ଭୁବନେଶ୍ବର: ଓଡ଼ିଶାର ସଡ଼କ ପଥକୁ ଆମେରିକାର ଅତ୍ୟାଧୁନିକ ରାସ୍ତା ଭଳି ଚିକ୍ ଚିକ୍ କରିବାକୁ ସ୍ବପ୍ନ ଦେଖାଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ଓଡ଼ିଶାର ସଡ଼କ ପଥର ବିକାଶକୁ ନେଇ ଶ୍ରୀ ଗଡ଼କରୀ ବେଶ୍‌ ଉତ୍ସାହଜନକ ରୋଡ୍ ମ୍ୟାପ୍ ପ୍ରଦାନ କରିଛନ୍ତି। ହେଲେ ଓଡ଼ିଶାର ସଡ଼କ ପଥର ସ୍ଥିତି କେତେ ଗମ୍ଭୀର, କେତେ ଶୋଚନୀୟ ଗତ ୩ବର୍ଷର ସଡ଼କ ଦୁର୍ଘଟଣାର ପରିସଂଖ୍ୟାନରୁ ସ୍ପଷ୍ଟ। ସବୁ ମୁଖ୍ୟ ସଡ଼କ ପଥ ମରଣଯନ୍ତା ପାଲଟିଛି। ପ୍ରତି ବର୍ଷ ସଡ଼କ ଦୁର୍ଘଟଣା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ହେଲାଣି। ଗତ ୩ ବର୍ଷରେ ରାଜ୍ୟରେ ମୋଟ ୩୬, ୦୩୦ଟି ସଡ଼କ ଦୁର୍ଘଟଣାରେ ୧୭,୩୪୮ ଜଣଙ୍କର ଅକାଳମୃତ୍ୟୁ ହୋଇଛି। ୩୧,୪୪୧ ଜଣ ଆହତ ହୋଇଛନ୍ତି। ସଡ଼କ ଦୁର୍ଘଟଣାରେ ହଜାର ହଜାର ପରିବାର ଉଜୁଡ଼ିଯାଉଛି। ଗୋଟିଏ ଧାଡ଼ିରେ କହିଲେ, ଦୈନିକ ୧୭ଜଣଙ୍କର ମୃତ୍ୟୁ ସଡ଼କ ପଥରେ ହିଁ ଘଟୁଛି।

Advertisment

ସରକାରଙ୍କ ତଥ୍ୟ ଅନୁସାରେ, ୨୦୨୨ ମସିହାରେ ୧୧,୬୬୩ଟି ସଡ଼କ ଦୁର୍ଘଟଣାରେ ୫,୪୬୭ ଜଣଙ୍କର ଅକାଳମୃତ୍ୟୁ ହୋଇଥିଲା। ସେବର୍ଷ ୧୦,୩୦୨ ଜଣ ଆହତ ହୋଇଛନ୍ତି। ୨୦୨୩ ମସିହାରେ ୧୧,୯୯୨ଟି ଦୁର୍ଘଟଣାରେ ୫,୭୩୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦,୩୬୯ ଜଣ ଆହତ ହୋଇଛନ୍ତି। ସେହିପରି ଗତବର୍ଷ ୨୦୨୪ ମସିହାରେ ୧୨,୩୭୫ଟି ଦୁର୍ଘଟଣାରେ ୬,୧୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦,୭୭୦ ଜଣ ଆହତ ହୋଇଛନ୍ତି। ପ୍ରତି ବର୍ଷ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ସହିତ ଆହତ ଓ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଅଥଚ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସଭାସମିତି, ପ୍ରଚାର ପ୍ରସାରରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି। ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରହସନରେ ପରିଣତ ହୋଇଛି।

ଆମେରିକା ଭଳି ରାସ୍ତା ହେଲେ ଦୁର୍ଘଟଣା କମିବ!

ରାଜ୍ୟର ସଡ଼କ ଦୁର୍ଘଟଣା ପରିସଂଖ୍ୟାନ ଅନୁଯାୟୀ, ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୩ ବର୍ଷରେ ସର୍ବାଧିକ ଦୁର୍ଘଟଣା ଘଟିଛି। ୨୦୨୨ ମସିହାରେ ୧୦୦୧ଟି, ୨୦୨୩ରେ ୧୧୬୩ଟି ଓ ୨୦୨୪ ମସିହାରେ ୧୧୮୯ଟି ସଡ଼କ ଦୁର୍ଘଟଣା ହୋଇଛି। ସେଥିମଧ୍ୟରୁ ୨୦୨୨ ମସିହାରେ ୭୫୨ ଜଣ, ୨୦୨୩ରେ ୯୭୭ ଜଣ ଓ ୨୦୨୪ରେ ୧୦୩୧ ଜଣ ଆହତ ହୋଇଛନ୍ତି। ସେହିପରି ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲାରେ ୪୧୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୩ ମସିହାରେ ୪୪୯ ଜଣ ଓ ୨୦୨୪ ମସିହାରେ ସର୍ବାଧିକ ୫୨୨ ଜଣଙ୍କର ପ୍ରାଣ ଯାଇଛି। ରାଜ୍ୟରେ ଅବ୍ୟବସ୍ଥିତ ଟ୍ରାଫିକ୍‌ ବ୍ୟବସ୍ଥା ଓ ସଡ଼କ ସୁରକ୍ଷା ନିୟମ ପାଳନରେ ବିଫଳ ପାଇଁ ସଡ଼କ ଦୁର୍ଘଟଣା ଅଣାୟତ୍ତ ହୋଇଥିବା ଗୋଟିଏ ପକ୍ଷ କହୁଛନ୍ତି। ଅନ୍ୟପକ୍ଷ କିନ୍ତୁ ମତ ରଖୁଛନ୍ତି ଯେ ଦୁର୍ଘଟଣା ବୃଦ୍ଧିର ଅନେକ କାରଣ ମଧ୍ୟରୁ ସଡ଼କ ନିର୍ମାଣ ବି ଗୋଟିଏ। 

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଥିବା ଆର୍‌ଟିଓ ଓ ଟ୍ରାଫିକ୍‌ ଥାନା ଗୁଡିକର ସଡ଼କ ସୁରକ୍ଷା ପାଇଁ ସେପରି ଧ୍ୟାନ ନାହିଁ। ବେପରୁଆ ଗାଡ଼ି ଚାଳନା, ଅନ୍‌ଫିଟ୍ ଗାଡ଼ି, ବିନା ଲାଇସେନ୍ସରେ ଅଳ୍ପ ବୟସ୍କ ଛାତ୍ରଛାତ୍ରୀଙ୍କ ଗାଡ଼ି ଚାଳନା, ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାବ୍ୟତୀତ ମଦ୍ୟ ପାନ କରି ଗାଡ଼ି ଚାଳନା ଓ ରାସ୍ତା ପାର୍ଶ୍ୱରେ ବେଆଇନ ମଦ ବିକ୍ରି ସଡ଼କ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କ‌‌ଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସଡ଼କ ସୁରକ୍ଷା ଆଇନକୁ କଡ଼ାକଡ଼ି ପାଳନ ଓ ଟ୍ରାଫିକ ବ୍ୟବସ୍ଥାକୁ ସୁଧାର କରାଗଲେ ଦୁର୍ଘଟଣା ହ୍ରାସ ପାଇପାରିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।