ନିରାକାରପୁର : ଷ୍ଟେସନ୍‌ ରାସ୍ତା ପାଲଟିଛି ଅଳିଆଗଦା

ନିରାକାରପୁର : କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛତା ଓ ପରିଚ୍ଛନ୍ନତା ନିମନ୍ତେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସ୍କୁଲ୍‌, କଲେଜ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନିୟମିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। କିନ୍ତୁ ବିଭାଗ ପକ୍ଷରୁ ରାସ୍ତାଘାଟ ପରିଷ୍କାର ରଖିବା ଦିଗରେ କୌଣସି ଗୁରୁତ୍ୱ ଦିଆଯାଉ ନାହିଁ। କୌଣସି ସ୍ଥାନରେ ଡମ୍ପିଂୟାର୍ଡର ସୁବିଧା ନ ଥିବାରୁ ସ୍ଥାନୀୟ ଅଞ୍ଚଳରୁ ବାହାରୁଥିବା ସମସ୍ତ ଅଳିଆ ଆବର୍ଜନାକୁ ଲୋକେ ରାସ୍ତାକଡ଼ରେ ବେଧଡ଼କ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ବି‌ଶେଷକରି ରାସ୍ତା ପାର୍ଶ୍ବରେ ଦୈନିକ କୁଢକୁଢ ଅଳିଆ ଆବର୍ଜନା ପଡ଼ି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆ ଜଗନ୍ନାଥ ସଡ଼କଠାରୁ ଡିଏଭି ସ୍କୁଲ ଦେଇ ହାଇସ୍କୁଲ୍‌ ଓ ଷ୍ଟେସନକୁ ଯାଇଥିବା ଏକମାତ୍ର ମୁଖ୍ୟ ରାସ୍ତାରେ। ରାସ୍ତାର ଅବସ୍ଥା ଏଭଳି ଯେ, ରାସ୍ତା ପାରିହେବାକୁ ହେଲେ ନାକରେ ହାତ ନ ଦେଇ ଯାଇ ହେଉନାହିଁ। ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ଏଠାରେ ପଡ଼ି ରହିଥିବାରୁ ପଚି ସଢ଼ି ବର୍ତ୍ତମାନ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ସରକାରଙ୍କ ସ୍ୱଚ୍ଛତା ଅଭିଯାନ ନାମକୁ ମାତ୍ର ପ୍ରହସନ ସହ ଏହା ଏକ ପ୍ରକାର ଉପହାସ ପରି ମନେ ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର