କଟକ : ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଉତ୍ସାହଜନକ ଭାବେ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏଥିରେ ଦେଶର ଓଡ଼ିଆ ସମେତ ଇଂରାଜୀ ଓ ଅନ୍ୟ ଭାଷାରୁ ମୋଟ ୨୩୦ଟି ଆବେଦନ ଗ୍ରହଣ କରାଯାଇଛି। ଜୁନ ୧୦ ତାରିଖ ଏହାର ଶେଷ ତାରିଖ ଥିଲା। ଚଳଚ୍ଚିତ୍ର୍ର ନିର୍ମାତା, ଆମୋଦିତ ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ, ପରୀକ୍ଷାମୂଳକ, କାହାଣୀ, କଳ୍ପନା, ଅଣକାଳ୍ପନିକ ଓ ଆନିମେସନ ଫର୍ମାଟରେ ଏହି ଏଣ୍ଟ୍ରି ଦାଖଲ ହୋଇଛି। ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ସଡ଼କ ନିରାପତ୍ତାର ବିଭିନ୍ନ ଦିଗ ଉପରେ ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଏବଂ ଇଂରାଜୀ ସମେତ ଅନେକ ଅଣଓଡ଼ିଆ ଭାଷାରେ ଆବେଦନ ଆସିଛି। ଏଥିପାଇଁ ସର୍ଟଲିଷ୍ଟ(କାଣ୍ଟଛାଣ୍ଟ୍) ହୋଇଥିବା ଚଳଚ୍ଚିତ୍ର ଗୁଡିକ ୧୮ ଓ ୧୯ ଜୁନ ତାରିଖରେ ରାଉରକେଲାରେ ପ୍ରଦର୍ଶିତ ହେବ। ପରେ ୨୪ ଓ ୨୫ରେ ପୁରୀରେ ପ୍ରଦର୍ଶିତ ହେବ। ଏକ ସ୍ବତନ୍ତ୍ର ବିଚାରକମଣ୍ଡଳୀ ଏହାର ଚୟନ କରିବେ।
ଏହି ଉତ୍ସବ ପାଇଁ ଜୁରୀ ସଦସ୍ୟଙ୍କ ମଧ୍ୟରେ ସମାଜସେବୀ ତଥା ଉଦ୍ୟୋଗୀ ଧରିତ୍ରୀ ପଟ୍ଟନାୟକ, ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମନୀଷ ମୁଦ୍ରା, ଜାତୀୟ ଚଳଚ୍ଚିତ୍ର ନିର୍ମାତା ରାଜେଶ ଟ୍ରିଭିର, ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ପଣ୍ଡା, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହପାତ୍ର, ଡକ୍ଟର ଶ୍ରୁତି ମହାପାତ୍ର, ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ରହିବେ। ଏହି ଉତ୍ସବର ଲକ୍ଷ୍ୟ ସଡ଼କ ସୁରକ୍ଷା ସମସ୍ୟା ସଂପର୍କରେ ଲୋକଙ୍କୁ ସଚେତନ କରିବା ସହିତ ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର ରୋକିବା। ଓଡ଼ିଆ ବର୍ଗରେ ପ୍ରଥମ ପୁରସ୍କାର ୧ ଲକ୍ଷ ଟଙ୍କା ରହିଥିବା ବେଳେ ପ୍ରଥମ ରନର୍ସ ଅପ୍ ପାଇଁ ୮୦ ହଜାର ଟଙ୍କା ଓ ଦ୍ବିତୀୟ ରନର୍ସ ଅପ୍ ପାଇଁ ୬୦ ହଜାର ଟଙ୍କା, ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ୨୫ ହଜାର, ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ ପାଇଁ ୨୫ ହଜାର ଟଙ୍କା, ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ୨୫ ହଜାର ଟଙ୍କା ଦିଆଯିବ। ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ୨୫ ହଜାର ଟଙ୍କା ଦିଆଯିବ। ଅଣଓଡ଼ିଆ ବର୍ଗରେ ମଧ୍ୟ ସମାନ ପୁରସ୍କାର ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/road-safety.jpg)