ପୁରୀ : ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ସ୍ବପ୍ନ ଦେଖୁଛନ୍ତି। ବିକାଶର ନକ୍ସା ଆଙ୍କି ପୁରୀକୁ ଅଦ୍ବିତୀୟ କରି ଗଢ଼ି ତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ବିକାଶକ୍ରମେ ଉଚ୍ଛେଦ ସାଙ୍ଗକୁ ଅନ୍ୟାନ୍ୟ କାମ ବି ଆଗେଇ ଚାଲିଛି। ସରକାର ପର୍ଯ୍ୟାୟକ୍ରମେ ଶହ ଶହ କୋଟି ଟଙ୍କାର ପ୍ୟାକେଜ ବି ଘୋଷଣା କରୁଛନ୍ତି। ତଥାପି ବଦଳୁନି ଶ୍ରୀକ୍ଷେତ୍ରର ଚିତ୍ର। ରାସ୍ତାଘାଟର କଦର୍ଯ୍ୟ ଅବସ୍ଥା ପାଇଁ ଭକ୍ତ, ପର୍ଯ୍ୟଟକମାନେ ଏଠାରେ ଯାଆସ ବେଳେ ନର୍କଯନ୍ତ୍ରଣା ଭୋଗୁଛନ୍ତି। ଜୁଆଡ଼େ ଗଲେ ଖାଲଖମାରେ ଭର୍ତ୍ତି।
ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ପୁରୀ ପୌରସଂସ୍ଥା ଜିଲ୍ଲାପାଳଙ୍କ ଅଧୀନରେ ରହିଛି। ନିର୍ବାଚନ ହୋଇନଥିବାରୁ ଜିଲ୍ଲାପାଳ ହିଁ ପୌରସଂସ୍ଥାର ସର୍ବେସର୍ବା । ତଥାପି ଏଠାରେ ରାସ୍ତାଘାଟର ଅବସ୍ଥାରେ ଗୋଟାଏ କାଣିଚା ବି ପରିବର୍ତ୍ତନ ନଆସିବା ସହରବାସୀଙ୍କ ସହ ରାଜ୍ୟ ତଥା ଦେଶବିଦେଶରୁ ବୁଲି ଆସୁଥିବା ପର୍ଯ୍ୟଟକ ମନରେ ଏକ ନକରାତ୍ମକ ଭାବନା ଜାତ କରୁଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଯେଉଁ ବିଶ୍ବ ଐତିହ୍ୟ ସହରର ସ୍ବପ୍ନ ଦେଖିଛନ୍ତି, ତାହା ଅଧୁରା ରହିବା ଆଶଙ୍କା ଦେଖାଦେଇଛି। ବଡ଼ଦାଣ୍ଡ ସମେତ ଷ୍ଟେସନ ରୋଡ୍, ଘୋଡ଼ାବଜାର ରାସ୍ତା, ବେଳାମାର୍ଗ ପର୍ଯ୍ୟଟକଙ୍କ ଯାତାୟାତର ପ୍ରମୁଖ ରାସ୍ତା। ପୁରୀ ରେଳ ଷ୍ଟେସନରୁ ଓହ୍ଲାଇବା ପରେ ଘୋଡ଼ାବଜାର ରାସ୍ତା ଦେଇ ପର୍ଯ୍ୟଟକମାନେ ବେଳାଭୂମିକୁ ବୁଲିବାକୁ ଯାଆନ୍ତି। ସେପଟେ ରଥଯାତ୍ରା ସମୟରେ ଘୋଡ଼ାବଜାର ରାସ୍ତାକୁ ସଂଯୋଗ କରୁଥିବା ରାମ ମନ୍ଦିର ରାସ୍ତା ପ୍ରମୁଖ ଭୂମିକା ନିଭାଇଥାଏ। ତାଳବଣିଆଠାରେ ରଥଯାତ୍ରା ସମୟରେ ଗାଡ଼ିମୋଟର ପାର୍କିଂ କରି ରାମ ମନ୍ଦିର, ଘୋଡ଼ାବଜାର ରାସ୍ତା ଦେଇ ଭକ୍ତ, ପର୍ଯ୍ୟଟକମାନେ ଶ୍ରୀମନ୍ଦିର, ବେଳାଭୂମିକୁ ଯାଇଥାନ୍ତି। ତଥାପି ଏହି ରାସ୍ତା ଅବସ୍ଥା ନକହିବା ଭଲ। ଏକ କିଲୋମିଟରର ଏହି ରାସ୍ତାରେ ଶତାଧିକ ଗର୍ତ ସୃଷ୍ଟି ହୋଇଛି। ଯେଉଁଥି ପାଇଁ ପ୍ରତି ଦିନ ଛୋଟମୋଟ ଦୁର୍ଘଟଣା ବି ଘଟୁଛି। ସେପଟେ ଷ୍ଟେସନ କଡ଼ରେ ପୁରୀ ବସଷ୍ଟାଣ୍ଡକୁ ଏକ ପିଚୁ ରାସ୍ତା ସଂଯୋଗ କରୁଛି। ଏହି ରାସ୍ତା ଅବସ୍ଥା ନ କହିବା ଭଲ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖାଲଖମାରେ ଭର୍ତ୍ତି ହୋଇ ରହିଛି ଏହି ରାସ୍ତା। ସମାନ ଅବସ୍ଥା ବେଳାମାର୍ଗର। ଏହି ରାସ୍ତାକୁ ପ୍ରଶାସନ ବିକାଶ ନାଁରେ ଖୋଳିଦେଇ ଅଧାଗଢ଼ା ଅବସ୍ଥାରେ ପକାଇ ଦେଇଛି। ଯେଉଁଥିପାଇଁ ସାମାନ୍ୟ ବର୍ଷା ହେଲେ ପର୍ଯ୍ୟଟକଙ୍କ ଯାଆସ ଏକପ୍ରକାର ବନ୍ଦ ହୋଇଯାଉଛି।
ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗ ସହ ଜଡ଼ିତ ସ୍ବର୍ଗଦ୍ବାର ସମ୍ମୁଖ ରାସ୍ତା ନକହିବା ଭଲ। ସ୍ବର୍ଗଦ୍ବାର ଆଗରେ ନର୍ଦମାପାଣି ନିର୍ଗତ ହୋଇ ରାସ୍ତା ଭାସୁଛି। ରାସ୍ତାଘାଟ ବି ତଦୃପ। ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ଚାଳକଙ୍କ ପାଇଁ ରାସ୍ତାଟି ମରଣଯନ୍ତା ପାଲଟିଥିଲେ ବି ଆଜି ପର୍ଯ୍ୟନ୍ତ ପୌରସଂସ୍ଥାର ଏଥିପ୍ରତି ନଜର ପଡ଼ିନି। ସମାନ ଅବସ୍ଥା ସାହି ଗଳିକନ୍ଦିର। କାଳୀକା ଦେବୀସାହି ଦକ୍ଷିଣକାଳୀ ମନ୍ଦିରରେ ପ୍ରତି ଦିନ ଭକ୍ତଙ୍କ ଭିଡ଼ ଲାଗେ। ସବୁଠୁ ଅଧିକ ଭିଡ଼ ଶନିବାର ଓ ମଙ୍ଗଳବାରରେ ଦେଖିବାକୁ ମିଳେ। କିନ୍ତୁ ଏହି ସାହି ରାସ୍ତା ଅବସ୍ଥା ଯାହା ହୋଇଛି, ଗାଡ଼ି ତ’ ଦୂରର କଥା ପଥଚାରୀମାନେ ବି ଚାଲି ଗଲେ ପଡ଼ିଯିବାର ସମ୍ଭାବନା ରହିଛି। ଦତ୍ତତୋଟା ଅବସ୍ଥା ବି ସମାନ। ଏହା କେବଳ ଉଦାହରଣ ମାତ୍ର। ଯେଉଁଥିପାଇଁ ଭକ୍ତ ଓ ପର୍ଯ୍ୟଟକମାନେ ଯମଯନ୍ତ୍ରଣା ଭୋଗୁଛନ୍ତି। ଏଭଳି ସ୍ଥିତିରେ ବିଶ୍ବ ଐତିହ୍ୟ ସହର ସ୍ବପ୍ନ କିପରି ସାକାର ହେବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି।