ନୟାଗଡ଼ : ନୟାଗଡ଼ କଲେଜ ରୋଡ୍‌ଠ‌ାରୁ ଆରମ୍ଭ କରି ସହର ପାଲଟିଛି ଡେଞ୍ଜର ସ୍ପଟ୍। ଟିକିଏ ଏପାଖ ସେପାଖ ହେଲେ ପ୍ରାଣ ଚାଲିଯିବ, ନଚେତ ଖଣ୍ଡିଆଖାବରା ହୋଇ ମେଡିକାଲ ଯିବାଟା ଥୟ। କିଛି ମାସ ହେବ ଏଭଳି ସମସ୍ୟା ଦେଖାଦେଇଛି। ହାତଗଣତି ୧୫ରୁ ୨୦ ଯୁବକଙ୍କ ସମେତ କିଛି ନାବାଳକ ଚ‌ାଳକଙ୍କ ପାଇଁ ହଜାର ହଜାର ଯାନାବହାନ ଚାଳକ, ପଥଚାରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିଶେଷ କରି ମାର୍ଥା କଲୋନି ନିକଟରୁ କୋଏନା ହୋଟେଲ ପର୍ଯ୍ୟନ୍ତ କଲେଜ ରୋଡ୍‌କୁ କବ୍‌ଜା କରିନେଇଛନ୍ତି ଏହି ରୋଡ୍‌ ରୋମିଓ ଗୋଷ୍ଠୀ। ନମ୍ବରବିହୀନ ପଲସର୍‌, ଆପାଚିଠାରୁ ଆରମ୍ଭ କରି ବିଭିନ୍ନ ସ୍ପିଡ୍‌ ବାଇକ୍‌ ଧରି ଏହି ରାସ୍ତାରେ ଯମଦୂତ ଭଳି ମାଡ଼ି ଆସୁଛନ୍ତି।

Advertisment

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟଠା‌ରୁ ଆରମ୍ଭ କରି ଅନେକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍, ରେସିଡେନ୍‌ସିଆଲ୍‌ କଲେଜ, କୋଚିଂ ସେଣ୍ଟର ଏହି ରାସ୍ତାରେ ରହିଛି। ସନ୍ଧ୍ୟା ସମୟରେ ଅନେକ ଛାତ୍ରୀ ଏହି ବାଟ ଦେଇ ଯିବା ଆସିବା କରନ୍ତି, ଯାହାଙ୍କୁ ଦେଖି ରୋଡ୍‌ ରୋମିଓଙ୍କ ଉତ୍ପାତ ଆରମ୍ଭ ହୋଇଯାଉଛି। ଗାଡ଼ି କଣ୍ଟା‌ ଏହ‌ି ରୋଡ୍‌ରେ ୧୨୦ ସ୍ପିଡ୍‌ ଅତିକ୍ରମ କରିଯା‌ଉଛି। ରକେଟ୍ ଭଳି ଘନ ଘନ ଏହି ରାସ୍ତାରେ ରୋଡ୍‌ ରୋମିଓ ଚକ୍କର କାଟୁଛନ୍ତି। କେବଳ ଏତିକି ନୁହେଁ, ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଅନେକ ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଅନେକ ଥର ଏହି ସ୍ପିଡ୍‌ ବାଇକର୍‌ମାନେ ଧକ୍କା ମଧ୍ୟ କଲେଣି। କିନ୍ତୁ ଓଲଟି ଏମାନେ ଲୋକଙ୍କୁ ଆଖି ଦେଖାଇ ନିଜ ଦୋଷ ଘୋଡ଼ାଉଛନ୍ତି। ‘‘ଆମେ ତୁମକୁ ନୁହେଁ, ତୁ‌ମେ ଆମଠି ଗା‌ଡ଼ି ଧକ୍କା କରିଛ’’ ବୋଲି କହି ଟଙ୍କା ଦେବା ପାଇଁ ଦାବି କରୁଛନ୍ତି। ଖୋଦ୍ ଜିଲ୍ଲା ସଦର ମହକୁମାର ମୁଖ୍ୟରାସ୍ତାରେ ଏଭଳି ଦ୍ରୁତ ଗତି‌ରେ ପୁଣି ବିନା କାରଣରେ ଗାଡ଼ି ଚଳାଉଥିବା ରୋଡ୍‌ ରୋମିଓ, ଅସାମାଜିକ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ। ନୟାଗଡ଼ ଟାଉନ ପୁଲିସଠାରୁ ଆରମ୍ଭ କରି ଟ୍ରା‌ଫିକ ପୁଲିସ ପର୍ଯ୍ୟନ୍ତ ସମସ୍ତେ ନିଘୋଡ଼ ନିଦରେ ଶୋଇଛନ୍ତି।

