ପଥପାର୍ଶ୍ବ ବନୀକରଣ: ବହୁ କୋଟି ଖର୍ଚ୍ଚ, ଗୋଟିଏ ବି ଗଛ ବଞ୍ଚିନି

ବନ ବିଭାଗର ସଫେଇ: ମଲା କି ବଞ୍ଚିଲା ଆମର ଦାୟିତ୍ବ ନୁହେଁ

ଫୁଲବାଣୀ (ରଞ୍ଜନ ପ୍ରଧାନ): ଫୁଲବାଣୀ ବନଖଣ୍ଡରେ ପଥପାର୍ଶ୍ବ ବନୀକରଣ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ, ଗୋଟିଏ ହେଲେ ଗଛ ବଞ୍ଚିନାହିଁ। ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଫୁଲବାଣୀ ରେଞ୍ଜ୍‌ ଅଧୀନସ୍ଥ କଟ୍ରିଙ୍ଗିଆ ପଞ୍ଚାୟତର ପାଲ୍‌ଚିଠାରୁ ଗାଡ଼ିପଦର ପର୍ଯ୍ୟନ୍ତ ପଥପ୍ରାନ୍ତ ବନୀକରଣରେ ହୋଇଥିବା ଅନିୟମିତତା ଏହାର ଜ୍ବଳନ୍ତ ଉଦାହରଣ।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୬,୩୮,୬୧୮ ଟଙ୍କା ବ୍ୟୟ ଅଟକଳରେ ୬ ଆର୍‌କେଏମ୍‌ ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯାଇଥିଲା। ଫୁଲବାଣୀ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥବା ତଥ୍ୟ ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷରେ ଫୁଲବାଣୀ ବନଖଣ୍ଡ ଅଞ୍ଚଳରେ ମନରେଗା ଯୋଜନାରେ ୧୨୦୫ ହେକ୍ଟର ଜଙ୍ଗଲ ଜମିରେ ବୃକ୍ଷରୋପଣ ବାବଦକୁ ୧୬୯.୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୧୦ ଆର୍‌କେଏମ୍‌ (ପଥପ୍ରାନ୍ତ ବନୀକରଣ) ପାଇଁ ୭୭.୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦-୨୧ ବର୍ଷରେ କାମ୍ପା ପାଣ୍ଠିରୁ ୨୫୯୫ ହେକ୍ଟର ଜମିରେ ୩୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଆଇଜିସି ଯୋଜନାରେ ଫୁଲବାଣୀ ବନଖଣ୍ଡରେ ୧୪୦ ହେକ୍ଟର ଜମିରେ ୩୭.୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ୨୦୧୯-୨୦ ଆର୍ଥିକବର୍ଷରେ ମନରେଗା ଯୋଜନାରେ ୧୫୨ ହେକ୍ଟର ଜଙ୍ଗଲ ଜମିରେ ୮୦.୯୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୭୭ ଆର୍‌କେଏମ୍‌ (ପଥପ୍ରାନ୍ତ ବନୀକରଣ) ପାଇଁ ୩୬.୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ କାମ୍ପା ପାଣ୍ଠିରୁ ୮୭୦ ହେକ୍ଟର ଜଙ୍ଗଲ ଜମିରେ ବୃକ୍ଷରୋପଣ ବାବଦରେ ୧୭୩.୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୬୬୩.୭୫ ହେକ୍ଟର ଜଙ୍ଗଲ ଜମିରେ ବୃକ୍ଷରୋପଣ ବାବଦକୁ ୩୮.୯୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୬ ଆର୍‌କେଏମ୍‌ (ପଥପ୍ରାନ୍ତ ବନୀକରଣ) ପାଇଁ ୩୮.୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

୨୦୧୮-୧୯ ଆର୍ଥିକ ବର୍ଷରେ କାମ୍ପା ପାଣ୍ଠିରୁ ୫,୦୦୦ ହେକ୍ଟର ଜଙ୍ଗଲ ଜମ‌ିରେ ବୃକ୍ଷରୋପଣ ବାବଦରେ ୭୬୯.୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ମାତ୍ର; ଯେଉଁ ସ୍ଥାନରେ ଲାଗିଥିଲା, ସେଠାରେ ଗୋଟିଏ ହେଲେ ଗଛ ବଞ୍ଚିନାହିଁ। ରାସ୍ତା ପାର୍ଶ୍ବରେ ଚାରା ଗଛ ଲଗାଯିବା ସହିତ ତାର ଜାଲି ମଧ୍ୟ ଘେରାଉ କରା ଯାଇଥିଲା। ମାତ୍ର ୬ ମାସ ପରେ ସବୁତକ ଗଛ ସହିତ ତାରଜାଲି ମଧ୍ୟ ଧ୍ବଂସ ହୋଇ ଯାଇଛି। । ସିଧାସଳଖ ୬,୩୮,୬୧୮ ଟଙ୍କା ପାଣିରେ ପଡ଼ିବା ବେସରକାରୀ ଭାବେ ଆକଳନ କରାଯାଇଛି। ଏହିଭଳି ଏକ ଅବସ୍ଥାରେ ଫୁଲବାଣୀ ରେଞ୍ଜ୍‌ ଅଧିକାରୀ ସଚ୍ଚିଦାନନ୍ଦ ସେଠୀଙ୍କ ଉତ୍ତର ତାଜୁବ୍‌ କଲାଭଳି। ସେ କହିଛନ୍ତି, ପାଲ୍‌ଚି-ଗାଡ଼ିପଦର ପଥପ୍ରାନ୍ତ ବନୀକରଣ ଦୁଇ ବର୍ଷର ପୁରୁଣା ଯୋଜନା ହୋଇଥିବାରୁ ଗଛ ବଞ୍ଚିଲେ କି ମରିଲେ ତାହା ବନ ବିଭାଗର ଦାୟିତ୍ବ ପରିସରଭୁକ୍ତ ନୁହେଁ ବୋଲି କହିଥିଲେ।

ଅନ୍ୟପକ୍ଷରେ, ଫୁଲବାଣୀ ବନଖଣ୍ଡ ଅଧୀନରେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଆଇଜିସି (ଇନିକ୍ରିଜିଂ ଗ୍ରୀନ୍‌ କଭର ଷ୍ଟେଟ ପ୍ଲାଣ୍ଟେସନ) ଯୋଜନା ଅଧୀନରେ ବ୍ଲକ ପ୍ଲାଣ୍ଟେସନ ଯୋଜନାରେ ୩୦ ହେକ୍ଟର ଜମିରେ ବନୀକରଣ କରାଯାଇଛି ଏବଂ ଏ ବାବଦରେ ୨୪.୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାର ବ୍ୟୟ ବରାଦ ହୋଇଛି। ସେହିଭଳି ଟାଙ୍ଗରା ପାହାଡ଼ ବନୀକରଣ ଯୋଜନାରେ ୩୦ ହେକ୍ଟର ଜମିରେ ୫୭.୬୧ ଲକ୍ଷ ଟଙ୍କା, ଏଏନ୍‌ଆର ଗ୍ୟାପ୍‌ ପ୍ଲାଣ୍ଟେସନ ଯୋଜନାରେ ୨୦୦ ହେକ୍ଟର ଜମିରେ ୨୦.୩୩ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ସହରୀ ବନୀକରଣ ଯୋଜନାରେ ୯୫.୮୨ ଟଙ୍କା ବ୍ୟୟ ଅଟକଳରେ ମୋଟ ୨୦ ହଜାର ଚାରା ଗଛ ରୋପଣ କରାଯାଇଛି। କାମ୍ପା ପାଣ୍ଠିରୁ ବ୍ଲକ ପ୍ଲାଣ୍ଟେସନ ଯୋଜନାରେ ୩୦ ହେକ୍ଟର ଜମିରେ ୩୪.୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଘାସ ଚାଷ ଯୋଜନାରେ ୫ ହେକ୍ଟର ଜମିରେ ୫.୮୧ ଲକ୍ଷ ଟଙ୍କା, ଟାଙ୍ଗରା ପାହାଡ଼ ବନୀକରଣ ଯୋଜନାରେ ୧୦ ହେକ୍ଟର ଜମିରେ ୨୦.୧୬ ଲକ୍ଷ ଟଙ୍କା ଏବଂ ଏଏନ୍‌ଆର ଯୋଜନାରେ ୧୫୦୦ ହେକ୍ଟର ଜମିରେ ୩୦୧.୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାର ବ୍ୟୟ ଅଟକଳ ହୋଇଛି। ମୋଟ ଉପରେ ‌ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଫୁଲବାଣୀ ବନଖଣ୍ଡ ଅଧୀନରେ ମୋଟ ୫୬୦.୪୯ ଲକ୍ଷ (୫.୫ କୋଟି) ଟଙ୍କା ବ୍ୟୟ ବରାଦ ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଏହି ଟଙ୍କା ଖର୍ଚ୍ଚ ହେବ। ମାତ୍ର ଗଛଗୁଡ଼ିକ ବଞ୍ଚିବ କି ନାହିଁ ସେ ଗ୍ୟାରେଣ୍ଟି କିଏ ‌ଦେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର