ବାରିପଦା : ମୟୂରଭଞ୍ଜ ଜିଲ୍ଲା ଦେଇ ବାତ୍ୟା ୟାସ’ ଝାଡ଼ଖଣ୍ଡକୁ ଗତି କରିବା ସମୟରେ ମୟୂରଭଞ୍ଜର ଶେଷ ସୀମା ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାର ଯଶିପୁର, କୁସୁମୀ, ଶୁକୃଳି ଆଦି ବ୍ଲକ୍ରେ ପ୍ରବଳ ବର୍ଷା ହେବା ଫଳରେ କଣ୍ଟା, ଖଇରୀଭଣ୍ଡନ ଓ ବୈତରଣୀ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏଥିସହ ବିଭିନ୍ନ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇପଡିଛି।
ଜିଲ୍ଲା ଶିମିଳିପାଳରେ ଅତି ପ୍ରବଳ ବର୍ଷା ହେବାରୁ ଏଥିରୁ ବାହାରିଥିବା ୨ଟି ନଦୀର ଜଳସ୍ତର ବଢ଼ି ତଳିଆ ଅଞ୍ଚଳରେ ପାଣି ମାଡିଯାଇଛି। ଶକୃଳି ବ୍ଲକ୍ ଅନ୍ତର୍ଗତ ଖିଚିଂ-ଚଢ଼େଇଭୋଳକୁ ଯାଉଥିବା ରାସ୍ତା ବିଚ୍ଛିନ୍ନ ହୋଇପଡିଛି। ସେହିପରି ଖଇରିଭଣ୍ଡନ ନଦୀର ଜଳ ଚାଷ ଜମିରେ ମାଡି ଚାଷ ସମ୍ପୁର୍ଣ୍ଣ ନଷ୍ଟ କରିପକାଇଛି। ସେଠାରେ ନୂତନ ପୋଲ ନିର୍ମାଣ ଚାଲିଥିବା ବେଳେ କର୍ମଚାରୀମାନେ ନଦୀ ପାଖରେ ରହୁଥିଲେ। ହଠାତ ନଦୀବଢ଼ି ଆସିବାରୁ ସେମାନଙ୍କୁ ଏକ ସ୍କୁଲ ଘରକୁ ଆଣି ଥଇଥାନ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସେହିପରି ଚଢେଇଭୋଳ ନିକଟରେ ବୈତରଣୀ ଉଗ୍ରରୂପ ଧାରଣ କରିବା ସହ ତୁର୍ମୁଙ୍ଗା ଠାରେ ରାସ୍ତା ଉପରେ ୫ ଫୁଟର ପାଣି ଚାଲିଥିବାରୁ କେନ୍ଦୁଝର ଓ କରଞ୍ଜିଆ ଯଶିପୁର ରାସ୍ତା ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଛି। ଶିମିଳିପାଳ ଭିତରେ ଥିବା ଗୁଡୁଗୁଡିଆ, ଟିକରପଡା ଆଦି ସ୍ଥାନରେ ରାସ୍ତା ଓ ପୋଲ ଧୋଇଯାଇଛି। କ୍ଷୟକ୍ଷତିର ସଠିକ୍ ଆକଳନ ହୋଇପାରିନି। ଏବେ ବି ଉଦ୍ଧାର ଓ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପ୍ରାଥମିକ ଆକଳନ ଅନୁଯାୟୀ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ହଜାରରୁ ଅଧିକ ଘର, ୧୫୯ଟି ଗୁହାଳ ଭାଙ୍ଗିଯାଇଛି। ୫ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/road-damaged.jpg)