ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଲେମ୍ବୁଗୋଛାଠାରୁ ଗମ୍ଭାରୀଖୋଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଦଶପଲ୍ଲା : ରାସ୍ତା ନିର୍ମାଣ ବେଳେ ଉପସ୍ଥିତ ରହୁନାହାନ୍ତି ଠିକାଦାର କି ବିଭାଗୀୟ ଯନ୍ତ୍ରୀ। ମନ ଇଚ୍ଛା ରାସ୍ତା ନିର୍ମାଣ କରି ଚାଲିଛନ୍ତି ଶ୍ରମିକ। କେଉଁଠି କେତେ ପରିମାଣର ବଜୁରି ବା ପିଚୁ ପଡ଼ିବ ତା’ର ବି କୌଣସି ହିସାବ ରହୁନି। କୋଟିକୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସମସ୍ତ ନିତିନିୟମକୁ ଜଳଞ୍ଜଳି ଦିଆଯିବା ସହ ହାତ ଟେକି ଦେଇଛନ୍ତି ବିଭାଗୀୟ ଅଧିକାରୀ। ଏପଟେ ଆଗକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପଛରୁ କେଉଁଠି ପିଚୁ ଖସିଲାଣି ତ ପୁଣି କେଉଁଠି ରାସ୍ତା ଦବି ଚାଲିଛି। ଏପଟେ ମଧ୍ୟ ଜଙ୍ଗଲ ମଧ୍ୟରୁ ଶହଶହ ଟ୍ରିପ୍ ମାଟି ଉଠାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏଭଳି ଘଟଣା ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ନଛିପୁର ପଞ୍ଚାୟତର ଲେମ୍ବୁଗୋଛାଠାରୁ ଗମ୍ଭାରୀଖୋଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ।

ନାବାର୍ଡ ସହାୟତାରେ ୬.୫୦୦ କିମି ରାସ୍ତା ନିର୍ମାଣ ପାଇଁ ୩ କୋଟି ୩୩ ଲକ୍ଷ ୩୬ ହଜାର ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖୋର୍ଦ୍ଧାର ଠିକାଦାର ରାଜେଶ କୁମାର ଖୁଂଟିଆ ଏହାର ନିର୍ମାଣ ଦାୟିତ୍ବ ନେଇଛନ୍ତି। ରାସ୍ତା ନିର୍ମାଣର ସମୟ ଅବଧି ଗତ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଆଗକୁ ଆଗକୁ ଏହାର ନିର୍ମାଣ କାର୍ଯ୍ୟ ଯେତିକି ଆଗେଇ ଚାଲିଛି ପଛରୁ ଏହି ରାସ୍ତା କେଉଁଠି ଦବିଲାଣି ତ ପୁଣି କେଉଁଠି ପିଚୁ ଖସିବାରେ ଲାଗିଲାଣି। ବିଭାଗୀୟ ଅଧିକାରୀମାନେ ଏଥିପ୍ରତି କୌଣସି ଗୁରୁତ୍ବ ଦେଉନଥିବା ବେଳେ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ରାସ୍ତା ନିର୍ମାଣ ସମୟରେ ଠିକାଦାର କି ବିଭାଗୀୟ ଅଧିକାରୀ କେହି ଉପସ୍ଥିତ ରହୁନଥିବା ବେଳେ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି।

ଏପଟେ ମଧ୍ୟ ବିନା ଅନୁମତିରେ ଏକର ଏକର ଜଙ୍ଗଲ ଜମିରୁ ଶହଶହ ଟ୍ରିପ୍ ମାଟି ଖୋଳାଯାଇ ରାସ୍ତାରେ ପକାଯାଉଥିବା ଅଭିଯୋଗ ହେଉଛି। ଲେମ୍ବୁଗୋଛା ନିକଟରେ ହୋଇଥିବା ଓଡବ୍ଲୁପି ପ୍ଲାଣ୍ଟେସନ ପଛ ପାଖରୁ ଏଭଳି ମାଟି ଖୋଳାଯାଇଛି। ଏହି ସ୍ଥାନଟି ରାଜସ୍ବ ବିଭାଗ ଅଧୀନସ୍ଥ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ବନ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହା ରାଜସ୍ବ ବିଭାଗ ଅଧୀନରେ ଯାଉଥିବା ବେଳେ ମାଟି ଖୋଳିବା ସମୟରେ ବାରମ୍ବାର ମନା କରାଯାଉଛି। ମାତ୍ର ଏଥିପ୍ରତି ସଂପୃକ୍ତ ଠିକାସଂସ୍ଥା କୌଣସି ଗୁରୁତ୍ବ ଦେଇନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ପାଇଁ ଯୋଗାଯୋଗ କରିଥିବା ବେଳେ ଯୋଗାଯୋଗ ହୋଇ ପାରିନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର