ସଡ଼କ ସୁରକ୍ଷା ସପ୍ତାହ : ୮ ବର୍ଷରେ ଦୁର୍ଘଟଣା ନେଲାଣି ୭ ଶହ ଜୀବନ

ଜଗତସିଂହପୁର ଟାଉନ୍ : ପାଳନ ହେଉଛି ୩୦ ତମ ସଡ଼କ ସୁରକ୍ଷା ସପ୍ତାହ। ସଚେତନତା ପାଇଁ ଶୋଭାଯାତ୍ରା ବ୍ୟାନର ଓ ପୋଷ୍ଟର ଲଗା ଯାଉଛି ପ୍ରତିବର୍ଷ। କିନ୍ତୁ ବାସ୍ତବରେ ବର୍ଷକୁ ବର୍ଷ ବଢି ଚାଲିଛି ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା।
ମିଳିଥିବା ତଥ୍ୟ ଅନୁସାରେ, ୨୦୧୧ ମସିହାରୁ ୨୦୧୯ ଜାନୁଆରି ମାସ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ୧୭୧୩ଟି ଛୋଟ ବଡ଼ ଦୁର୍ଘଟଣା ଘଟି ୭୦୬ ଜଣ ମୃତ୍ୟୁବରଣ କରିଛନ୍ତି। ୯୭୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୬୧୧ ଜଣ ସାମାନ୍ୟ ଆହତ ହୋଇଛନ୍ତି।

୨୦୧୭ ମସିହା ଏବଂ ୨୦୧୮ ମସିହାରେ ଦୁର୍ଘଟଣା ହାର କିଛିଟା କମିଥିବା ବେଳେ ୨୦୧୬ ମସିହାରେ ୨୦୪ଟି ଦୁର୍ଘଟଣା ଘଟିଛି। ୨୦୧୭ରେ ଏହା କମି ଯାଇ ୧୮୦ରେ ପହଞ୍ଚିଥିଲା। ସେହିପରି ୨୦୧୮ ମସିହାରେ ପୁଣି ଏହା ବଢ଼ିଯାଇ ୨୧୫ରେ ପହଞ୍ଚିଥିବା ଜଣାଯାଇଛି। ୨୦୧୭ ମସିହାରେ ଆଶାତୀତ ଭାବେ ସଡ଼କ ଦୁର୍ଘଟଣା କମିବା ଏବଂ ମୃତ୍ୟୁ ସଂଖ୍ୟା କମିବା ପଛରେ ଜିଲ୍ଲା ପୁଲିସର ଅବଦାନ ରହିଥିଲା। ତତ୍କାଳୀନ ଏସପି ଜୟ ନାରାୟଣ ପଙ୍କଜ ସଡ଼କ ସୁରକ୍ଷା ସହ ଦୁର୍ଘଟଣାକୁ କମ୍ କରିବା ପାଇଁ ଆଖି ଦୃଶିଆ ପଦକ୍ଷେପ ନେଇଥିଲେ ।

ମୁଖ୍ୟତଃ ‘ନୋ ହେଲମେଟ୍‌ ନୋ ପେଟ୍ରୋଲ’ ନାରା ଲୋକଙ୍କୁ ବିଶେଷ ସଚେତନ କରାଇଥିଲା। ଯେଉଁମାନେ ହେଲମେଟ ପିନ୍ଧି ନଥିବେ ସେମାନଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନଦେବାକୁ କଡ଼ା କଡ଼ି ଭାବେ ପେଟ୍ରୋଲ ପମ୍ପଗୁଡ଼ିକୁ ଅବଗତ କରାଯାଇଥିଲା। ପ୍ରଶାସନର ସହଯୋଗରେ ଜିଲ୍ଳାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାମ କରୁଥିବା କର୍ମଚାରୀ ଓ ଅଧିକାରୀମାନେ ହେଲମେଟ ପିନ୍ଧି ଅଫିସ ନଆସିଲେ ସେମାନଙ୍କୁ ଅଫିସ ଭିତରକୁ ନପୂରାଇବାକୁ ତାଗିଦ କରାଯାଇଥିଲା। ସେହିପରି ନୂତନ ଗାଡ଼ି ପୂଜା କଲେ ପ୍ରଥମେ ହେଲମେଟ କିଣିବା ଆବଶ୍ୟକ। ନଚେତ ଗାଡ଼ି ପୂଜା କରାଯିବ ନାହିଁ ବୋଲି ଜିଲ୍ଲାର ମା ଶାରଳାଙ୍କ ପୀଠ ସମେତ ଅନ୍ୟ ପୀଠଗୁଡ଼ିକରେ ବୋର୍ଡ ଲଗା ଯାଇଥିଲା। ସେହିପରି ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ବ୍ୟକ୍ତିଙ୍କୁ ସାହଯ୍ୟ କରି ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଏକ ଯୋଜନା କରି ସାହାଯ୍ୟକାରୀଙ୍କୁ ୨ ହଜାର ଟଙ୍କା ପୁରସ୍କାର ଓ ମାନପତ୍ର ଦେବାକୁ ବ୍ୟବସ୍ଥା କରାଯାଇଥିଲା। ପୂର୍ବରୁ ଲୋକମାନେ ପୁଲିସକୁ ଭୟ କରି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଛାଡ଼ି ଚାଲି ଯାଉଥିବା ଦେଖି ଏହି ବ୍ୟବସ୍ଥା କରାଯାଇଛି। ୨୦୧୭ ମସିହାରେ ଏହି ଯୋଜନାରେ ୯ ଜଣଙ୍କୁ ଏସପି ପୁରସ୍କୃତ କରିଥିଲେ। ଲଗାତର ଭାବେ ଦୁଇ ଚକିଆ ଓ ଚାରିଚକିଆ ଗାଡ଼ି ଯାଞ୍ଚ କରାଯାଇ ନିୟମ ମାନିବାକୁ ଲୋକଙ୍କୁ ବାଧ୍ୟ କରାଯାଉଥିଲା। ତେବେ ଜୟ ନାରାୟଣ ପଙ୍କଜଙ୍କ ବଦଳି ପରେ ଏହି ସବୁ ନିୟମକୁ କଡ଼ା କଡ଼ି ଭାବେ ପାଳନ କରାଯାଉ ନଥିବା ଦେଖିବାକୁ ମିଳିଛି। ଏମିତିକି ଦୁର୍ଘଟଣାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପୁଲିସ ଅଧିକାରୀ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି।

ବର୍ଷକୁ ଥରେ କେବଳ ସଡ଼କ ସୁରକ୍ଷା ସପ୍ତାହ ପାଳନ କରି ପ୍ରଶାସନ ଚୁପ୍ ହୋଇ ବସୁଛି । ମୁଖ୍ୟତଃ ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ ଅଫିସ) ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି। ଏମଭିଆଇ ଗାଡ଼ିର ଯାଞ୍ଚ ଠିକ୍ ଭାବେ କରୁ ନଥିବା ବେଳେ ଜିଲ୍ଳାରେ ସଂଖ୍ୟାଧିକ ଗାଡ଼ିର ଫିଟନେସ ନାହିଁ କି ଇନ୍ସ୍ୟୁରାନ୍ସ ନାହିଁ । ସେହିପରି ଜିଲ୍ଳାରେ ଗାଁ ଗହଳି ଠାରୁ ସହର ପର୍ଯ୍ୟନ୍ତ ଚୋରା ମଦ କାରବାର ବୃଦ୍ଧି ପାଇଛି। ବର୍ଷକୁ ଗୋଟିଏ ପରେ ଗୋଟିଏ ମଦ ଦୋକାନ ଖୋଲିବା ଚିନ୍ତାର ବିଷୟ ପାଲଟିଛି । ଜିଲ୍ଳାରେ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ୭୦ ଭାଗ ନିଶାଗ୍ରସ୍ତ ବ୍ୟକ୍ତିଙ୍କ ଯୋଗୁଁ ଘଟୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର