ସଡ଼କ ସୁରକ୍ଷା ସଂପର୍କରେ ଜିଲ୍ଲା ସ୍ତରରେ ହେବ ସଚେତନତା ଅଭିଯାନ

ସବୁ ଜିଲ୍ଲାରେ ଶିବିର ଓ କର୍ମଶାଳା କରିବାକୁ ଜିଲ୍ଲାପାଳଙ୍କୁ ଚିଠି, ବିଭିନ୍ନ ଆଞ୍ଚଳିକ ପରିବହନ ଜିଲ୍ଲାକୁ ପାଣ୍ଠି ପ୍ରଦାନ କରାଗଲା

ଭୁବନେଶ୍ବର : ସଡ଼କ ସୁରକ୍ଷା ଓ ନୂତନ ମୋଟର ଯାନ ଆଇନ ଅନୁପାଳନ ନେଇ ଜିଲ୍ଲା ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଶିବିର, କର୍ମଶାଳା ଜରିଆରେ ଲୋକଙ୍କୁ ସଚେତନ କରିବାକୁ ପରିବହନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏ ନେଇ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିବା ସହିତ ସଚେତନତା ଅଭିଯାନ ପାଇଁ ବିଭିନ୍ନ ଆଞ୍ଚଳିକ ଜିଲ୍ଲାକୁ ପାଣ୍ଠି ପ୍ରଦାନ କରିଛନ୍ତି।

ଚିଠିରେ ଦର୍ଶାଇଛନ୍ତି, ସଡ଼କ ଦୁର୍ଘଟଣା ଯୋଗୁଁ ଗତବର୍ଷ ରାଜ୍ୟରେ ୫ ହଜାର ୩୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୧୦ ବର୍ଷରେ ରାଜ୍ୟରେ ୩୫ ହଜାର ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। କ୍ରମବର୍ଦ୍ଧିଷ୍ଣୁ ଦୁର୍ଘଟଣା ରୋକିବାକୁ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ଗତମାସ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ସଡ଼କ ନିରାପତ୍ତା ସଂକ୍ରାନ୍ତ ସମୀକ୍ଷା ବୈଠକରେ ଦୁର୍ଘଟଣା ରୋକିବାକୁ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଥିଲା। ରାଜ୍ୟରେ ଗତ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ହୋଇଥିଲେ ବି ଗାଡ଼ିଚାଳକ ଓ ମାଲିକଙ୍କୁ ସେମାନଙ୍କ ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ ପ୍ରମାଣପତ୍ର ଠିକ କରିବାକୁ ୩ ମାସ ସମୟ କୋହଳ କରାଯାଇଛି। କିଛି ଅସାଧୁ ଦଲାଲ ଶ୍ରେଣୀର ବ୍ୟକ୍ତି ଏହାର ଫାଇଦା ଉଠାଇ ଲୋକଙ୍କୁ ଗାଡ଼ି କାଗଜପତ୍ର କରାଇଦେବା ନାଁରେ ମାତ୍ରାଧିକ ଟଙ୍କା ନେଉଥିବା ସରକାରଙ୍କ ନଜରକୁ ଆସିଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ଡିଏଲ ନବୀକରଣ, ଫିଟନେସ୍ ପ୍ରମାଣପତ୍ର ନବୀକରଣ ପାଇଁ ପରିବହନ ବିଭାଗ ପକ୍ଷରୁ ଅନଲାଇନ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କ ପାଖରେ ସଚେତନତା ଅଭାବରୁ ଏହାର ସୁବିଧା ଲୋକେ ପାଇପାରୁନାହାନ୍ତି। ତେଣୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଅବଗତ କରାଇବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ନିଷ୍ପତ୍ତି ନେଇଥିବା ପ୍ରମୁଖ ସଚିବ ଉଲ୍ଲେଖ କରିଛନ୍ତି।

ସଚେତନତା ଅଭିଯାନ ପାଇଁ ଜିଲ୍ଲା ସ୍ତରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଅତିରିକ୍ତ କାଉଣ୍ଟର ଖୋଲାଯିବ। ସରକାରୀ ଅଫିସଗୁଡ଼ିକରେ କ୍ୟାମ୍ପ କରି ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବାକୁ ବ୍ୟବସ୍ଥା କରିବାକୁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୩୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ୩ଟି ଶ୍ରେଣୀରେ ବିଭକ୍ତ କରି ଆବଶ୍ୟକ ପାଣ୍ଠି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ‘ଏ’ ଶ୍ରେଣୀଭୁକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଯଥାକ୍ରମେ, ବାଲେଶ୍ବର, ଭୁବନେଶ୍ବର-୧, କଟକ, ଗଞ୍ଜାମ, ମୟୁରଭଞ୍ଜ, ରାଉଲକେଲା, ବରଗଡ଼, ଭଦ୍ରକ ଓ ଭୁବେଶ୍ବର-୨ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ପ୍ରଦାନ କରାଯାଇଛି। ‘ବି’ ଶ୍ରେଣୀଭୁକ୍ତ ଆରଟିଓ ଅଫିସ ଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗୀର, ଚଣ୍ଡିଖୋଲ, ଢେଙ୍କାନାଳ, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ପ୍ରତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବାବଦରେ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପରିବହନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ସେହିପରି ‘ସି’ ଶ୍ରେଣୀଭୁକ୍ତ ଆଞ୍ଚଳିକ ପରିବହନ ଜିଲ୍ଲାଗୁଡ଼ିକ ଯଥାକ୍ରମେ, ଭଞ୍ଜନଗର, ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଫୁଲବାଣୀ, ସୋନପୁର ଓ ତାଳଚେର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ପ୍ରମୁଖ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର