ଖୋର୍ଦ୍ଧା: ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇଛି । ଏହା ଏକ ପ୍ରମୁଖ ସଡ଼କ ହୋଇଥିବା ଓ ଦୈନିକ ସହସ୍ରାଧିକ ଯାନବାହନ ଚଳାଚଳ କରୁଥିଲେ ମଧ୍ୟ ଏହାର ପ୍ରଶସ୍ତୀକରଣ ଓ ମରାମତି ପାଇଁ ଆବଶ୍ୟକ ଦୃଷ୍ଟି ଦିଆଯାଉନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତା ଅଂଚଳର ଆର୍ଥିକ ଓ ସାମାଜିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରାଜ୍ୟ ସରକାର ‘‘କ୍ରିଟିକାଲ୍ ସୋସିଓ ଇକନୋମିକ୍’ ପ୍ରକଳ୍ପ ମଧ୍ୟରେ ସ୍ଥାନିତ । କିନ୍ତୁ ରାଜପଥର ଉପଯୁକ୍ତ ମରାମତି, ପ୍ରଶସ୍ତୀକରଣର ଅଭାବ ଯୋଗୁଁ ଏହା ଜନସାଧାରଣଙ୍କ ଚଳାଚଳ ପାଇଁ ଦିନକୁ ଦିନ ବିପଦ୍ଜନକ ହୋଇପଡ଼ୁଛି ।
ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ନୟାଗଡ଼ ଠାରୁ ଖୋର୍ଦ୍ଧା ମଧ୍ୟରେ ଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ସ୍ଥାନରେ ଜବରଦଖଲ ଓ ଜମି ଅଧିଗ୍ରହଣରେ ସମସ୍ୟା ଯୋଗୁଁ ପ୍ରାୟ ୫୫ କିଲୋମିଟର ରାସ୍ତାର ପ୍ରଶସ୍ତୀକରଣ ହୋଇପାରୁନାହିଁ । ପୂ୍ର୍ତ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ସୀମା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ରାସ୍ତାର ପ୍ରଶସ୍ତୀକରଣ ପାଇଁ ୧୪.୩୭ ଘରୋଇ ଜମି ଅଧିଗ୍ରହଣ କରିବା ଆବଶ୍ୟକତା ରହିଛି । ସେହିଭଳି ନୟାଗଡ଼ ଜିଲ୍ଲାରେ ୦.୯୪୧ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି । ଏହାର ଅଧିଗ୍ରହଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଠାରୁ ଆବଶ୍ୟକ ଅନୁମତି ଓ ଅର୍ଥ ବରାଦ ହୋଇସାରିଛି । କିନ୍ତୁ ଜମି ଅଧିଗ୍ରହଣ କ୍ଷତିପୂରଣ ରାଶି ବଂଟନରେ ବିଳମ୍ବ ହୋଇଛି । ଅଗ୍ରଗତି ନେଇ ୨୦ ଅପ୍ରିଲ୍ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ତାହା ଦାଖଲ ହୋଇନଥିବା ଜଣାଯାଇଛି ।
ସେହିଭଳି ରାଜପଥର ବୌଦ୍ଧ ଜିଲ୍ଲା ଅଧୀନ ପୁରୁଣା କଟକ ଠାରୁ ଧଳପୁର ମହାନଦୀ ପୋଲ ୬ କିମି ରାସ୍ତାରେ ପୋଲ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି । ତେବେ ଏନେଇ ଚଳିତ ବର୍ଷ ବିଭାଗୀୟ କାର୍ଯ୍ୟ ଆରମ୍ଭ ହୋଇଛି । ଜାନୁଆରୀ ମାସରେ ପୂର୍ତ ବିଭାଗ ପକ୍ଷରୁ ୧୩ଟି ମୌଜାର ୬୯.୦୩ ଏକର ଘରୋଇ ଜମି ଅଧିଗ୍ରହଣ ପାଇଁ ୧୧ଲକ୍ଷ ୬୨ ହଜାର ଟଙ୍କା ଏସ୍ଆଇଏ ଫିଜ୍ ବାବଦରେ ଦାଖଲ କରାଯାଇଥିବା ଓ ଏନେଇ ଏସ୍ଆଇଏରୁ ଅନୁମତି ମିଳିନଥିବା ଜଣାଯାଇଛି । ସେହିଭଳି ସୋନପୁର ଠାରୁ ମାଧପୁର ୯ କିମି ରାସ୍ତାରେ ଜମି ୨୬.୪୧ ହେକ୍ଟର ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି ।
ଚଳିତ ମାସରେ ପରିବହନ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଜାତୀୟ ରାଜପଥର “ବ୍ଲାକ୍ସ୍ପଟ୍’ (ସର୍ବାଧିକ ଦୁର୍ଘଟଣା ପ୍ରବଣ ସ୍ଥାନ) ନେଇ ରିପୋର୍ଟ ଦିଆଯାଇଥିଲା । ଏଥିରେ ଖୋର୍ଦ୍ଧା ଠାରୁ ବଲାଙ୍ଗୀର ରାଜପଥର ଖୋର୍ଦ୍ଧା ଠାରୁ ବୋଲଗଡ଼ ମଧ୍ୟରେ ୩୭.୬ କିଲୋମିଟର ରାସ୍ତାରେ ମଧ୍ୟରେ ୩ଟି ସ୍ଥାନରେ- ତରତୁଆ-ଆଇଟିବିପି ନିକଟସ୍ଥ ରାସ୍ତା, ଟିକାତାଳ ଓ ବୋଲଗଡ଼ ଦୁର୍ଘଟଣା ପ୍ରବଣ ବୋଲି ଚହ୍ନଟ କରାଯାଇଥିଲା । ଏହି ସମସ୍ତ ସ୍ଥାନରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ରହିଥିଲେ ମଧ୍ୟ ଏଯାଏଁ ଏନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତା କେବଳ ଖୋର୍ଦ୍ଧାର ବେଗୁନିଆ, ବୋଲଗଡ଼ ନୁହେଁ ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ଅଂଚଳର ଅନେକ ଦୁର୍ଗମ ଅଂଚଳକୁ ସଂଯୋଗ କରୁଥିବା ଓ ଏହି ରାସ୍ତା ଦେଇ ନିୟମିତ ସହସ୍ରାଧିକ ବସ୍, ଟ୍ରକ ଆଦି ଚଳାଚଳ କରୁଥିବାରୁ ପ୍ରାଥମିକତା ଭିତ୍ତିରେ ଏହାର ପ୍ରଶସ୍ତୀକରଣ ଓ ମରାମତି କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି ।