ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଉଦ୍‌ଘାଟିତ: ରାଉରକେଲାରେ ପ୍ରଦର୍ଶିତ ହେଲା ୪୨ ଚଳଚ୍ଚିତ୍ର

କଟକ : ଦେଶରେ ପ୍ରଥମ କରି ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ଓ ନିରାପତ୍ତା ପାଇଁ ଏକ ମହତ ପଦକ୍ଷେପ ହାତକୁ ନିଆଯାଇଛି। ସଡ଼କ ସୁରକ୍ଷା ପାଇଁ ଆହ୍ବାନ କରାଯାଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ କାଣ୍ଟଛାଣ୍ଟ୍ (ସର୍ଟଲି‌ଷ୍ଟ) ହୋଇଥିବା ୪୨ଟି ଚଳଚ୍ଚିତ୍ର ରାଉରକେଲାର ଏକ ମଲଟିପ୍ଲେକ୍ସ୍‌ରେ ପ୍ରଦର୍ଶିତ ହୋଇଛି। ଗତକାଲି ଓ ଆଜି ଦୁଇଦିନ ଧରି ଏହା ପ୍ରଦର୍ଶିତ ହୋଇଥିଲା। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଚଳଚ୍ଚିତ୍ର ନିର୍ମାତା ଓ ବ୍ୟକ୍ତି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରି ଆବେଦନ କରିଥିଲେ। ବିଭିନ୍ନ ଭାଷାରେ ମୋଟ ୨୩୦ଟି ଆବେଦନ ଆସିଥିଲା। ଜୁନ୍‌ ୧୦ ତାରିଖ ମଧ୍ୟରେ ଏହି ଆବେଦନ ଗ୍ରହଣ କରାଯାଇଥିଲା।

ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ରକୁ ପରିବହନ କମିସନର୍‌ ଅରୁଣ ବୋଥ୍ରାଙ୍କ ସମେତ ରାଉରକେଲା ଏସ୍‌ପି ମୁକେଶ ଭାମୋ, ଦୁଇ ବିଚାରକ ଭାବେ ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହପାତ୍ର ଓ କୁନା ତ୍ରିପାଠୀ, ରାଉରକେଲା ଆର୍‌ଟିଓ ବିଶ୍ବରଂଜନ ବେହେରା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ ଏସ୍‌ପି ସାଗରିକ‌ା ନାଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ର ମହୋତ୍ସବ ପାଇଁ ଓଡ଼ିଆ ସମେତ ହିନ୍ଦୀ, ତେଲୁଗୁ, ତାମିଲ, ମାଲୟାଲାମ୍‌ ଓ ଇଂରାଜୀ ଭା‌ଷାରେ ବହୁ ଆବେଦନ ଆସିଛି। ଓଡ଼ିଆ ଭାଷା ସହିତ ‌ସାନ୍ତାଳି ଭାଷାରେ ମଧ୍ୟ କିଛି ଆବେଦନ ହସ୍ତଗତ ହୋଇଛି। ଆସନ୍ତା ୨୪ ଓ ୨୫ ତାରିଖ ଚୟନ ହୋଇଥିବା ଚଳଚ୍ଚିତ୍ର ପୁରୀରେ ପ୍ରଦର୍ଶିତ ହେବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଜଣାଇଛନ୍ତି।

ସମ୍ବନ୍ଧିତ ଖବର