ବଲେରୋ-ବାଇକ୍‌ ମଧ୍ୟରେ ଧକ୍କା ଘଟଣା: ଆଉ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପରକୋଡ଼ ଛକଠାରେ ବଲେରୋ ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ବୁଧବାର ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଗୁରୁତର ଥିବା ଯୁବକଙ୍କ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନାନୁଯାୟୀ ଜୋଙ୍କ ଥାନା ଅନ୍ତର୍ଗତ ପରକୋଡ଼ ଗ୍ରାମର କହ୍ନେୟା ପାଣ୍ଡେ (୪୫) ଓ ଜିଘ୍ନେଶ ବାଗ (୩୬) ବାଇକ୍‌ (ସିଜି ୧୩ଏଫ୍‌-୨୬୦୬)ରେ ଯାଉଥିବା ବେଳେ ପରକୋଡ଼ ଛକଠାରେ ଏକ ବଲେରୋ (ଓଡି ୨୬ଇ-୧୬୮୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ୨ଜଣଙ୍କୁ ନୂଆପଡ଼ା ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ରାସ୍ତାରେ କହ୍ନେୟାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଜିଘ୍ନେସଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ମୃତ୍ୟୁ ହୋଇଛି।

ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଗୁରୁବାର ଗ୍ରାମବାସୀ ବଲୋଦା ଛକରେ ଆନ୍ଦୋଳନ କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଖରିଆର ରୋଡ଼-ପରକୋଡ଼ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳକୁ ଖରିଆର ରୋଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, ନୂଆପଡ଼ା ଅତିରିକ୍ତ ତହସିଲଦାର ଅଶ୍ବେଷା ବାଗ ଆସି ଅନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ବଲେରୋ ଚାଲକଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ୨ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ରେଡ଼କ୍ରସରୁ ସହାୟତା ପ୍ରଦାନ କରିବା ସହ ବୀମା କମ୍ପାନିରୁ ଅର୍ଥ ପ୍ରଦାନ ପାଇଁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର