ରାସ୍ତାକଡ଼ରେ ଚାଲିଲା ସରକାରୀ କାର୍ଯ୍ୟ: ଅଫିସରେ ନାହିଁ ନେଟ୍‌ୱର୍କ

ହିତାଧିକାରୀଙ୍କୁ ବଣ୍ଟା ହୋଇପାରିଲାନି ସହାୟତା ଅର୍ଥ

ଘୁ.ଉଦୟଗିରି: ଏବେ ସମସ୍ତ ସରକାରୀ କାର୍ଯ୍ୟ ଅନ୍‌ଲାଇନ୍‌ ଯୋଗେ କରାଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ନେଟୱର୍କ ସମସ୍ୟା ଯୋଗୁ ବହୁ ସମୟରେ ହଟହଟା ହେବାକୁ ପଡ଼ୁଛି। ଯାହାର ନମୁନା ଆଜି ପୁଣି ଦେଖିବାକୁ ମିଳିଛି। ଘୁ.ଉଦୟଗିରି ବ୍ଲକ୍‌ ରଟିଙ୍ଗିଆ ପଞ୍ଚାୟତରେ ରାସନକାର୍ଡଧାରୀଙ୍କୁ ଦୁଇଟି ଝୋଟ ବ୍ୟାଗ ସହ ଏକ ହଜାର ଟଙ୍କା ପ୍ରଦାନ ନିମନ୍ତେ ସରକାରୀ କର୍ମଚାରୀ ନୟାନ୍ତ ହୋଇଛନ୍ତି। ନେଟୱର୍କ ସମସ୍ୟା ଯୋଗୁଁ ସରକାରୀ କର୍ମଚାରୀ ଗାଁ ସାରା ବୁଲି କୋଣବାଡ଼ ଖୋଜିଥିଲେ। କେଉଁଠି ନେଟୱର୍କର ଟାୱାର ଆସୁଛି ମୋବାଇଲ ଧରି ଘୂରି ବୁଲିଥିଲେ। ଶେଷରେ ରଟିଙ୍ଗିଆ ଛକରେ ଏକ ରାସ୍ତାକଡ଼ରେ ନେଟୱର୍କ ଆସୁଥିବା ଦେଖି ସେହି ସ୍ଥାନକୁ ନିଜ କାଗଜପତ୍ର, ଟେବୁଲ ଚେୟାର ବୋହି ଚାଲିଲେ। ସେଠାରେ ଯୋଗାଣ ବିଭାଗ କର୍ମଚାରୀ ନିଜ କାମ ଆରମ୍ଭ କଲେ। ତଥାପି ନେଟୱର୍କ ସମସ୍ୟା ରହିଥିଲା। କିଛି ଘଣ୍ଟା ଭିତରେ ମାତ୍ର ୨୦ରୁ୨୫ଜଣ ରାସନକାର୍ଡଧାରୀଙ୍କୁ ଏକହଜାର ଟଙ୍କା ଲେଖାଏଁ ପ୍ରଦାନ କରାଗଲା। ପୁଣି ଅଧାରେ ନେଟୱର୍କ ସମସ୍ୟା ଦେଖାଦେବାରୁ ଟଙ୍କା ଦେବା ବନ୍ଦ କରି ଯୋଗାଣ ବିଭାଗ କର୍ମଚାରୀ କାର୍ଡଧାରୀଙ୍କୁ ବ୍ଲକକୁ ଆସି ନିଜ ନିଜ ପ୍ରାପ୍ୟ ନେବାକୁ କହିଥିଲେ। ଏଥିରେ ନିଜ କାମଧନ୍ଦା ଛାଡି ଲାଇନ୍‌ରେ ଅପେକ୍ଷା କରିଥିବା ଶତାଧିକ ହିତାଧିକାରୀ କ୍ଷୁବ୍‌ଧ ହେବା ସହ ଅସନ୍ତୋଷ ପ୍ରକାଶ କରିଥିଲେ।

ଅନ୍ୟପଟେରେ ରଟିଙ୍ଗିଆ ଗ୍ରାମରେ ଦୀର୍ଘଦିନ ହେଲା ମୋବାଇଲ ନେଟୱାର୍କ ସମସ୍ୟା ଲାଗିରହିଥିବା ବେଳେ ଅଞ୍ଚଳବାସୀ ଏହି ସମସ୍ୟାର ସମାଧାନ ନିମନ୍ତେ ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଜି ପୁଣି ନେଟୱର୍କ ସମସ୍ୟା କାରଣରୁ ହିତାଧିକାରୀ ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ହେବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରଟିଙ୍ଗିଆରେ ମୋବାଇଲ ନେଟୱାର୍କ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର