ଜାତୀୟ ରାଜପଥରେ ବଢ଼ୁଛି ଦୁର୍ଘଟଣା, ଫ୍ଲାଏ ଓଭର ଓ ଅଣ୍ଡର ପାସ ନିର୍ମାଣ ଦାବିରେ ରାସ୍ତା ଅବରୋଧ

ଯୋଡ଼ା : ଯୋଡ଼ା ଥାନା ଅନ୍ତର୍ଗତ  ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା ଛକ ନିକଟରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସକାଳ ୭ଟା ବେଳେ ଏକ ଟ୍ରକ ବାଇକୁ ଧକ୍କା ହେବା ଫଳରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ଏହି ଜନଗହଳିପୂର୍ଣ୍ଣ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଫ୍ଲାଏ ଓଭର  ଓ ଅଣ୍ଡର ପାସ ନିର୍ମାଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ।

ଲୋକଙ୍କ ଅଭିଯୋଗ ହେଲା, ବିଲେଇପଦା  ଜାତୀୟ ରାଜପଥ ଦେଇ ପ୍ରତିଦିନ  ଶହ ଶହ ଖଣିଜ ବୋଝେଇ ଟ୍ରକ ନିକଟରେ ଥିବା ଖଣି ଓ କାରଖାନାକୁ ଯାତାୟାତ କରୁଛି। ଫଳରେ ଉକ୍ତ ଛକରେ ସବୁବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଲୋକେ ରାସ୍ତା ଅତିକ୍ରମ କରିବାରେ ସବୁବେଳେ ଦୁର୍ଘଟଣାର ଆଶଙ୍କା ରହୁଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଛକରୁ ରାସ୍ତା ପାର ହେବା ପାଇଁ ଜାତୀୟ ରାଜପଥରେ କୌଣସି ଅଣ୍ଡର ପାସ୍ ନାହିଁ କି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ କିମ୍ବା ଘରୋଇ ଖଣି ଓ ଶିଳ୍ପ ସଂସ୍ଥା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ରାସ୍ତାରେ ଯାତାୟାତ କରୁଥିବା ସ୍ଥାନୀୟ ଲୋକେ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ପ୍ରତିଦିନ ଏହି ରାସ୍ତାରେ ଖଣିଜ ବୋଝେଇ ଟ୍ରକ ମାନଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆତଙ୍କିତ ହୋଇପଡ଼ୁଛନ୍ତି। ଅଣ୍ଡର ପାସ ଓ ଫ୍ଲାଏ ଓଭର ନ ଥିବାରୁ ଏହି ଛକରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜାତୀୟ ରାଜପଥ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଲୋକେ ଦାବି କରୁଥିଲେ ହେଁ କେହି ଗୁରୁତ୍ଵ ଦେଉନାହାନ୍ତି ବୋଲି ଗୁରୁବାର ଦିନ ରାସ୍ତା ଅବରୋଧ ସମୟରେ ଲୋକେ ଅଭିଯୋଗ କରିଛନ୍ତି।

ପ୍ରାୟ ୩ ଘଣ୍ଟା ରାସ୍ତା ଅବରୋଧ କରାଯାଇଥିଲା। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଟ୍ରାଫିକ ନିୟନ୍ତ୍ରଣ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରାଯାଇଥିଲା।

ସମ୍ବନ୍ଧିତ ଖବର