ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ସଦର ମହକୁମା ବାଣୀଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ବାହାଲି ଗ୍ରାମ ଦେଇଯାଇଥିବା ଶଗଡ଼ିଆ ନାଳରେ ଦୀର୍ଘ ୩ବର୍ଷ ହେଲା ଅଧପନ୍ତରିଆ ହୋଇ ରହିଥିବା ନିର୍ମାଣାଧୀନ ପୋଲ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ଗ୍ରାମବାସୀମାନେ ତେଇଶିମାଇଲଠାରେ ବୁଧବାର ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସକାଳ ୬ଟାରୁ ଅବରୋଧ କରିଥିଲେ। ଫଳରେ ଏହି ବ୍ୟସ୍ତ ବହୁଳ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିଲା। ଦୀର୍ଘ ୨ଘଣ୍ଟା ପରେ ହରଭଙ୍ଗା ବିଡିଓ ଘଟଣାସ୍ଥଳରେ ପହଞ୍ଚି ଅତିଶୀଘ୍ର ତାହା ସମ୍ପୂର୍ଣ୍ଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା।

Advertisment

ସୂଚନା ଯୋଗ୍ୟ ଯେ ଏହି ନାଳରେ ବର୍ଷାଦିନେ ପାଣି ଯୋଗୁଁ ଏହି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡୁଥିଲା। ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ହେବା ପରେ ଶଗଡ଼ିଆ ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ପ୍ରାୟ ୨୦୧୮/୧୯ ଆର୍ଥିକ ବର୍ଷ ୨୦ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରି ହୋଇଥିଲା ଏପରିକି କାମ ଆରମ୍ଭ କରାଯାଇ ନାଳ ଉପରେ କେତେଗୋଟି ହୋମ୍ ପାଇପ ବସିବା ପରେ ୧୨ଲକ୍ଷ ଟଙ୍କା ବିଲ୍ ମଧ୍ୟ ଉଠାଣ ହୋଇଥିବା ଜଣାପଡିଛି। ତେବେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କର ଯେଉଁସବୁ ନିୟମ ଓ ପ୍ରକ୍ରିୟା ମଧ୍ୟରେ କରାଯିବା କଥା ତାହା କରା ଯାଇନଥିବା ହେତୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କାମଟିକୁ ବନ୍ଦ ରଖାଯାଇଥିବା ଜଣାଯାଇଛି। ଫଳରେ ଆଜକୁ ୩ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିର୍ମାଣାଧୀନ ପ୍ରକଳ୍ପ ସମ୍ପୂର୍ଣ୍ଣ ନହୋଇ ଅଧପନ୍ତରିଆ ହୋଇ ପଡ଼ିରହିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ପୋଲ କାମ ତୁରନ୍ତ ଆରମ୍ଭ କରାଯାଇ ସମ୍ପୁର୍ଣ୍ଣ କରିବାକୁ ଗ୍ରାମବାସୀ ବିଧାୟକ, ଜିଲ୍ଲାପାଳ, ପିଡି ଡିଆର୍‌ଡିଏ ଓ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଆସୁଥିଲେ ବି କୌଣସି ସୁଫଳ ନ ମିଳିବାରୁ ପୂର୍ବ ସୂଚନା ଅନୁସାରେ ଆଜି ରାସ୍ତା ଅବରୋଧ କରିଥିଲେ।