ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ରୋଡ୍‌ ରୋମିଓ। ନାଲିବତୀ ଗାଡ଼ିକୁ ଛାଡ଼ିଲେନି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍ଡ ଡିଆଇଜି ଏସ‌୍‌ଆର୍‌ ଦାଶ ଓ ତାଙ୍କ ପତ୍ନୀଙ୍କୁ କଳିଙ୍ଗ ଷ୍ଟାଡିୟମ ନିକଟ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ପତ୍ନୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରିବାକୁ ଯାଇ ଡିଆଇଜି ଓ ‌ଦୁଇ ରୋଡ୍‌ ରୋମିଓ ହାତାହାତି ହୋଇଥିଲେ। ଦୁର୍ବୃତ୍ତଙ୍କୁ ପୁଲିସ କାବୁ କରିଛି। 

Advertisment

ଆଜି ସନ୍ଧ୍ୟାରେ କୋଷ୍ଟ୍‌ଗାର୍ଡର ଡିଆଇଜି ଶ୍ରୀ ଦାଶ ପତ୍ନୀଙ୍କ ସହ ସପିଂ କରିବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୯ଟା ସମୟ‌ରେ କାର୍‌ରେ ଘରକୁ ଫେରିବା ରାସ୍ତାରେ କଳିଙ୍ଗ ଷ୍ଟାଡିୟମ ନିକଟରେ ୟୁ-ଟର୍ଣ୍ଣ ନେବା ସମୟରେ ସାଇଡ୍‌ ମରାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା। ବାଇକ୍‌ରେ ଯାଉଥିବା ଦୁଇ ରୋଡ୍‌ ‌ରୋମିଓ କାର୍‌ରେ ବସିଥିବା ଡିଆଇଜିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ବି‌ରୋଧ କରିବାରୁ ଯୁବକ ଦୁହେଁ କାର୍‌ ସମ୍ମୁଖରେ ବାଇକ୍‌ ରଖି ଅଟକାଇ ଥିଲେ ଏବଂ କାର୍‌ କାଚକୁ ହାତରେ ବାଡ଼େଇ ଭୟଭୀତ କରିଥିଲେ। ଡିଆଇଜି ବିରୋଧ କରିବାରୁ ଅଭିଯୁକ୍ତମାନେ କାର୍‌ ଡୋର୍‌ ଖୋଲି ଭିତରେ ଜୋରଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ।

ଡିଆଇଜି ଗାଡ଼ିରୁ ଓହ୍ଲାଇ ବିରୋଧ କରିଥିଲେ। ଏହାକୁ ନେଇ ହାତାହାତି ପରିସ୍ଥିତି ଉପୁଜିଥିଲା। ଏହାରି ମଧ୍ୟରେ ଡିଆଇଜିଙ୍କ ପତ୍ନୀ ଫୋନ କରିବା‌ରୁ ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଡିଆଇଜି ନୂଆପଲ୍ଲୀ ଥାନାରେ ଅଭି‌ଯୋଗ କରିଛନ୍ତି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପୁଲିସ କମିସନର ରାତିଅଧରେ ନୂଆପଲ୍ଲୀ ଥାନା‌କୁ ଯାଇ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଘଟଣା ସମ୍ବନ୍ଧରେ ସବିଶେଷ ପଚାରି ବୁଝିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। 

କିଛିଦିନ ତଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଭରତପୁର ମାମଲାର ଆରମ୍ଭ ଠିକ୍‌ ଏହିପରି ହୋଇଥିଲା। ଜଣେ ସେବା କ୍ୟାପଟେନ ଓ ତାଙ୍କ ଭାବିପତ୍ନୀ ରେସ୍ତୋରାଁରୁ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ନିକଟରେ ଗାଡ଼ି ଅତିକ୍ରମକୁ ନେଇ ଦଳେ ଯୁବକଙ୍କ ସହିତ ସେମାନଙ୍କର ଛକାପଞ୍ଝା ହୋଇଥି‌ଲା। ଯୁବକମାନେ ତାଙ୍କ କାର୍‌କୁ ଅଟକାଇ କ୍ୟାପଟେନ ଓ ତାଙ୍କ ଭାବିପତ୍ନୀଙ୍କୁ ଘେରିଯାଇ ଅସଦାଚରଣ କରିଥିଲେ। ଏହି ଘଟଣାକୁ ନେଇ ଓଡ଼ିଶା ସରକାର ଭାରତବର୍ଷରେ ନିନ୍ଦିତ ହୋଇଥିଲେ।