ନୟାଗଡ଼ ଟାଉନ‌ରେ ଏଭଳି ବିପଦଜନ ଅବସ୍ଥା ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ, ବୁଦ୍ଧିଜୀବୀ, ସାଧାରଣ ନାଗରିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ତେଜିବାରେ ଲାଗିଛି। ଟାଉନ ଥାନା ପୁଲିସର ପାଟ୍ରୋଲିଂ ଭ୍ୟାନ୍ ଦେଖିବାକୁ ମିଳୁଥିବା ବେଳେ, ନିଜ ଡ୍ୟୁଟି ଲୋକଦେଖାଣିଆ ଭାବେ ସାରିଦେବାକୁ ଯାଇ ଦୁଇ, ଚାରି ଘେରା ଅଫିସ୍ ଗାଡ଼ିରେ ବାବୁମାନେ ‌ପଇଁତରା ମାରି ଚାଲି ଆସୁଛନ୍ତି। କିନ୍ତୁ ପ୍ରକୃତ ସମସ୍ୟା ଜାଗାରେ କେହି ପହଞ୍ଚୁ ନାହାନ୍ତି। ଗତ ଅଗଷ୍ଟ ୧୭ ତାରିଖରେ ନୟାଗଡ଼ କଲେଜ ସମ୍ମୁଖରେ ଏହିଭଳି ଜଣେ କଳା ପଲସର ବାଲା ନାବାଳକ ରୋଡ୍‌ରୋମିଓ ଦ୍ରୁତ ବେଗରେ ବାଇକ ଚଳାଇ ଆସୁଥିବା ବେଳେ ତାଙ୍କୁ ଦେଖି ଜଣେ ବାଇକ ଚାଳକ ବରିଷ୍ଠ ନାଗରିକ ହଡ଼ବଡ଼େଇ ଯାଇଥି‌ଲେ। ବରିଷ୍ଠ ନାଗରିକ ଜଣକ କୌଣସି ଉପାୟ ନପାଇ ରାସ୍ତାମଝିରେ ଅଟକି ଯିବା ଫଳରେ, ତତକ୍ଷଣାତ୍ ଏହି ନାବାଳକ ଜଣଙ୍କ ଡିସ୍ ବ୍ରେକ୍ ମାରି ଛିଟ୍‌କି ପଡ଼ିଥିଲେ ଏବଂ ରାସ୍ତା କଡ଼ରୁ ଉଠି ବରିଷ୍ଠ ନାଗରିକଙ୍କୁ ନାଲି ଆଖି ଦେଖାଇବା ସହ ନିଜର ଗୋଷ୍ଠୀକୁ ଡାକି ଝଗଡ଼ା କରିଥିଲେ। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ସେହିଭଳି ଏହାର କିଛି ଦିନ ପୂର୍ବରୁ ନୟାଗଡ଼ ମ୍ୟୁନିସିପାଲିଟି ଛକ ନିକଟରେ ଜଣେ ନାବାଳକ ବାଇକ ଚାଳକ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ତାଙ୍କୁ ଜଣେ ଯୁବକ ବାରଣ କରିଥିଲେ। ହେ‌ଲେ ଓଲଟି ନାବାଳକ ଜଣଙ୍କ ଯୁବକଙ୍କ ଗାଲରେ ଏକ ଚାପୁଡ଼ା କଷି ଦେଇ ଚାଲିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କନକ ନ୍ୟୁଜର ଜିଲ୍ଲା ପ୍ରତିନିଧି ପ୍ରଦୀପ୍ତ କୁମାର ରଥ କହିଛନ୍ତି। ଦିନକୁ ଦିନ ନୟାଗଡ଼ରେ ନାବାଳକ ବାଇକ ଚାଳକଙ୍କଠାରୁ ଆରମ୍ଭ କରି ଉଦ୍‌ଭ୍ରାନ୍ତ ଯୁବକଙ୍କର କାର୍‌ନାମା ସୀମା ଟପୁଛି। ଏ ନେଇ ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତିଙ୍କୁ ପଚାରିବାରୁ, ନୟାଗଡ଼ କଲେଜ ରୋଡ‌୍‌ରେ ଏଭଳି ଅସାମାଜିକ ଯୁବକ, ନାବାଳକଙ୍କ ଉତ୍ପାତ ନେଇ ସେ ଜାଣି ନାହାନ୍ତି; ଏଥିପ୍ରତି ପୁଲିସ ପକ୍ଷରୁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି।