କୋରାପୁଟ: କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି। କିନ୍ତୁ ହେଉଛି ୪ ହଜାର ହେକ୍ଟର ଜମିରେ। ଅନୁକୂଳ ପାଗ, ବ୍ୟାପକ ସୁବିଧା ସୁଯୋଗ ଓ ନିଆରା ସ୍ବାଦ ସତ୍ତ୍ବେ ବିଶ୍ବ ବଜାରରେ କୋରାପୁଟ କଫି ଆଗକୁ ବଢ଼ିପାରୁନି। କଫି ବୋର୍ଡ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରୋଡ୍ ମ୍ୟାପ୍‌ ତିଆରି କରି ବାହାର ରାଜ୍ୟର କଫି ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ୩ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ରାଜ୍ୟପାଳ କଫି ବୋର୍ଡରେ କଫି ଷ୍ଟଲ୍‌ ଓ ବଗିଚା ବୁଲି ଦେଖିବା ସହିତ ଚାଷୀ, ଏସ୍‌ଏଚ୍‌ଜି ମହିଳା ଓ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି, କୋରାପୁଟ ଜିଲ୍ଲା ଅନୁସୂଚିତ ଅଞ୍ଚଳରେ ଆସୁଥିବାରୁ ସରକାରୀ ଜମି ସାଧାରଣ ବର୍ଗ ଲୋକଙ୍କୁ ହସ୍ତାନ୍ତରରେ ସମସ୍ୟା ରହିଛି। ଘରୋଇ ଚାଷୀ ନିଜ ଜମିରେ କଫି ଚାଷ କରିବା ପାଇଁ କିପରି ଆକୃଷ୍ଟ ହେବେ ସେ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟପାଳ କହିଥିବା ସୂଚନା ଦେଇଛନ୍ତି କୋରାପୁଟ କେନ୍ଦ୍ରୀୟ କଫି ବୋର୍ଡର ସମ୍ପ୍ରସାରଣ ଅଧିକାରୀ ଉପେନ୍ଦ୍ର କୁମାର ସାହା। 

Advertisment

ସମ୍ଭାବନା ୪ଲକ୍ଷ ହେକ୍ଟର, ଚାଷ ୪ ହଜାର ହେକ୍ଟରରେ
ବାହାର ରାଜ୍ୟର ଚାଷୀଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦେଶ

କଫିବୋର୍ଡ ବୁଲିବା ପରେ କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସରେ ରାଜ୍ୟପାଳ ନାଲକୋ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧିକାରୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ସମ୍ପର୍କରେ ପଚାରି ବୁଝିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲା ମେଡିକାଲ କଲେଜ ଉପରେ ନିର୍ଭରଶୀଳ ଥିବାରୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଏକମାତ୍ର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ। ଅନ୍ୟପକ୍ଷରେ କୋଟସ୍‌ ଅଧିକାରୀ, ସିଡ୍‌ କୁଇନ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା, ମୁଦ୍ରା ହିତାଧିକାରୀ, ଭାରତୀୟ ରେଡକ୍ରସ ସୋସାଇଟି ଅଧିକାରୀ, ୱାଇଆର୍‌ସି, ଜେଆର୍‌ସି ସଭ୍ୟଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ। ଜିଲ୍ଲାରେ ଥାଲାସେମିୟା, ସିକିଲସେଲ ରୋଗୀ ଅଧିକ ଥିବାରୁ ରକ୍ତ ଅଧିକ ଆବଶ୍ୟକ ଥିବା ବେଳେ ସେହି ଅନୁଯାୟୀ ରକ୍ତ ସଂଗ୍ରହ ହୋଇପାରୁନଥିବା ସଦସ୍ୟମାନେ କହିଥିଲେ।

ସନ୍ଧ୍ୟାରେ ରାଜ୍ୟପାଳ ଶାବର ଶ୍ରୀକ୍ଷେତ୍ର ପରିଦର୍ଶନରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଏସ୍‌ପି ରୋହିତ ବର୍ମା, କେସିସି ବ୍ୟାଙ୍କ ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ଟିଡିସିସି ମ୍ୟାନେଜର୍‌ ଆଶୁତୋଷ ନନ୍ଦ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, କଫି ଚାଷୀ ସୁଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।