ସଡ଼କ ସୁରକ୍ଷା କର୍ମଶାଳା: ଓଡ଼ିଶାରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବଢ଼ୁଛି: ଡିଜି

ଭୁବନେଶ୍ବର: ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପ୍ରତ୍ୟେକ ବର୍ଷ ଏଥିରେ ୧୦ ପ୍ରତିଶତ ଅଭିବୃଦ୍ଧି ଘଟୁଛି।  ୨୦୧୮ରେ ଓଡ଼ିଶାରେ ୫୩୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୭ରେ ୪୭୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ।  ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକଟ କରିବା ସହିତ ଏଦିଗର ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ନିର୍ଦେଶ ଦେଇଥିଲେ ବୋଲି ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଆଜି ପୁଲିସ ଭବନଠାରେ କ୍ରାଇମ୍‌ ବ୍ରାଞ୍ଚ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ସଡ଼କ ସୁରକ୍ଷା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଲିସ ଡିଜି ଶ୍ରୀ ଶର୍ମା କହିଛନ୍ତି, ରାସ୍ତା ଦୁର୍ଘଟଣା ରୋକିବାକୁ ଓଡ଼ିଶା ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଥମ ପଦକ୍ଷେପ ସ୍ବରୂପ ଏବେ ଗ୍ରାମାଞ୍ଚଳ ପୁଲିସକୁ ଏମଭି ଆକ୍ଟରେ ଫାଇନ୍‌ ଆଦାୟ କରିବାକୁ କ୍ଷମତା ପ୍ରଦାନ କରାଯାଇଛି।  ସେହିପରି ଅଧିକାଂଶ ଦୁର୍ଘଟଣା ଘଟୁଥିବା ରାଜ୍ୟର ୫ଟି ପ୍ରମୁଖ ରାଜପଥକୁ ଚିହ୍ନଟ କରାଯାଇଛି। ସେଠାରେ ଖୁବ୍ ଶୀଘ୍ର ପୁଲିସ ପାଟ୍ରୋଲିଂ ଆରମ୍ଭ କରିବ। ସେହିପରି ରାଜପଥକୁ ଲାଗି ଟ୍ରମା କେୟାର ସେଣ୍ଟର୍‌ ଖୋଲିବାକୁ ଓଡ଼ିଶା ପୁଲିସ ସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା ଚଳାଇଛି। ବିଭିନ୍ନ ସମୟରେ ୧୦୮ ଆମ୍ବୁଲାନ୍ସ ଦୁଘର୍ଟଣାର ଶିକାର ହେଉଥିବା ବ୍ୟକ୍ତି ବିଶେଷଙ୍କୁ ଚିକିତ୍ସା ଲାଗି ସରକାରୀ ମେଡିକାଲ ନେଇଥାଏ । କିନ୍ତୁ ବିଭିନ୍ନ ସରକାରୀ ମେଡିକାଲରେ ଟ୍ରମା କେୟାର ସେଣ୍ଟର ନାହିଁ।  ତେଣୁ କିଭଳି ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ବିଶେଷଙ୍କୁ ଘରୋଇ ହସ୍ପିଟାଲ ନେଇ ପାରିବ ସେ ନେଇ ମଧ୍ୟ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ଟ୍ରାଫିକ ପରିଚାଳନାରେ ସୁଧାର ଆଣିବାକୁ ରାଜ୍ୟର ଅନ୍ୟ କେତେକ ସହରରେ ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା  ହେଉଛି ବୋଲି ପୁଲିସ ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଅନ୍ୟତମ ଅତିଥି ଭାବେ କ୍ରାଇମ ବ୍ରା‌ଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଦ୍ରୁତ ବେଗ ଓ ମଦ୍ୟପାନ କାରଣରୁ ଦୁର୍ଘଟଣା ଘଟୁଛି।  ଦୁର୍ଘଟଣାରେ ୪୦ ପ୍ରତିଶତ ବାଇକ ଚାଳକଙ୍କ ମୃତ୍ୟୁ ଘଟୁଥିବାବେଳେ ୧୫ ପ୍ରତିଶତ କାର ଚାଳକଙ୍କ ମୃତ୍ୟୁ ଘଟୁଛି।  ଅଧିକାଂଶ ମୃତକଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ। ଯାହାକି ଚିନ୍ତା ଓ ଉଦ୍‌ବେଗର ବିଷୟ। ଦ୍ରୁତଗତି ଓ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନରେଟ ପୁଲିସର ସମସ୍ତ ଥାନାକୁ ବ୍ରେଥ୍‌ ଆନାଲାଇଜର୍‌ ମେସିନ୍ ଯୋଗାଇ ଦିଆଯାଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଇ-ଚାଲାଣ ମଧ୍ୟ ଆରମ୍ଭ କରାଗଲାଣି ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି। କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ ବିଭାଗ ସଚିବ ଜି ଶ୍ରୀନିବାସ, କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କ୍ରାଇମ୍‌ ବ୍ରାଞ୍ଚ ଏସିପି ସନ୍ଦୀପ ମାଟକର ଓ ସ୍ବାସ୍ଥ୍ୟ ବିଭାଗ, ପୁଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର