ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ବନଖଣ୍ଡ ହେମଗିର ଗର୍ଜନପାହାଡ଼ ଧନୁବାଉଁଶ ସଂରକ୍ଷିତ ଜଙ୍ଗଲରେ ପୁଣି କଳା ବାଘ (ବ୍ଲାକ୍‌ ପାନ୍ଥର) ଦେଖିବାକୁ ମିଳିଥିବା ନେଇ ଚର୍ଚ୍ଚା ହେଉଛି। ଜଙ୍ଗଲକୁ ପାହାଡ଼ ସନ୍ନିକଟ ଗାଁର କିଛିଲୋ‌କ କଳାବାଘକୁ ଦେଖିଥିବା କହିଛନ୍ତି। ତେବେ ଏ ସମ୍ପର୍କରେ ସୁନ୍ଦରଗଡ଼ ବନ ବିଭାଗ ସ୍ପଷ୍ଟ କରିନାହିଁ।

Advertisment

ଗତ ୨୦୨୩ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶା ଜଙ୍ଗଲରେ ଗୋଟିଏ ମେଲାନିଷ୍ଟିକ ଟାଇଗର ବା କଳାବାଘ ଦେଖାଯାଇଥିବା ନେଇ ରାଜ୍ୟ ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା। ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ସୁଶାନ୍ତ ନନ୍ଦ ନିଜ ଏକ୍ସ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ, ତା’ର ଅବସ୍ଥିତି ସ୍ଥଳ ବା ଠିକଣାକୁ ଗୋପନ ରଖିଥିଲେ। ଏବେ ହେମଗିର ଜଙ୍ଗଲରେ ଲୋକେ ଦେଖିଥିବା କଳାବାଘ ୩ ମାସ ତଳେ ରାଜ୍ୟ ବନ ବିଭାଗ ଠାବ କରିଥିବା ବାଘ ନୁହେଁ ତ ବୋଲି ଚର୍ଚ୍ଚା ହେଲାଣି। ଯଦି ଏଥିରେ ସତ୍ୟତା ଥାଏ, ତେ‌ବେ ଓଡ଼ିଶା ବନ ବିଭାଗ ପାଇଁ ଏହା ଏକ ବିରଳ ଉପଲବ୍ଧି ହେବ ବୋଲି କହାଯାଇପା‌ରେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବନାଞ୍ଚଳ ଗର୍ଜନପାହାଡ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରାରେ ଓଡ଼ିଶାର ପ୍ରଥମ କଳାବାଘ ନଜରକୁ ଆସିଥିଲା। ସେତେବେଳେ ବନବିଭାଗ ବେଶ୍‌ ଉତ୍ସାହର ସହ ବାଘର ଅବସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲା। ୨୦୨୦ରେ ସେହି କଳାବାଘ ୨ଟି ଛୁଆ ଜନ୍ମକରି ଜଙ୍ଗଲରେ ବୁଲୁଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ, ତାହା ସ୍ପଷ୍ଟ ହୋଇ ନଥିଲା। ପରବର୍ତ୍ତୀ ସମୟରେ ରାଜ୍ୟର ଏହି ବିରଳ ବନ୍ୟପ୍ରାଣୀ କୁଆଡ଼େ ଗାଏବ ହୋଇଗଲା। ବନ ବିଭାଗ କି କୌଣସି ଗାଁ ଲୋକଙ୍କ ନଜରକୁ ଆଉ କଳା ବାଘ ନଆସିବାରୁ ହେମଗିର ଜଙ୍ଗଲରୁ ଅନ୍ୟତ୍ର ଚାଲି ଯାଇଥିବା ବା କୌଣସି ଶିକାରୀ ହାତରେ ପଡ଼ିଥିବା ଚର୍ଚ୍ଚା ହୋଇଥିଲା। ହେମଗିର ଓ ଗୋପାଳପୁର ବନାଞ୍ଚଳକୁ ନେଇ ଗର୍ଜନପାହାଡ଼, ଧନୁବାଉଁଶ ସଂରକ୍ଷିତ ଜଙ୍ଗଲରେ ଓଡ଼ିଶାରୁ ବିଲୁପ୍ତପ୍ରାୟ ତଥା ଓଡ଼ିଶାର ଅନ୍ୟ କୌଣସି ଜଙ୍ଗଲରେ ଦେଖାଯାଉ ନଥିବା ଅନେକ ପ୍ରକାରର ବନ୍ୟପ୍ରାଣୀ ରହିଛନ୍ତି। ଏସ୍ଥିତିରେ ୫ ବର୍ଷ ପ‌ରେ ଏ ସଂରକ୍ଷିତ ଜଙ୍ଗଲରେ ପୁଣି କଳାବାଘ ଲୋକଙ୍କ ନଜରରେ ପଡ଼ିବା ପରିବେଶ ଓ ବନ୍ୟପ୍ରାଣୀପ୍ରେମୀଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି।