ମାଲକାନଗିରି : ନୂଆବର୍ଷର ଆରମ୍ଭରୁ ମିଳିଛି ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ବଡ଼ ଭେଟି। ୭ଦଶନ୍ଧି ଧରି ଯାହା ହୋଇପାରି ନଥିଲା, ତାହାକୁ ଅଳ୍ପ କିଛି ଦିନ ମଧ୍ୟରେ ସଂପନ୍ନ କରିଛି ପ୍ରଶାସନ। ମାଓବାଦୀଙ୍କ କଡ଼ା ବିରୋଧ ସତ୍ତ୍ବେ ବିଚ୍ଛିନ୍ନାଞ୍ଚଳର ଦୁର୍ଗମ ଅଞ୍ଚଳକୁ ଯୋଡ଼ିଛି ବିକାଶର ପଥ। ଏହାପରେ ବଦଳି ଯାଇଛି ବିଚ୍ଛିନ୍ନାଞ୍ଚଳର ଭାଗ୍ୟ ଓ ଭବିଷ୍ୟତ। ଆଜିଠାରୁ ସବୁଦିନ ପାଇଁ ବନ୍ଦ ହୋଇଯାଇଛି ବିପଦପୂର୍ଣ୍ଣ ଜଳଯାତ୍ରା।
ମାଲକାନଗିରି ଜିଲ୍ଲାର ଦୁର୍ଗମ ପଣସପୁଟ, ଅଣ୍ଡ୍ରାପାଲୀ ଏବଂ ଯଡ଼ାମ୍ବ ପଞ୍ଚାୟତ ସଡ଼କ ପଥରେ ବିଚ୍ଛିନ୍ନ ହୋଇ ରହିଥିଲା। ତେଣୁ ମାଓବାଦୀ ଏହାର ସୁଯୋଗ ନେଇ ଏହାକୁ ନିଜର ଗଡ଼ କରି ରଖିଥିଲେ। ଯାହାଫଳରେ ଲୋକଙ୍କ ନିକଟରେ ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚି ପାରୁନଥିଲା। କିନ୍ତୁ ମାଓବାଦୀଙ୍କ ଏହି ଅଭେଦ୍ୟ ଗଡ଼କୁ ପ୍ରଥମେ ଭେଦ କରିଥିଲା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ। ଏହାପରେ ମାଓବାଦୀଙ୍କ ଗତିବିଧି କମିଥିବା ବେଳେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚିଲାଣି ବିକାଶ। ଏହିକ୍ରମରେ ଯନ୍ତାପାଇଠାରୁ ପଣସପୁଟ, ଅଣ୍ଡ୍ରାପାଲୀ ଓ ଯଡ଼ାମ୍ବ ପର୍ଯ୍ୟନ୍ତ ନିର୍ମାଣ ହୋଇଛି ୨୦ କିଲୋମିଟର ପକ୍କା ରାସ୍ତା। ଯାହାଫଳରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି ବିଚ୍ଛିନ୍ନାଞ୍ଚଳର ବିକାଶ।
ଆଜିର ଦିନ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଥିଲା ଐତିହାସିକ ଦିନ। ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ଏହି ରାସ୍ତାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। କିଛି କିଛି ଲୋକ ଏହି ଖବର ପାଇବା ପରେ ଗାଁରୁ ବାହାରିଥିଲେ। ଆଖପାଖ ଅଞ୍ଚଳରେ ରହୁଥିବା ବନ୍ଧୁ ଏବଂ ସଂପର୍କୀୟଙ୍କ ଘରକୁ ବି ଏହି ରାସ୍ତା ଦେଇ ଯାଇଥିଲେ। ଗାଁ ଗାଁରେ ନୂଆ ରାସ୍ତା ପାଇଁ ଏକ ପ୍ରକାର ଉତ୍ସବର ପରିବେଶ ବି ଦେଖିବାକୁ ମିଳିଥିଲା। ଆଉ କିଛି ଅଂଚଳରେ ମାଓବାଦୀଙ୍କ ନାଲି ଆଖି ଯୋଗୁଁ ଖୋଲାଖୋଲି ଭାବେ ନିଜ ଖୁସିକୁ ପ୍ରକଟ କରି ନଥିଲେ ବି ଭିତରେ ଭିତରେ ଆନନ୍ଦିତ ହୋଇଥିଲେ।
ଏ ଅଂଚଳରୁ ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମାକୁ ଆସିବାକୁ ହେଲେ ଲାଗୁଥିଲା ୨୪ଘଣ୍ଟା। ପାହାଡ଼ିଆ ତଥା ଜଙ୍ଗଲିଆ ରାସ୍ତାରେ ଅଧିକାଂଶ ବାଟ ଚାଲିବାକୁ ପଡ଼ୁଥିଲା। ଏହାପରେ ରହିଥିଲା ବିପଦପୂର୍ଣ୍ଣ ଜଳଯାତ୍ରା। ଯଦି କୌଣସି କାରଣରୁ ଅପରାହ୍ନ ସୁଦ୍ଧା କାମ ନ ସରିଲା ତେବେ ପରଦିନ ପର୍ଯ୍ୟନ୍ତ ନଦୀ ଘାଟରେ କରିବାକୁ ପଡ଼ୁଥିଲା ଅପେକ୍ଷା। ହେଲେ ନୂଆ ରାସ୍ତା ପରେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ବ୍ଲକ୍ ମହକୁମାରେ ପହଞ୍ଚିଯିବେ ସ୍ବାଭିମାନ ଅଞ୍ଚଳବାସୀ। ନିଜ ଅଭାବ ଓ ଅସୁବିଧା ପ୍ରଶାସନକୁ ଜଣାଇବା ପାଇଁ ଆଉ ବିଳମ୍ବ ହେବ ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ।
ତେବେ ଏହି ରାସ୍ତା କରିବା ପ୍ରଶାସନ ପାଇଁ ସତେଟା ସହଜ ନଥିଲା। ଏସବୁ ପଛରେ ରହିଥିଲା ପୁଲିସ ଏବଂ ବିଏସ୍ଏଫ୍ ଯବାନଙ୍କ ଅକ୍ଳାନ୍ତ ପରିଶ୍ରମ। ରଣନୀତି ଅନୁଯାୟୀ ରାସ୍ତା କାମକୁ କରାଯାଇଥିଲା। ଏମିତି ରଣନୀତି ପ୍ରସ୍ତୁତ ହେଲା ଯେ, ରାସ୍ତା କାମ ସଂପର୍କରେ ମାଓବାଦୀ କୌଣସି ଟେର୍ ସୁଦ୍ଧା ପାଇଲେ ନାହିଁ। ଏପରିକି ଯେଉଁ ସାଧାରଣ ଲୋକ ଏହାକୁ ବ୍ୟବହାର କରିବେ ସେମାନେ ମଧ୍ୟ କିଛି ପୂର୍ବ ସୂଚନା ପାଇ ନଥିଲେ। ଯେମିତି କାମରେ ବ୍ୟବହାର ହୋଇଥିବା ମେସିନ ତଥା ଗାଡ଼ି ଗୁଡ଼ିକୁ ରାତାରାତି ଯାଇ ପହଞ୍ଚିଥିଲା। ଏତେ ମାତ୍ରାରେ ସବୁ ସୂଚନାକୁ ଗୋପନ ରଖାଗଲା ଯେ ସବୁ ଜାଣିବା ପୂର୍ବରୁ ନିର୍ମାଣ କାମ ଶେଷ ହୋଇଯାଇଥିଲା। ସେହିପରି ଶୀଘ୍ର କାମ ସାରିବା ପାଇଁ ଦିନରାତି କାମ ଚାଲିଥିଲା। ଏଥିପାଇଁ ନିର୍ମାଣ ସ୍ଥଳ ସହ ଆଖପାଖ ଅଞ୍ଚଳରେ କଡ଼ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ମାଓବାଦୀଙ୍କ ଗଡ଼ରେ ଗୁରୁପ୍ରିୟା ସେତୁ ଭଳି ଏହି ରାସ୍ତା ନିର୍ମାଣ ବି ଉଲ୍ଲେଖନୀୟ ସଫଳତା। ଲୋକଙ୍କ ସମସ୍ୟାକୁ ଲାଘବ କରିବ ବୋଲି ପ୍ରଶାସନ ଏବଂ ପୁଲିସ ଆଶା କରୁଛି।