ଜାତୀୟ ରାଜପଥ କଡ଼ରେ ଖୋଲିବ ଢାବା, ଗ୍ୟାରେଜ୍‌, ସ୍ପେୟାର ପାର୍ଟସ୍‌ ଦୋକାନ

ଭୁବନେଶ୍ବର : ତାଲା ବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସୁରୁଖୁରୁରେ ପରିବହନ ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି। ଏହି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଯାନଗୁଡ଼ିକ ଚଳପ୍ରଚଳ କରିବା ପାଇଁ କେତେକ ଆନୁଷଙ୍ଗିକ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ଆଖି ଆଗରେ ରଖି ରାଜ୍ୟର ଜାତୀୟ ରାଜପଥ କଡ଼ରେ ଥିବା ଢାବା, ଗ୍ୟାରେଜ୍‌(ଗାଡ଼ି ମରାମତି) ଓ ସ୍ପେୟାର ପାର୍ଟସ୍‌ ଦୋକାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

ପ୍ରତି ୨୦ କିଲୋମିଟର ବ୍ୟବଧାନରେ ଏହି ସବୁ ଦୋକାନ ଖୋଲିବା ନେଇ ପ୍ରଶାସନ ନିଶ୍ଚିତ କରିବାକୁ କୁହାଯାଇଛି। ତା’ ସହିତ ଏହି ଦୋକାନ ସବୁ ସହରଠାରୁ ଦୂରରେ ‌ଖୋଲିବାକୁ କୁହାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ସରକାରଙ୍କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନେ ଯୋଗାଣ ଅଧିକାରୀ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଜରିଆରେ ବ୍ୟବସାୟୀମାନଙ୍କୁ ସ୍ବୀକୃତି ଦେବେ ଓ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ନେବେ।

ଏହି ବ୍ୟବସ୍ଥା ଯେଭଳି ସହଜଲବ୍ଧ ହେବ ଏସ୍‌ପିମାନେ ସେ ବାବଦରେ ପୂର୍ଣ୍ଣ ସହଯୋଗ କରିବେ। କୌଣସି ଅତ୍ୟାବଶ୍ୟକ ଓ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା କିମ୍ବା ପରିବହନ ସାରି ଫେରୁଥିବା ଖାଲି ଗାଡ଼ିଗୁଡ଼ିକ ଯେଭଳି ବାଟରେ ଅଟକିବ ନାହିଁ ସେ ନେଇ ଏସ୍‌ପି ନିଶ୍ଚିତ କରିବେ। ପୁଲିସ କର୍ମଚାରୀ କୌଣସି ପରିସ୍ଥିତିରେ ଏହି ସବୁ ଗାଡ଼ିକୁ ଅଟକାଇବେ ନାହିଁ। ଯେହେତୁ ଏହିସବୁ ଗାଡ଼ି ଗୁଡ଼ିକ ପାଇଁ ସ୍ବତନ୍ତ୍ର ପାସ୍‌ ଆବଶ୍ୟକ ନାହିଁ ସେଥିପାଇଁ ପାସ୍‌ ଆଳରେ ଏମାନଙ୍କୁ ଅଟକାଇଲେ ଏସ୍‌ପି ଦାୟୀ ରହିବେ ବୋଲି ସ୍ପଷ୍ଟ କରାଯାଇଛି।

ସେହିଭଳି ଢାବାଗୁଡ଼ିକରେ ଯେଭଳି ଭିଡ଼ ନ ହୁଏ ତାହା ଉପରେ ମଧ୍ୟ ନଜର ରଖାଯିବ। ସାମାଜିକ ଦୂରତ୍ବ ସହ ହାତ ଧୁଆ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ପାଳନ ହେଉଥିବା ନିଶ୍ଚିତ କରାଯିବ। କେବଳ ମାଲବାହୀ ଯାନ ଛଡ଼ା ଅନ୍ୟ କୌଣସି ଗାଡ଼ି ଯେଭଳି ଏହି ସୁବିଧାର ଫାଇଦା ନ ନିଅନ୍ତି ତାହା ମଧ୍ୟ ନିଶ୍ଚିତ କରିବେ। ଏହି ସବୁ ବ୍ୟବସ୍ଥା ଉପରେ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥା ଜରିଆରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକ ଉପରେ କଟକଣା କରାଯାଇ ନ ଥିଲେ ମଧ୍ୟ ଅନେକ ଗାଡ଼ି ଆସୁ ନ ଥିଲେ। ଟ୍ରକ୍‌ ଚାଳକ ତଥା ଅନ୍ୟ କର୍ମଚାରୀ ଖାଇବା ପାଇଁ ବାଟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। କାରଣ ତାଲା ବନ୍ଦ ସମୟରେ ସମସ୍ତ ରେସ୍ତୋରାଁ ଓ ଢାବା ବନ୍ଦ ରହିଥିଲା। ସେହିଭଳି ଗାଡ଼ି ମରାମତି କରିବା ପାଇଁ ଗ୍ୟାରେଜ୍‌ ମଧ୍ୟ ବନ୍ଦ ରହିଥିଲା। ଫଳରେ ଗାଡ଼ି ଖରାପ ହେଲେ ମରାମତି ପାଇଁ ସୁଯୋଗ ନ ଥିଲା। ଏଣୁ ଟ୍ରକ୍‌ଚାଳକମାନେ ମାଲ୍‌ ଆଣି ଆସିବା ପାଇଁ ରାଜି ହେଉ ନ ଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଢାବା, ଗ୍ୟାରେଜ୍‌ ଓ ପାର୍ଟସ୍‌ ଦୋକାନ ପ୍ରଭୃତି ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରିବା ପାଇଁ ସରକାର ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର