାସ୍ତା ନିର୍ମାଣ କାମରେ ୪ ଲକ୍ଷ ୮ ହଜାର କରି ଦୁଇଟି ପର୍ଯ୍ୟାୟରେ ୧୬ ଲକ୍ଷ ୧୬ ହଜାର ଅଟକଳ କରାଯାଇଛି। କିନ୍ତୁ ଟେଣ୍ଡର କରାଯାଇ ନାହିଁ। ଲହୁଣୀପଡା ବ୍ଲକ ଅନ୍ତର୍ଗତ ଲହଙ୍ଗାପଡା-ରାଜାମୁଣ୍ଡା ଛକ, ରାଜାମୁଣ୍ଡା ବାଇପାସ୍‌ ଛକରୁ ରାଜାମୁଣ୍ଡା ଛକ ପର୍ଯ୍ୟନ୍ତ ରାସ୍ତା କାମକୁ ଏକକାଳୀନ କରିବା ପରିବର୍ତ୍ତେ ପୃଥକ ପୃଥକ କରାଯାଇଛି। ଲହଙ୍ଗାପଡା -ରାଜାମୁଣ୍ଡା ଛକ ପର୍ଯ୍ୟନ୍ତ କାମ ପାଇଁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୮୭ ଲକ୍ଷ ୬୪ ହଜାର, ୬୩ ଲକ୍ଷ ୩୪ ହଜାର ବ୍ୟୟ ଅଟକଳ କରାଯାଇଥିଲା। କୋଇଡା ବ୍ଲକର ଅନ୍ତର୍ଗତ କୋରା ପୋଲରୁ ଦମ୍‌ଦମ୍‌ ପୋଲ, ଭାୟା କୋଇଡା ଟାଉନ୍‌ ରାସ୍ତା ମରାମତି କାମ ବାବଦରେ ମୋଟ ୮ ଲକ୍ଷ ୯୨ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ଏହି କାମକୁ ବିନା ଟେଣ୍ଡରରେ ୪ ଲକ୍ଷ ୪୬ ଟଙ୍କା କରି ଜଣେ ଠିକାଦାରଙ୍କୁ ଦିଆଯାଇଛି।

ରାଉରକେଲା କୋଏଲନଗର-ଝିରପାଣି ୪ ଥାକିଆ ରାସ୍ତା ମରାମତିରେ ବି ସେହି ସମାନ ସ୍ଥିତି। ମରାମତି ବାବଦରେ ମୋଟ ୮ ଲକ୍ଷ ୨୧ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏଠି ମଧ୍ୟ ସମାନ କାମକୁ ଟେଣ୍ଡର ନ କରି ଦୁଇ ଠିକାଦାରଙ୍କୁ ଯଥାକ୍ରମେ ୩ ଲକ୍ଷ ୭୭ ହଜାର, ୪ ଲକ୍ଷ ୪୪ ହଜାର ଟଙ୍କାରେ ବାଣ୍ଟି ଦିଆଯାଇଛି। କଲୁଙ୍ଗା- ବଣାଇ ରାସ୍ତା ମରାମତି ବାବଦରେ ମୋଟ ୯ଲକ୍ଷ ୨ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏଠାରେ ପିସି ହାତେଇବାକୁ ପୂର୍ବପରି ସମାନ ପନ୍ଥା ଆପଣାଯାଇଛି। ଜଣେ ଠିକାଦାରଙ୍କୁ ଯଥାକ୍ରମେ ଦୁଇଟି ପର୍ଯ୍ୟାୟରେ ୪ ଲକ୍ଷ ୫୨ ହଜାର, ୪ ଲକ୍ଷ ୫୦ ହଜାର ଟଙ୍କାରେ କାମ ଦିଆଯାଇଥିଲା। କଲୁଙ୍ଗା-ବଣାଇ ରାସ୍ତା ମରାମତି କାମରେ ମୋଟ ୧୯ ଲକ୍ଷ ୪୯ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ସରକାରୀ ନିୟମ ଅନୁଯାୟୀ ଏହି କାମ ପାଇଁ ଟେଣ୍ଡର ବାଧ୍ୟତାମୂଳକ । ବିଡମ୍ବନା, ସମାନ କାମକୁ ଟେଣ୍ଡର କରାଯାଇ ନାହିଁ। ପାର୍ଟ ପାର୍ଟ କରି ୪ ଥର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ, ଦ୍ବିତୀୟ ପର୍ଯ୍ୟାୟରେ ୪ ଲକ୍ଷ ୯୧ ହଜାର, ତୃତୀୟ ପର୍ଯ୍ୟାୟରେ ୪ ଲକ୍ଷ ୬୯ ହଜାର, ଚତୁର୍ଥ ପର୍ଯ୍ୟାୟରେ ୪ ଲକ୍ଷ ୪୯ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କୁଆରମୁଣ୍ଡା -ପୁରୁଣାପାଣି- ନୂଆଗାଁ ରାସ୍ତା ମରାମତିରେ ବି ସମାନ ଦୁର୍ନୀତିର ଗନ୍ଧ ବାହାରୁଛି। ଏଥିପାଇଁ ମୋଟ ୯ ଲକ୍ଷ ୭୧ ହଜାର ବ୍ୟୟ ଅଟକଳ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ କାମକୁ ତିନି ଭାଗ କରି ଦୁଇ ଜଣ ଠିକାଦାରଙ୍କୁ ବାଣ୍ଟି ଦିଆଯଇଥିଲା। ଜଣେ ଠିକାଦାରଙ୍କୁ ୩ ଲକ୍ଷ ୨୮ ହଜାର ଓ ୪ ଲକ୍ଷ ୧୭ ହଜାର, ଅନ୍ୟ ଜଣେ ଠିକାଦାରଙ୍କୁ ୨ ଲକ୍ଷ ୨୬ ହଜାର ଟଙ୍କାରେ ବଣ୍ଟାଯାଇଥିଲା। ଅନୁରୂପ ଭାବେ ବିନା ଟେଣ୍ଡରରେ କାମକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ୫ ଲକ୍ଷରୁ କମ୍‌କରି କିଛି ଠିକାଦାରଙ୍କୁ କାମ ବାଣ୍ଟି ଦିଆଯାଇଛି।

Sambad English

ଦ୍ୱିତୀୟ ପ୍ରମାଣ ହେଉଛି, ବିଜୁ ପଟ୍ଟନାୟକ ବୈ‌ଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) କୋଠାର ମରାମତି କାମ। ଏ ବାବଦରେ ବିପିୟୁଟି ପକ୍ଷରୁ ପୂର୍ତ୍ତ ବିଭାଗକୁ କୋଟିଏରୁ ଅଧିକ ଟଙ୍କା ଦିଆଯାଇଛି। କିନ୍ତୁ ବିଲ୍‌ଡିଂ ମରାମତି ବାବଦରେ ଟେଣ୍ଡର କରାଯାଇ ନାହିଁ। ଏଠି ମଧ୍ୟ ଜରେଇକେଲା ରାସ୍ତା ପରି ଅନୁରୂପ ପନ୍ଥା ଗ୍ରହଣ କରାଯାଇଛି। କେବଳ ଏମିତି ନୁହେଁ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଶହ ଶହ ଉଦାହରଣ ରହିଛି। ବିଭାଗୀୟ ଉଚ୍ଚ ଅଧିକାରୀ ସ୍ତରରେ ବିଧିବଦ୍ଧ ତଦନ୍ତ ହେଲେ ବିଭାଗୀୟ ଜେଇ, ଏସ୍‌ଡିଓଙ୍କ ଅସିଲି ମୁଖା ଖୋଲି ପାରନ୍ତା ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ଉଲ୍ଲେଖଯୋଗ୍ୟ, ରାଉରକେଲାକୁ ସରକାରୀ ବିଲ୍‌ଡିଂ ଓ କ୍ବାର୍ଟର୍ସ ମରାମତି ବାବଦରେ ବର୍ଷକୁ ପ୍ରାୟ ୧୦ କୋଟି ତଥା ରାସ୍ତା ମରାମତି ପାଇଁ ପ୍ରାୟ ୭ରୁ ୮ କୋଟି, ଏମିତି ବର୍ଷକୁ ପ୍ରାୟ ୧୮ରୁ ୨୦ କୋଟି ଟଙ୍କା ଆସୁଛି। ଏଥିସହ ନୂଆ ରାସ୍ତା ନିର୍ମାଣରେ ଆସୁଛି ଆହୁରି କୋଟି କୋଟି ଟଙ୍କା। କିନ୍ତୁ ପୂର୍ତ୍ତ ବିଭାଗର ଅଧିକାଂଶ କାମକୁ ବିନା ଟେଣ୍ଡର କରାଯାଉଛି। ଏହା ପଛରେ ମୋଟା ଅଙ୍କର ପିସି କାରବାର ହେଉଥିବାର ଅଭିଯୋଗ ରହିଛି। ଏ ଦୁର୍ନୀତିର ଚେର ରାଉରକେଲାରୁ ଭୁବନେଶ୍ବର ବିଭାଗୀୟ ମୁଖ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। ଏହି ଗୋଲକଧନ୍ଦାରେ ଅନେକ ନାୟକ ଓ ମହାନାୟକଙ୍କର ସମ୍ପୃକ୍ତି ରହିଛି।

ସମ୍ବନ୍ଧିତ ଖବର