ବେଲପଡ଼ା: ପକ୍କା ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ବେଲପଡ଼ା ଅଞ୍ଚଳବାସୀ। ଏନେଇ ସୋମବାର ବେଲପଡା ତାରିଣୀ ମନ୍ଦିର ସମ୍ମୁଖରେ ବଲାଙ୍ଗୀର-କଣ୍ଟାବାଞ୍ଜି ରାଜପଥକୁ ସେମାନେ ଅବରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାରୁ ଖଇରମାଲ ଡକରା ରାସ୍ତା ଆଜିଯାଏଁ ପକ୍କା ହୋଇ ନାହିଁ। ପୁଣି ରାସ୍ତାରେ ପୋଲ ନିର୍ମାଣ ହୋଇନଥିବାରୁ କୁଦୋଭଟା, ପଦ୍ମପୁର, ତଅଁଲା, ମାଲପଡ଼ା, ବାହାବଲ, ଖଇରମାଲ, ଭତପରା, ସିହିନୀ, ଡକରା, ସୁଲେକେଲା ଗାଁର ଲୋକେ ଦୂର ରାସ୍ତା ବୁଲି ବେଲପଡ଼ା ମୁଖ୍ୟ ସହରକୁ ଆସୁଛନ୍ତି। ବେଲପଡ଼ାକୁ ପାଠପଢ଼ି ଆସୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ହଇରାଣ ହେଉଛନ୍ତି। ଜବଲାଯୋର, ଲାନ୍ଥନଦୀ ପୋଲ ଓ ରାସ୍ତା ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ପାଇଁ ସୁବିଧା ହୋଇପାରିବ। ଏଥିପାଇଁ ଗତ ୨୨ ବର୍ଷ ହେଲା ଦାବି ହୋଇଆସୁଛି।

Advertisment

ସବୁବେଳେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ନିର୍ମାଣ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ୮.୧୧.୨୦୨୩ରେ ପଞ୍ଚାୟତ ସମିତି ବୈଠକରେ ପ୍ରସ୍ତାବ ଅଣାଯାଇ ତାହା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୭୬୫/ତା. ୨.୩.୨୧ରେ ୧୦.୮୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ବୋଲି ଘୋଷଣା କରାଯାଇଛି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ‌ସୋମବାର କୋଶଲ ନେତା ଜନାର୍ଦ୍ଦନ ସିଂହ, ଜିଲ୍ଲା ପରିଷଦ ସଭ୍ୟା ଶବ୍ଦ ମିର୍ଦ୍ଧା ଓ ଅନିମା ଦାଶଙ୍କ ନେତୃତ୍ବରେ ଅଞ୍ଚଳବାସୀ ଏହି ରାସ୍ତାରୋକରେ ସାମିଲ ହୋଇଥିଲେ। ଘଟଣାସ୍ଥଳକୁ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ, ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଭାବଗ୍ରାହୀ ଦାସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦୁଇମାସ ମଧ୍ୟରେ ରାସ୍ତା ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଆନ୍ଦୋଳନରେ ବେଲପଡ଼ା ସରପଞ୍ଚ ହରୀଶ ଚନ୍ଦ୍ର ବୁଡ଼େକ, ପ୍ରଦୀପ ବୁଡ଼େକ, ନୀଳାମ୍ବର ଭାଟି, ଗୋପାଳ ପୁଟେଲ, ଯୋଗେଶ୍ବର ମଲ୍ଲିକ, ଜିତୁ ନାୟକ, ମାୟାଧର ନିଆଲ, ମୀନକେତନ ଥାର୍ଟି ପ୍ରମୁଖ ସାମିଲଥିଲେ।