ସୁନ୍ଦରଗଡ଼ : ରତନପୁର ଠାରେ ପୁଣି ରାସ୍ତାରୋକ

ସୁନ୍ଦରଗଡ଼ : ପୁଲିସର ବ୍ୟାପକ ଧରପଗଡ଼ ଓ ୨୪ ଜଣଙ୍କ ଗିରଫଦାରି ପରେ ମଧ୍ୟ ହେମଗିର ଏମସିଏଲ ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଆଜି ସକାଳୁ ରାସ୍ତାରୋକ କରିଥିବା ରତନପୁରରୁ ୪୨ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ଆଣି ହେମଗିର ଥାନାରେ ଦିନ ସାରା ଅଟକ ରଖି ସନ୍ଧ୍ୟାରେ ଆନ୍ଦୋଳନରେ ସାମିଲ ନହେଵା ସର୍ତ୍ତରେ ଛାଡି ଦେଇଥିଲା। ପୁଲିସ ବାରିକେଡ ଭିତରେ କୋଇଲା ଗାଡି ଚଳାଚଳ ଜାରି ରହିଥିଲା। ତେଵେ ରାତି ୧୧ଟାରୁ ରତନପୁରରେ ପୁଣି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥର ପୁରୁଷଙ୍କୁ ଵାଦ୍ ଦେଇ କେଵଳ ମହିଳାମାନେ ଧାରଣା ଦେଇ କୋଇଲା ପରିଵହନ ଵନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ବାଙ୍କିବାହାଲ- ଟପରିଆ ରାସ୍ତାରେ ଏମସିଏଲର କୋଇଲ ପରିବହନ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ବିପନ୍ନ କରିଥିବା ଦର୍ଶାଇ ପ୍ରଭାବିତ ୯ଟି ପଞ୍ଚାୟତର ଲୋକେ ଆନ୍ଦୋଳନ ଚଲାଇଛନ୍ତି। ଏହା ମଧ୍ୟରେ କୋଇଲା ପରିବହନ ଉପରେ ମାନବାଧିକାର ଆୟୋଗଙ୍କ ରୋକ ଓ ପରେ ରୋକକୁ ହାଇକୋର୍ଟଙ୍କ ରହିତାଦେଶ, ଗାଡି ଚଳାଚଳକୁ ଜିଲ୍ଲାପାଳଙ୍କ ଅନୁମତି, ଲୋକଙ୍କ ବିରୋଧ, ଆନ୍ଦୋଳନକାରୀଙ୍କ ଗିରଫଦାରି ଆଦି ଘଟଣାକ୍ରମରେ ହେମଗିର ଅଞ୍ଚଳରେ ଉତ୍ତେଜନା ଵୃଦ୍ଧି ପାଇଛି। ଏସ୍ଥିତିରେ ପୁଲିସର ଧରପଗଡ, ଗିରଫ ସତ୍ତ୍ବେ ରତନପୁରରେ ଶତାଧିକ ମହିଳା ଧାରଣା ଦେଇ ବାଙ୍କିବାହାଲ-ଟପରିଆ ରାସ୍ତ‌ାରେ ଛତିଶଗଡ଼କୁ ଯାଉଥିବା କୋଇଲା ଟ୍ରକଗୁଡ଼ିକୁ ଅଟକାଇ ଦେଇଛନ୍ତି। ୧୫ ତାରିଖର ଗିରଫଦାରି ପରେ ସ୍କୁଲ ଛାତ୍ରୀ ଓ ଅଙ୍ଗନବାଡ଼ି ଶିଶୁମାନଙ୍କ ଅଟକ ଘଟଣାକୁ ନେଇ ଅଡ଼ୁଆରେ ଫସିଥିବା ପୁଲିସ ସେଥିରୁ ୧୬ ଯାଏ ମୁକୁଳିପାରି ନଥିଲା। ରାତିରେ ସେମାନଙ୍କୁ ଘରକୁ ପଠାଇବା ପରେ ଆଜି ସକାଳୁ ଏଏସପି ରବିନାରାୟଣ ବାରିକଙ୍କ ନେତୃତ୍ବରେ ପୁଲିସ ଫୋର୍ସ ରତନପୁର ଯାଇ ଆନ୍ଦୋଳନରତ ଲୋକଙ୍କ ବୁଝାସୁଝା କରିଥିଲେ। କିନ୍ତୁ ଲୋକେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଏକପାଖିଆ ଭାବେ ଲାଗୁ ହୋଇଛି କହି କୋଇଲା ଗାଡ଼ିଗୁଡ଼ିକୁ ଛାଡ଼ି ନଥିଲେ। ସେତେବେଳକୁ ରାସ୍ତାରେ ୫୦ରୁ ଅଧିକ କୋଇଲା ବୋଝେଇ ଗାଡ଼ି ଅଟକ ରହିଥିଲା।

ମାଇକ୍‌ ଯୋଗେ ଘନ ଘନ ଚେତାବନୀ ଦେବା ପରେ ମଧ୍ୟ ଲୋକେ ରାସ୍ତା ନଛାଡ଼ିବାରୁ ଶେଷକୁ ମଧ୍ୟାହ୍ନ ୧୨ଟାରେ ପୁଲିସ ଫୋର୍ସ ଜୋର୍‌ କରି ୪୨ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ସେଥିମଧ୍ୟରେ ୧୩ ବର୍ଷର ଦୁଇ ଛାତ୍ର ଓ ୮୫ ବର୍ଷର ଜଣେ ବୃଦ୍ଧଙ୍କ ସହ ୩୬ ପୁରୁଷ ଓ ୬ ଜଣ ମହିଳା ଥିଲେ। ରତନପୁରରେ ପୁଲିସ ବ୍ୟାରିକେଡ୍‌ କରି କୋଇଲା ଟ୍ରକଗୁଡ଼ିକୁ ଆଗକୁ ଯିବାକୁ ଦେଇଥିଲା। ପରେ ସନ୍ଧ୍ୟାରେ ଆନ୍ଦୋଳନରେ ସାମିଲ ନହେବା ସର୍ତ୍ତରେ ସମସ୍ତଙ୍କୁ ପୁଲିସ ନିଜ ଗାଡ଼ି‌ରେ ଗାଁକୁ ନେଇ ଛାଡ଼ିଥିଲା।

ସମ୍ବନ୍ଧିତ ଖବର