ରାସ୍ତା କାମ ନିମ୍ନ ମାନର, ରକ୍ଷଣାବେକ୍ଷଣ ବି ହେଉନି: ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଆରୋପ ଲଗାଇଲେ ବିଧାୟକ

ଗୁଣାତ୍ମକ ମାନରେ ସାଲିସ ହେବନି: ମନ୍ତ୍ରୀ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗର ଅନେକ ରାସ୍ତା କାମ ନିମ୍ନ ମାନର ହେଉଛି। ଯେଉଁମାନେ ଟେଣ୍ଡର୍‌ ନେଉଛନ୍ତି, ସେମାନେ କାମ ନକରି ଅନ୍ୟମାନଙ୍କୁ ବିକି ଦେଉଛନ୍ତି। ଟେଣ୍ଡର୍‌ରେ ଅନିୟମିତତା ହେଉଛି। ପୁଣି ବିଜୁ ସେତୁ ଯୋଜନାରେ ପୋଲ ହେଉଛି, କିନ୍ତୁ ଆପ୍ରୋଚ୍‌ ରୋଡ୍‌ ନ ହେବାରୁ ତାହା ବ୍ୟବହାର ଉପଯୋଗୀ ହେଉନି। ଆଜି ବିଧାନସଭାରେ ଏମିତି ଆରୋପ ଲଗାଇଥିଲେ ବିଧାୟକମାନେ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉ ନଥିବାରୁ ସବୁ ଦଳର ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ।

ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଲେ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ଗତ ତିନି ବର୍ଷରେ ୨୪୨୨.୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୭୦୫ଟି ରାସ୍ତା ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ତିନି ବର୍ଷରେ ୫୦୮୬.୧୦ କୋଟି ଟଙ୍କା ବ୍ୟୟ କରାଯାଇ ୨୦୮୭ଟି ରାସ୍ତା ତିଆରି ହୋଇଛି। ବିଜୁ ସେତୁ ଯୋଜନାରେ ୫୦୩ଟି ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଶାସକ ଦଳ ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କ ନିର୍ବାଚମଣ୍ଡଳୀର ତିନିଟି ବିଜୁ ସେତୁରେ ଆପ୍ରୋଚ୍‌ ରୋଡ୍‌ ନ ଥିବାରୁ ତାହା କାମରେ ଲାଗୁନି ବୋଲି କହିଥିଲେ। ବିଧାୟକ ଶଙ୍କର ଓରାମ ଅଧିକାଂଶ ଟେଣ୍ଡର୍‌ରେ ଠିକାଦାର ୧୪.୯୮% କମ୍‌ରେ କାମ ନେଇ କିପରି ଗୁଣାତ୍ମକ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ରାସ୍ତାର ମରାମତି ପାଇଁ ଅଧିକ ବଜେଟ୍‌ ବ୍ୟବସ୍ଥା କରିବାକୁ ପଦ୍ମନାଭ ବେହେରା ଓ ରାଜେନ୍ଦ୍ର ସାହୁ ପ୍ରସ୍ତାବ ଦେଇଥିଲେ। କୋରାପୁଟ ଜିଲ୍ଲାରେ ୨୦ଟି ପୋଲ ପାଇଁ ହୋଇଥିବା ଟେଣ୍ଡର୍‌ରେ ୫୦ କୋଟି ଟଙ୍କାର ସ୍କାମ୍‌ ହୋଇଛି ବୋଲି ଅଭିଯୋଗ କରିଥିଲେ। ଯେଉଁମାନେ କାମ ନେଉଛନ୍ତି ସେମାନେ କାମ ଅନ୍ୟମାନଙ୍କୁ ବିକି ଦେଉଛନ୍ତି ଓ କାମ ନିମ୍ନ ମାନର ହେଉଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ। ଦେବଗଡ଼ରେ ନିମ୍ନ ମାନର ରାସ୍ତା କାମ ସମ୍ପର୍କରେ ବିଧାୟକ ସୁବାସ ପାଣିଗ୍ରାହୀ ଅଭିଯୋଗ କରିଥିଲେ। ଧ୍ରୁବ ସାହୁ, ସୁରେଶ ରାଉତରାୟ, ସୂର୍ଯ୍ୟବଂଶୀ ସୂରଜ, ପୂର୍ଣ୍ଣଚନ୍ଦ୍ର ବାକା, ନୃସିଂହ ସାହୁ, ଜୟନ୍ତ ଷଡ଼ଙ୍ଗୀ, ଅରବିନ୍ଦ ଢାଲି, ଚନ୍ଦ୍ରସାରଥୀ ବେହେରା ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ।

ଗୃହର ଉଦ୍‌ବେଗକୁ ଲକ୍ଷ୍ୟ କରି ମନ୍ତ୍ରୀ ଶ୍ରୀ ଘଡ଼ାଇ କହିଲେ, ରାସ୍ତାର ଗୁଣାତ୍ମକ ମାନ ସହ ସାଲିସ କରାଯିବ ନାହିଁ। ଯେଉଁଠି ଅଭିଯୋଗ ଆସିବ, ସେଠାରେ ଆବଶ୍ୟକ ଯାଞ୍ଚ୍‌ କରାଯାଇ ତତ୍‌କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁରୁଣା ରାସ୍ତାଗୁଡ଼ିକର ମରାମତି ପାଇଁ ଅଧିକ ବଜେଟ୍‌ରବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର