ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ବାନ୍ଦୁପଲା ପଞ୍ଚାୟତରେ ପାନୀୟଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରତିବାଦରେ ଶନିବାର ଗ୍ରାମବାସୀ ଗାଁ ପାଖ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ହେଲା, ବର୍ଷେ ଆଗରୁ ଗାଁକୁ ଠିକ୍ ଭାବରେ ପାନୀୟଜଳ ଯୋଗାଇ ଦିଆଯାଉଥିଲା। ପରେ ପ୍ରତି ଘରକୁ ପାଇପ ସଂଯୋଗ କରି ଗାଁର ସାହିଗୁଡ଼ିକରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟଗୁଡ଼ିକୁ ପ୍ରଶାସନ ବନ୍ଦ କରିଦେଇଥିଲା। ପ୍ରତି ଘରକୁ ପାଇପ ସଂଯୋଗ କରି ପାନୀୟଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଭାଗ। ହେଲେ ଗାଁକୁ ଏବେ ପାଣି ଆସୁନାହିଁ। ସପ୍ତାହକୁ ଥରେ ପାଣି ଆସୁଛି। ପୁଣି ଗାଁରେ ଥିବା ଏକମାତ୍ର ନଳକୂପ ହଜାର ହଜାର ଲୋକଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ। କେବଳ ସ୍କୁଲ ପାଖ ନଳକୂଅ ଉପରେ ନିର୍ଭର କରୁଛନ୍ତି।
ଗତ ଆଠଦିନ ଧରି ପାଣି ଆସୁନଥିବାରୁ ଏନେଇ ଗାଁଲୋକେ ଗ୍ରାମାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ, ଟିଟିଲାଗଡ଼ ଉପଜିଲ୍ଲାପାଳ, ପଞ୍ଚାୟତ ସରପଞ୍ଚ, ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହୋଇଥିଲେ। ଶେଷରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ପ୍ରକାଶ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ପରେ ବିଡିଓ ପହଞ୍ଚି ଆନ୍ଦୋଳନକାରୀଙ୍କ ସମସ୍ୟା ଶୁଣିବା ସହ ୨୪ ଘଣ୍ଟା ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଁଲୋକେ ଆନ୍ଦୋଳନରୁ ଓହରିଥିଲେ। ଏହି ଆନ୍ଦୋଳନରେ କେଦାର କବାଟ, ଆଦିବାସୀ ନେତା ନିତ୍ୟାନନ୍ଦ ମାଝୀ, ଜନକ ତାଣ୍ଡି, ସେବତୀ ବଗର୍ତ୍ତି, ଫୁଲ ବନଛୋର, ନେତ୍ରାନନ୍ଦ ଛତର, ସୁଶାନ୍ତ ଛତର ପ୍ରମୁଖଙ୍କ ସହ ସ୍ଥାନୀୟ ମହିଳା ଗୋଷ୍ଠୀ ସାମିଲ ହୋଇଥିଲେ।