ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଚିତାବେଡା ଗ୍ରାମ ଠାରୁ ଚେପଟିଆଅମ୍ବା ଗ୍ରାମକୁ ଯିବା ମଝି ରାସ୍ତାରେ ଥିବା କସମ ନାଳ ନିକଟରେ ବର୍ଷା ପାଣି ଯୋଗୁଁ ରାସ୍ତା ନଷ୍ଟ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଚିତାବେଡା ଗ୍ରାମ ଠାରୁ ଚେପଟିଆଅମ୍ବା ଯିବା ରାସ୍ତାରେ ପଡୁଥିବା କସମ ନାଳରେ ପ୍ରଶାସନ ପକ୍ଷରୁ ପ୍ରାୟ ଆଠ ବର୍ଷ ତଳେ ବ୍ରିଜ ନିର୍ମାଣ ସହ ସାଇଡ଼ ୱାଲ ନିର୍ମାଣ କରାଯାଇଥିଲା।ତେବେ ଏକ ବର୍ଷ ପରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ଯୋଗୁଁ ସାଇଡ଼ ୱାଲ ବର୍ଷା ପାଣିରେ ଭାଙ୍ଗି ଯାଇଥିଲା।ସାଇଡ଼ ୱାଲ ବର୍ଷା ପାଣିରେ ଭାଙ୍ଗି ଯିବା ପରେ ପ୍ରଶାସନ ପକ୍ଷରୁ ଆଉ ନିର୍ମାଣ କରାଯାଇନାହିଁ। ଫଳରେ ବ୍ରିଜ ଠାରୁ ପ୍ରାୟ ପାଞ୍ଚ ମିଟର ଦୂରରେ ବର୍ଷା ପାଣି ଯୋଗୁଁ ରାସ୍ତା ଧୀରେଧୀରେ ନଷ୍ଟ ହେବାରେ ଲାଗିଛି।

ବର୍ତ୍ତମାନ ଝରିଗାଁ ବ୍ଳକରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ପାଣି ଦ୍ୱାରା ରାସ୍ତାର ପିଚୁ ପର୍ଯ୍ୟନ୍ତ ନଷ୍ଟ ହୋଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଚେପଟିଆମ୍ବା ଗ୍ରାମକୁ ଯିବା ପାଇଁ ଗୋଟିଏ ମାତ୍ର ରାସ୍ତା ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅଧିକ ବର୍ଷା ହେଲେ କିଛିଦିନ ମଧ୍ୟରେ ବର୍ଷା ପାଣିରେ ରାସ୍ତା ଧୋଇ ଯିବାର ଗ୍ରାମବାସୀ ଆଶଙ୍କା କରିଛନ୍ତି। ନାଲର ଓସାର ୧୨ ଫୁଟ ଥିବା ବେଳେ ଗଭୀର ୧୫ ଫୁଟ ରହିଥିବା। ଯଦି ବର୍ଷା ପାଣିରେ ରାସ୍ତା ଧୋଇ ଗଲେ ଚେପଟିଆମ୍ବା ଗ୍ରାମର ୨୮୦ ପରିବାର ଜଳ ବନ୍ଦୀ ହେବାର ସମ୍ଭାବନା ଦେଖାଦେଇଛି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଚେପଟିଆଅମ୍ବା ଗ୍ରାମବାସୀ ଦୈତାରୀ ଜାନୀ, ଘାସିରାମ ହରିଜନ, ରମେଶ ହରିଜନ, ଧବା ଜାନୀ, ମନଧର ଜାନୀ ପ୍ରମୁଖ ଦାବି କରିଛନ୍ତି।