ବ୍ରହ୍ମପୁର : ଗରମ ଓ ଗୁଳୁଗୁଳିରୁ ବଳିଯାଇଛି ବିଦ୍ୟୁତ୍ ଯନ୍ତ୍ରଣା। ପ୍ରବଳ ଗୁଳୁଗୁଳି ଯୋଗୁ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ ଏହିସମୟରେ ଦାଉ ସାଧୁଛି। ସହରରେ ବିଦ୍ୟୁତ୍ ବିଭ୍ରାଟ ସାଙ୍ଗକୁ ଲୋଭୋଲଟେଜ୍କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ଉତ୍ତ୍ୟକ୍ତ ଜନତା ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏଥିସହିତ, ସବ୍ଷ୍ଟେସନ୍ରେ ବି ତାଲା ପକାଇ ଦେଇଥିବା ଜଣାଯାଇଛି।
ହସ୍ତଗତ ସୂଚନା ଅନୁସାରେ, ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଏହିସମୟରେ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ସହରବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଲାଗିରହିଛି। ବିଭାଗ ପକ୍ଷରୁ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ମିଳୁନାହି। ବରଂ, ଏହା ବିଦ୍ୟୁତ୍ କାଟ ନୁହେଁ ବିଦ୍ୟୁତ୍ ଟ୍ରିପ୍ କହି ଏଡ଼ାଇ ଯାଉଛନ୍ତି। ଏଭଳି ସ୍ଥିତିରେ ଯନ୍ତ୍ରଣା ଅସହ୍ୟ ହେବାପରେ ଗତକାଲି ରାତିରେ ସହରର ୫ଟି ୱାର୍ଡ ବାସିନ୍ଦା ସଂଗଠିତ ହୋଇ ଗୁଡ଼ସ୍ରୋଡ୍ସ୍ଥିତ ସବ୍ଷ୍ଟେସନ୍କୁ ତାଲା ପକାଇ ଦେବାସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାତିତମାମ ଅନିଦ୍ରା ରହି ସହରର ୨୮,୩୬, ୩୭, ୩୮ ଓ ୩୯ ନଂ ୱାର୍ଡବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଞ୍ଚଳବାସୀଙ୍କ କହିବାନୁସାରେ, ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ବେଳେ ଲୋକଙ୍କ ଅଭିଯୋଗକୁ ଶୁଣୁନଥିବା ଯୋଗୁ ସେମାନେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ତେବେ, ଦୀର୍ଘସମୟ ଧରି ସବ୍ଷ୍ଟେସନ ଆଗରେ ବିକ୍ଷୋଭ ପରେ ବି କୌଣସି ଅଧିକାରୀ ଆସିନଥିଲେ। ତେବେ, ଫୋନ୍ ଯୋଗେ ଆଲୋଚନା କରି ଶୀଘ୍ର ବ୍ୟବସ୍ଥା କରିବା ନେଇ ପ୍ରତିଶ୍ରୁତି ଦେବାପରେ ଲୋକେ ବିକ୍ଷୋଭରୁ ହଟିଥିଲେ।
ସେହିପରି, ଗତକାଲି ମଧ୍ୟରାତ୍ର ପ୍ରାୟ ୧୨ଟା ବେଳେ ଲାଞ୍ଜିପଲ୍ଲୀ ଅଞ୍ଚଳରେ ବିଦ୍ୟୁତ୍କାଟ ହେବା ସହ ବହୁସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ନଆସିବା ଫଳରେ ଲୋକେ ଉତ୍ତ୍ୟକ୍ତ ହୋଇପଡିଥିଲେ। ଲାଞ୍ଜିପଲ୍ଲୀ ଅଞ୍ଚଳବାସୀଙ୍କ ଆନ୍ଦୋଳନକୁ ଦେଖି ଅନ୍ୟ ୱାର୍ଡବାସୀ ବି ଏଥିରେ ସାମିଲ ହୋଇଥିଲେ। କେବଳ ଲାଞ୍ଜିପଲ୍ଲୀ ଅଞ୍ଚଳ ନୁହଁ ଗତକାଲି ରାତିରେ ଗୁଡ଼ସ୍ସେଡ୍ ରୋଡଠାରୁ ଆରମ୍ଭ କରି ଆଙ୍କୁଳି ଅଞ୍ଚଳ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଭ୍ରାଟ ଲାଗି ରହିଥିଲା।