ନୟ‌ାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଜାତୀୟ, ରାଜ୍ୟ ରାଜପଥରେ ବେଆଇନ ଭାବେ ଭାରୀଯାନ ପାର୍କିଂ ହେଉଛି। ନୟାଗଡ଼-ଓଡ଼ଗାଁ ରାସ୍ତାର ନୟାଗଡ଼ ସ୍ବଂୟଶାସିତ ମହାବିଦ୍ୟାଳୟ ପାର୍ଶ୍ବ ରାସ୍ତା ହେଉ କି ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ରାସ୍ତା, ଇଟାମାଟି ଛକ, ହରେକୃଷ୍ଣପୁର ଆଦି ଅଞ୍ଚଳରେ ରାସ୍ତାପାର୍ଶ୍ବରେ ଟ୍ରକ୍‌, ହାଇୱାଠାରୁ ନେଇ ନାନା ପ୍ରକାର ଭାରୀଯାନ ପାର୍କିଂ ହେଉଛି। ବିଶେଷକରି ନୟାଗଡ଼ ସହର‌ରେ ଏଭଳି ବେଆଇନ ପାର୍କିଂ ସୀମା ଟପିଲାଣି, ଦିନ ଦିନ ଧରି ଏହି ଗାଡ଼ିକୁ ଏଠାରେ ରଖାଯାଉଛି। ସଡ଼କ ସୁରକ୍ଷା ନିୟମକୁ ଖୋଦ୍‌ ଜିଲ୍ଲା ସଦର ମହକୁମାରେ ଫୁ କରିଦିଆଯାଉଥିବା ବେଳେ, ଜିଲ୍ଲା ପ୍ରଶାସନଠାରୁ ନେଇ ପୁଲିସ ପ୍ରଶାସନ, ଆର୍‌ଟିଓ କାହାରି ନିଘା ନାହିଁ।

Advertisment

୨୦୨୨ର ଶେଷ ଭାଗ, ୨୦୨୩ ଆରମ୍ଭରେ ରାଜପଥ ପାର୍ଶ୍ବରେ ଏଭଳି ବେଆଇନ ପାର୍କିଂ ପାଇଁ ଇଟାମାଟିରେ ବାରମ୍ବାର ଦୁର୍ଘଟଣା ଘଟିଥିବା ଦେଖାଯାଇଛି। ଏହା ପରେ ବି ପ୍ରଶାସନର ଚେତା ପଶିନାହିଁ। ଖରାପ ରାସ୍ତା, ବୁଲା ଗୋରୁଗାଈ, କୁକୁର, ମଦ୍ୟପାନ କରି ଗାଡ଼ ଚାଳନା ଆଦି କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ନୟାଗଡ଼ ଜିଲ୍ଲାରେ ଗତ ଗତ ୬ ବର୍ଷର ପରିସଂଖ୍ୟାନ ଉପରେ ନଜର ପକାଇଲେ ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁରେ ହ୍ରାସ ଘଟୁନଥିବା ଦେଖାଯାଇଛି। ପ୍ରତିବର୍ଷ ହାରାହାରି ଶହେରୁ ଅଧିକ ଜୀବନ ସଡ଼କ ଦୁର୍ଘଟଣାରେ ଯାଉଛି।

ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ୨୦୧୭ରୁ ୨୦୨୨ ମଧ୍ୟରେ ୬୦୨ ଜଣଙ୍କ ଜୀବନ ସଡ଼କ ଦୁର୍ଘଟଣ‌ାରେ ଯାଇଛି। ଏହି ସମୟ ମଧ୍ୟରେ ୧୫୦୯ଟି ସଡ଼କ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଛି। ଏଭଳି ସ୍ଥିତିରେ ୨୦୨୨ରେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି। ସଂପୃକ୍ତ ବର୍ଷ ୩୨୦ଟି ଦୁର୍ଘଟଣା ନେଇ ମାମଲା ରୁଜୁ ହୋଇଥିବା ବେଳେ, ୧୦୫ଟି ଜୀବନ ଯାଇଛି। ୧୩୮ ଜଣ ଗୁରୁତର ଆହତ ଓ ୨୮ ଜଣ ସାମାନ୍ୟ ଆହାତ ହୋଇଛନ୍ତି। ବିଗତ ବର୍ଷ ଗୁଡ଼ିକର ତଥ୍ୟ ଉପ‌ରେ ନଜର ପକାଇଲେ ୨୦୨୧ରେ ୨୧୭ଟି ମାମଲା ରୁଜୁ ହୋଇଥିବା ବେଳେ ୮୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୦ରେ ୨୩୫ଟି ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଥିବା ବେଳେ ୯୬ଜଣଙ୍କର ଦୁର୍ଘଟଣ‌ାରେ ମୃତ୍ୟୁ ଘଟିଛି। ୨୦୧୯ରେ ୨୪୯ଟି ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଥିବା ବେଳେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୮ରେ ୨୬୦ଟି ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଥିବା ବେଳେ, ୧୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୭ରେ ୨୨୮ଟି ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଥିବା ବେଳେ, ୧୦୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କେବଳ ସଡ଼କ ସୁରକ୍ଷା ବୈଠକ, ସଡ଼କ ସୁରକ୍ଷା ସପ୍ତାହ ପାଳନ ଆଦିରେ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମକୁ ଗୁରୁତ୍ବ ଦିଆଯାଉଛି, ବାସ୍ତବରେ ଏହାର ପାଳନ ଦିଗରେ ପ୍ରଶାସନ କଡ଼ାକଡ଼ି ପଦକ୍ଷେପ ନେଉନଥିବାରୁ ଜିଲ୍ଲା‌ରେ ପ୍ରତିବର୍ଷ ହାରାହାରି ଶହେ ଜୀବନ ଯାଉଛି।