ଭୁବନେଶ୍ବର: ପ୍ରତିବର୍ଷ ବର୍ଷା ଋତୁରେ ଡ୍ରେନ୍‌ରେ ପଡ଼ି ଲୋକ ମରୁଥିବା ଅଭିଯୋଗ ଆସୁଥିବାରୁ ଚଳିତବର୍ଷ ଏହି ଘଟଣା ଯେପରି ନଘଟିବ ସେନେଇ ନଗର ଉନ୍ନୟନ ବିଭାଗ ଏବେଠୁ ସତର୍କ ହୋଇଯାଇଛି। ପ୍ରତିବର୍ଷ ଅପବାଦ ମୁଣ୍ଡାଉଥିବା ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଚଳିତବର୍ଷ ସମସ୍ତ ମହାନଗର ନିଗମର କମିସନର ଏବଂ ମ୍ୟୁନିସପାଲଟି ଓ ଏନ୍‌ଏସିର ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ବର୍ଷା ଋତୁରେ ସାଧାରଣ ଜନଜୀବନଙ୍କ ସୁରକ୍ଷା ଏବଂ ଦୁର୍ଘଟଣାମୁକ୍ତ ରାସ୍ତା ଓ ଡ୍ରେନ୍ ନେଇ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମୁଖ ଶାସନ ସଚିବ ସମସ୍ତ ପୌର ସଂସ୍ଥା ପାଇଁ ଏସ୍‌ଓପି ଜାରି କରିଛନ୍ତି। ଏବେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଯାଇଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ନିୟମିତ ବର୍ଷା ହେଉଛି। ତେଣୁ ଡ୍ରେନ୍‌ଗୁଡ଼ିକରେ ଯେପରି ଜାମ୍‌ ହେବନି ସେଥିପାଇଁ ଏହାକୁ ସଫା କରାଯାଉ। ଏହାସହ ସବୁ ଖୋଲା ଡ୍ରେନ୍‌ରେ ସ୍ଲାବ ପକାଇବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ‌ଜାଲି ଲଗାଇବା ସହ ବିପଦସଙ୍କୁଳ ବୋଲି ଲେଖାଯିବ।

Advertisment

ସେହିପରି ଯେଉଁଠି ଡ୍ରେନ୍‌ ଉପରେ ସ୍ଲାବ୍ ପଡ଼ିଛି ସେଠାରେ ଡ୍ରେନ୍‌ଗୁଡ଼ିକ ଭଲ ଅଛି ନା ନାହିଁ ତାକୁ ଯାଞ୍ଚ କରି ଭଙ୍ଗା ସ୍ଲାବ୍ ବଦଳାଇବାକୁ କୁହାଯାଇଛି। ଏହାସହ ବିଭିନ୍ନ ସହରାଞ୍ଚଳରେ ସ୍ଥାନୀୟ ପୌରସଂସ୍ଥା, ପୂର୍ତ୍ତ ବିଭାଗ, ଜଳସମ୍ପଦ ବିଭାଗ, ଇଡ୍‌କୋ, ଏନ୍‌ଏଚ୍‌ଏଆଇ ପ୍ରମୁଖ ବିଭାଗର ରାସ୍ତା ଓ ଡ୍ରେନ୍‌ ଥିବାରୁ ସେମାନେ ରାସ୍ତା ଓ ଡ୍ରେନ୍‌କୁ ଯାଞ୍ଚ କରିବା ସହ ଆବଶ୍ୟକୀୟ ସଫେଇ ଓ ମରାମତି କରିବାକୁ କୁହାଯାଇଛି। ଏନେଇ ସ୍ଥାନୀୟ ମେୟର/ପୌରାଧ୍ୟକ୍ଷମାନେ ସଂପୃକ୍ତ ସଂସ୍ଥାଗୁଡ଼ିକୁ ଚିଠି ଲେଖିବାକୁ କୁହାଯାଇଛି। ସଂପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ରାସ୍ତା ଓ ଡ୍ରେନ୍‌ର ଆବଶ୍ୟକୀୟ ମରାମତି କରିବେ। ଅପରପକ୍ଷେ ସବୁ ସଂସ୍ଥା ସେମାନଙ୍କ ଅଧୀନରେ ଥିବା ରାସ୍ତାର ଖାଲ ଓ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍ ପଡ଼ିଛି, ଅସୁରକ୍ଷିତ ସ୍ଥାନଗୁଡ଼ିକୁ ବନ୍ଦ କରାଯାଇଛି ବୋଲି ଜୁନ୍‌ ୩୦ ଭିତରେ ଲେଖିକି ପୌରସଂସ୍ଥାକୁ ଦେବେ। ଏହାପରେ ଉକ୍ତ ଅଞ୍ଚଳରେ କାମ ହୋଇଛି କି ନାହିଁ ତାହାକୁ ସ୍ଥାନୀୟ କର୍ପୋରେଟର/କାଉନସିଲରମାନେ ଯାଞ୍ଚ କରି ଜୁଲାଇ ୭ ମଧ୍ୟରେ ୱାର୍ଡ କମିଟିକୁ ରିପୋର୍ଟ ଦେବେ। ଏହାପରେ ଜୁଲାଇ ୧୦ ସୁଦ୍ଧା ସମସ୍ତ ରିପୋର୍ଟ ପୌରସଂସ୍ଥାଗୁଡ଼ିକ ନଗର ଉନ୍ନୟନ ବିଭାଗକୁ ପଠାଇବାକୁ କୁହାଯାଇଛି।