ଭୁବନେଶ୍ବର : ସଡ଼କ ସୁରକ୍ଷା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ କାମରେ ଲାଗୁନି। ସଡ଼କ ଦୁର୍ଘଟଣା ଜନିତ ଅଘଟଣ ବଢ଼ି ବଢ଼ି ଚାଲିଛି। ଯେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଖର୍ଚ୍ଚ ହେଉଛି, ସେ ଉଦ୍ଦେଶ୍ୟ ପୂରଣ ହେଉନି। କୋଟି କୋଟି ଟଙ୍କା ବାଟମାରଣା ହେଉଥିବାରୁ ପରିବହନ କମିସନର ଏ ବାବଦରେ ସୂଚନା ବି ଦେଉନାହାନ୍ତି। ଏନେଇ ଏକ ମାମଲା ସୂଚନା କମିସନରଙ୍କ ପାଖରେ ପହଞ୍ଚିବା ପରେ କମିସନର୍ କ୍ଷୁବ୍ଧ ହୋଇଛନ୍ତି। ସୂଚନା ଅଧିକାର ଆଇନ ସେକ୍ସନ-୪ର ଉପବିଭାଗ(୧)(ଖ) ବଳରେ ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଆଡ଼ୁ ତଥ୍ୟ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସୂଚନା ଅଧିକାର ଆଇନ ବଳରେ କେହି ତଥ୍ୟ ମାଗିବେ ନାହିଁ ବା ଏଭଳି ପରିସ୍ଥିତି ଉପୁଜିବ ନାହିଁ। ଫେବ୍ରୁଆରି ୨୮ ତାରିଖ ସୁଦ୍ଧା କମିସନଙ୍କ ନିକଟରେ ଏ ବାବଦରେ ତଥ୍ୟ ରଖିବାକୁ ପରିବହନ କମିସନରଙ୍କୁ ସୂଚନା କମିସନର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ଲକ୍ଷ୍ମଣନାଥ ଚେକ୍ଗେଟ୍ରୁ ଗିରିଶୋଳା ଚେକ୍ଗେଟ୍ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ପ୍ରାଣହାନି ହେଉଛି। କେତେକ ପଙ୍ଗୁ ମଧ୍ୟ ହୋଇଯାଉଛନ୍ତି। ସଡ଼କ ନିରାପତ୍ତା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଦୁର୍ଘଟଣା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏଣେ ସଡ଼କ ନିରାପତ୍ତା ନେଇ କ’ଣ କ’ଣ କାର୍ଯ୍ୟକ୍ରମ କରାଯାଉଛି, ସେନେଇ ତଥ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ହେଉନାହିଁ। ଏ ସଂପର୍କରେ ବିନାୟକ ରଥ ସୂଚନା କମିସନରଙ୍କ ଦ୍ବାରସ୍ଥ ହେବା ପରେ ଚଳିତ ମାସ ୨୮ତାରିଖ ସୁଦ୍ଧା ତଥ୍ୟ ଉପଲବ୍ଧ କରାଇବା ପାଇଁ ଆଦେଶ ହୋଇଛି।
ରାଜପଥରେ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ସରକାରଙ୍କ ପରିବହନ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଓ ପରିବହନ କମିସନର ଉତ୍ତରଦାୟୀ।
ଜାତୀୟ ରାଜପଥରେ ଯେଭଳି ମଦ୍ୟପ ଚାଳକ ଗାଡ଼ି ଚଳାଇବେ ନାହିଁ ତାହା ଉପରେ ନଜର ରଖିବା ଜରୁରୀ। ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରିବା ସହ ଅନ୍-ଫିଟ୍ ଗାଡ଼ି ଯେଭଳି ନ ଚାଲିବ, ତାହା ଉପରେ ନିୟମିତ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ବଡ଼ବଡ଼ ଗାଡ଼ିରେ କ୍ଷମତା ଅନୁସାରେ ସାମଗ୍ରୀ କିମ୍ବା ଯାତ୍ରୀ ଯାଉଛନ୍ତି କି ନାହିଁ, ତାହାର ଯାଞ୍ଚ ସହ ଦ୍ରୁତ ଗତିରେ ଗାଡ଼ି ଚାଳନା, ଜାତୀୟ ରାଜପଥର ରକ୍ଷଣାବେକ୍ଷଣ, ରାଜପଥ କଡ଼ରେ ମଦ ବିକ୍ରି ଉପରେ କଟକଣା, ବ୍ଲାକ୍ସ୍ପଟ୍ରେ ସାଇନ୍ବୋର୍ଡ ସହ ସଚେତନତା ବାର୍ତ୍ତା, ସ୍ଥାୟୀ ଏନ୍ଫୋର୍ସମେଣ୍ଟ ଟିମ୍ ନିୟୋଜନ, ନିୟମିତ ଦୁର୍ଘଟଣା ଘଟୁଥିବା ସମୟରେ ଗାଡ଼ି ଚାଳନା ଉପରେ କଟକଣା ଉପରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କିନ୍ତୁ ନା ପରିବହନ ବିଭାଗ ନା ଜାତୀୟ ରାଜପଥ କର୍ତ୍ତୃପକ୍ଷ ନା ପରିବହନ କମିସନର, କେହି ଏ ବାବଦରେ ତଥ୍ୟ ରଖୁ ନାହାନ୍ତି। ସେଥିପାଇଁ ଶ୍ରୀ ରଥ ସୂଚନା କମିସନରଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି। ଫେବ୍ରୁଆରି ସୁଦ୍ଧା ଏ ବାବଦରେ ତଥ୍ୟ ଉପଲବ୍ଧ ହେବା ନେଇ ସେ ଆଶାବାଦୀ ଅଛନ୍ତି।