ପିସି ଯୋଗୁଁ ନିମ୍ନମାନର ହେଉଛି ରାସ୍ତା କାମ: ବିରୋଧୀ

ବାମପନ୍ଥୀ ଉଗ୍ରବାଦ ଅଞ୍ଚଳ ପ୍ରତି ଦୃଷ୍ଟି ଦିଆଯାଉ, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ବର : ପିଡବ୍ଲ୍ୟୁଡି ରାସ୍ତା ନିର୍ମାଣରେ ପ୍ରବଳ ପିସି କାରବାର ଚାଲୁଛି। ପିସି ଯୋଗୁଁ ଠିକାଦାରମାନେ ନିମ୍ନମାନର ଜନିଷ ବ୍ୟବହାର କରୁଛନ୍ତି। ଫଳରେ ରାସ୍ତା ସମ୍ପୂର୍ଣ୍ଣ ହେବାର ବର୍ଷେ ନ ପୂରୁଣୁ ପିଚୁ ଉଠିଯାଉଛି। ଆଉ ଏହାର ମରାମତି ହେଉନାହିଁ। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅବସ୍ଥା ମଧ୍ୟ ତଦ୍ରୁପ। ଆଜି ବିଧାନସଭାରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଗୃହରେ ଏପରି ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ। ଏପରିକି ଶାସକଦଳ ସଦସ୍ୟ ମଧ୍ୟ ରାସ୍ତାର ଗୁଣାତ୍ମକ ହ୍ରାସ ପାଇଥିବା ନେଇ ସ୍ବର ଉଠାଇଛନ୍ତି।

ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଆଲୋଚନା ଆରମ୍ଭ କରି କହିଥିଲେ, ପୂର୍ତ୍ତ ବିଭାଗରେ ଖୋଲାଖୋଲି ପିସି କାରବାର ଚାଲୁଛି। କନିଷ୍ଠ ଯନ୍ତ୍ରୀମାନେ ୫%, ସହାୟକ ଯନ୍ତ୍ରୀ ୩%, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କଠାରୁ ତଳିଆ କର୍ମଚାରୀ ପର୍ଯ୍ୟନ୍ତ ୨% ଲେଖାଏଁ ପିସି ଖୋଲାଖୋଲି ନେଉଛନ୍ତି। ଉଭୟ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯନ୍ତ୍ରୀମାନେ ପ୍ରାୟ ୫୦% ପିସି କାରବାରରେ ଲିପ୍ତ ରହୁଛନ୍ତି। ଠିକାଦାର ଚୟନରେ ମଧ୍ୟ ଯୋଗ୍ୟତା ଓ ଗୁଣାତ୍ମକ ଦିଗ ପ୍ରତି ଆଖିବୁଜି ଦେଇଛନ୍ତି ସରକାର। ଭୁବନେଶ୍ବର ବମିଖାଲ ରେଳ ଓଭରବ୍ରିଜ୍ ନିର୍ମାଣ ବେଳେ କିପରି ଭୁଶୁଡ଼ି ପଡ଼ିଥିଲା ତାର ଉଦାହରଣ ଦେଇ ଶ୍ରୀ ମାଝୀ କହିଥିଲେ ଏହି ଓଭରବ୍ରିଜ୍ ନିର୍ମାଣରେ ୪୪ କୋଟି ଟଙ୍କା ଖର୍ଚ୍ଚ ହେଲା; କିନ୍ତୁ ଭୁବନେଶ୍ବର ବାସିନ୍ଦା ଯେପରି ଆଗରୁ ଟ୍ରାଫିକ୍ ଜାମ୍‌ରେ ଫସୁଥିଲେ ଏବେ ତାହା ଦୁଇଗୁଣ ବଢ଼ିଯାଇଛି। ରାସ୍ତା ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ସ୍ବତନ୍ତ୍ର ନୀତି ନାହିଁ।

ଆଲୋଚନାରେ ଭାଗ ନେଇ ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ କହିଥିଲେ, ରାସ୍ତା ନିର୍ମାଣରେ ଗୁଣାତ୍ମକ ଦିଗ ପ୍ରତି ଧ୍ୟାନ ଦିଆଯିବା ଉଚିତ। ଅଧିକାଂଶ କ୍ଷେତ୍ରରେ ପିଡବ୍ଲ୍ୟୁଡି ରାସ୍ତାଗୁଡ଼ିକରେ ବଡ଼ ବଡ଼ ଗାଡ଼ି ଯିବାଆସିବା କରିବା ପରେ ରାସ୍ତାରୁ ପିଚୁ ଉଠିଯାଉଛି। ଏପରିକି ନୀଚା ସ୍ଥାନରେ ରାସ୍ତା ପାଣି ବୁଡ଼ିଯିବା ପରେ ଗୋଡ଼ି ଓ ପିଚୁ ଏକାସାଥିରେ ଉଠିଯାଉଛି। ଏଥିପାଇଁ ନିର୍ମାଣ ହେଉଥିବା ରାସ୍ତାରେ ଯେପରି ହାଲୁକାଯାନଠୁ ଆରମ୍ଭ କରି ଭାରିଯାନ ଚଳପ୍ରଚଳ ବେଳେ ଯେପରି କିଛି କ୍ଷତି ନହେବ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଦରକାର। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ବିଭାଗୀୟ ସ୍ଥାୟୀ କମିଟି ଅନେକ ସୁପାରିସ କରିଛି ସେଗୁଡ଼ିକୁ ପାଳନ କରିବାକୁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଜଟଣୀକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ୪ ଥାକିଆ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ କଂଗ୍ରେସର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଏବେ ବି ରାଜ୍ୟରେ ୧୩ ହଜାର ଗାଁକୁ ରାସ୍ତା ନାହିଁ। ବିେଶଷ କରି ଦକ୍ଷିଣ ଓଡ଼ିଶାକୁ ସରକାର ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ଆଲୋଚନା ଶେଷରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ନୀତିକୁ ବିଭାଗ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରୁଛି। ଦୁର୍ନୀତି ପାଇଁ ଦୁଇଜଣ ଠିକାଦାରଙ୍କୁ କଳାତାଲିକାଭୁକ୍ତ କରାଯିବା ସହ ବିଗତ ୩ ବର୍ଷରେ ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏହାସହ ୧୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟ ସହରମାନଙ୍କରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ରିଙ୍ଗ ରୋଡ଼ ଓ ବାଇପାସ ନିର୍ମାଣ କରାଯିବ। ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ସଂଯୋଗ କରିବା ପାଇଁ ଏକ ନୂତନ କରିଡ଼ର ନିର୍ମାଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିବା ଶ୍ରୀ ମଲ୍ଲିକ କହିଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ ୨୦୧୯-୨୦ ଆର୍ଥିକ ବର୍ଷରେ ପିଏମଜିଏସ୍‌ଵାଇ-୧ରେ ୪,୩୩୦ କିଲୋମିଟର ରାସ୍ତା ସହିତ ପିଏମଜିଏସଵାଇ-୨ରେ ୩,୭୫୯ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଚଳିତ ଆର୍ଥିକ ବଜେଟରେ ଲକ୍ଷ୍ୟ ରଖାଯାଇଛି। ଏଥିସହ ପୂର୍ତ୍ତ ବିଭାଗର ୪ ହଜାର ୫୨ କୋଟି ୬୩ ଲକ୍ଷ ୧୮ ହଜାର ଟଙ୍କା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୫ ହଜାର ୫୩୧ କୋଟି ୫୯ ଲକ୍ଷ ୩୨ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହର ଅନୁମୋଦନ ଲାଭ କରିଥିଲା। ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ମଧ୍ୟରେ ଅମର ପ୍ରସାଦ ଶତପଥୀ, ଦେବେଶ ଆଚାର୍ଯ୍ୟ, ଅନନ୍ତ ଦାସ, ସୁକାନ୍ତ କୁମାର ନାୟକ, ଅଶ୍ବିନୀ କୁମାର ପାତ୍ର, ବିଜୟ ରଞ୍ଜନ ସିଂହ ବରିହା ଓ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର