ରାଉରକେଲା: ମୁମ୍ବାଇ-ହାୱଡା ମୁଖ୍ୟ ରେଳଲାଇନ୍‌ (ରାଉରକେଲା-କଲୁଙ୍ଗା-ବନ୍ଧମୁଣ୍ଡା) ମଧ୍ୟରେ ପ୍ରସ୍ତାବିତ ୮ ରେଳ ଓଭର ବ୍ରିଜ୍‌ (ଆର୍‌ଓବି)ରୁ ଶେଷ ହୋଇଛି ମାତ୍ର ୩ଟି। ତା’ ପୁଣି ୧୭ ବର୍ଷ ମଧ୍ୟରେ ସମ୍ଭବପର ହୋଇଛି। ଏଗୁଡ଼ିକ ମଧ୍ୟରେ ରହିଛି ବାସନ୍ତୀ କଲୋନି, ଏସ୍‌ଟିଆଇ ଓ ଆଇଟିଆଇ। ବନ୍ଧମୁଣ୍ଡା କୁକୁଡାଗେଟ୍‌, ଆଇଡିସି କଲୁଙ୍ଗା (୧) ଓ କଲୁଙ୍ଗା (୨) ବହୁ ବାଦବିବାଦ ମଧ୍ୟରେ ନିର୍ମାଣ କାମ ଚାଲିଛି। ଜାଗାବିବାଦରୁ ମାଲଗୋଦାମ ଓ କଲୁଙ୍ଗା (୩) ଅଦ୍ୟାବଧି ଟେଣ୍ଡର ହୋଇ ନାହିଁ। କେବେ ନିର୍ମାଣ ହେବ, କାହାରି ଉପରେ ସଠିକ୍‌ ଉତ୍ତର ନାହିଁ। ପ୍ରାୟ ୪୪ କ‌ୋଟି ବ୍ୟୟରେ ନିର୍ମାଣାଧୀନ ବନ୍ଧମୁଣ୍ଡା କୁକୁଡା ଗେଟ୍‌ ଆର୍‌ଓବି କଚ୍ଛପ ଗତିରେ ଚାଲିଛି।

Advertisment

ଗତ ୨୦୨୧ ମାର୍ଚ୍ଚ ୧୭ରୁ ନିର୍ମାଣ କାମ ଆରମ୍ଭ ହୋଇଛି। ଗତ ୨୦୨୩ ସେପ୍ଟେମ୍ବର ୧୬ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଠି ବି ଜାଗା ବିବାଦରୁ କାମ କଚ୍ଛପ ଗତିରେ ଚାଲିଛି। ତିନି ବର୍ଷ ମଧ୍ୟରେ କେବଳ ବିଶ୍ରା ପଟୁ କେତୋଟି ପିଲାର ନିର୍ମାଣ ହୋଇଛି। ବନ୍ଧମୁଣ୍ଡା ଓ ରେଳ ଲାଇନ୍ ଉପରେ ଇଟା ଖଣ୍ଡିଏ ବି ପଡ଼ିନି। ଯେମିତି କାମ ଚାଲିଛି, ଆଗାମୀ ୨୦୨୫ ସୁଦ୍ଧା ସରିବ କି ନାହିଁ, କହିବା ମୁସ୍କିଲ୍‌। ସମାନ ସ୍ଥିତି ଉପୁଜିଛି ଆଇଡିସି କଲୁଙ୍ଗା (୧) ଓ କଲୁଙ୍ଗା (୨)ରେ। ପ୍ରାୟ ୧୬ କୋଟି ଟଙ୍କା ଲେଖାଏଁ ବ୍ୟୟରେ ନିର୍ମାଣାଧୀନ ଆର୍‌ଓବିର କାମ ଧିମେଇ ଚାଲିଛି।

ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କଲୁଙ୍ଗା (୩) ଆର୍‌ଓବି ଅଦ୍ୟାବଧି ଟେଣ୍ଡର ହୋଇ ନାହିଁ। ସହରର ସବୁଠୁ ଅଧିକ ଟ୍ରାଫିକ୍‌ ସମସ୍ୟା ଉପୁଜିଥିବା ମାଲଗୋଦାମ ଆର୍‌ଓବି ଜାଗା ବିବାଦରେ ଅଟକଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୩୦୦ ପରିବାରକୁ ଖାଲି କରିବାକୁ ଆକଳନ କରାଯାଇଛି। ଯେ ପର୍ଯ୍ୟନ୍ତ ଚିହ୍ନଟ ବସ୍ତିର ଘରଗୁଡ଼ିକୁ ଉଚ୍ଛେଦ କରା ନଯାଇଛି, ସେ ପର୍ଯ୍ୟନ୍ତ ଆର୍‌ଓବି ନିର୍ମାଣ ହେବାର ପ୍ରଶ୍ନ ଉଠୁନି। ଆର୍‌ଓବି ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ବନ୍ଧମୁଣ୍ଡା କୁକୁଡା ଗେଟ୍‌, ମାଲଗୋଦାମ ଓ ଶିଳ୍ପାଞ୍ଚଳ କଲୁଙ୍ଗାରେ ନାହିଁ ନଥିବା ଟ୍ରାଫିକ୍‌ ସମସ୍ୟା ଉପୁଜିଛି। କାରଣ ପ୍ରତ୍ୟେକ ଦିନ ହାୱଡା-ମୁମ୍ବାଇ ରେଳ ଲାଇନ୍‌ରେ ୧୨୦ରୁ ଅଧିକ ଏକ୍ସପ୍ରେସ୍‌, ପାସେଞ୍ଜର ଟ୍ରେନ ସହ ମାଲ ଗାଡି ଯାତାୟାତ କରୁଛି।

ଏହି ସବୁ ଗେଟ୍‌ ଘଣ୍ଟା ଘଣ୍ଟା ଧରି ବନ୍ଦ ରହୁଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ‌ ହେବାକୁ ପଡୁଛି। ସ୍ମାର୍ଟସିଟିର ଗୁରୁତ୍ବକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ଏଡାଇବାକୁ ପ୍ରସ୍ତାବିତ ଓ ଚାଲିଥିବା ଆର୍‌ଓବିକୁ ପ୍ରାଥମିକତା ଭିତ୍ତି ସାରିବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ବେଳେ ରିଂ ରୋଡର ଦୁଇ ପାର୍ଶ୍ବରେ ଦୁଇଟି ଆର୍‌ଓବି ନିର୍ମାଣ ହୋଇଥିଲା। ୨୦୦୮ରେ ବାସନ୍ତୀ କଲୋନି ଆର୍‌ଓବି ନିର୍ମାଣ ଆରମ୍ଭ ହୋଇଥିଲା। ୫ ବର୍ଷ ପରେ ଅର୍ଥାତ୍‌ ୨୦୧୩ରେ ‌ଶେଷ ହୋଇଥିଲା। ପ୍ରାୟ ୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ଏସ୍‌ଟିଆଇ ଆର୍‌ଓବି ୨୦୧୯ ମାର୍ଚ୍ଚ ୧ରେ ଲୋକାର୍ପିତ ହୋଇଥିଲା। ସେମିତି ୪୩ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ସରକାରୀ ଆଇଟିଆଇ ଆର୍‌ଓବି ୨୦୧୨ ଫେବ୍ରୁଆରି ୧୬ରେ ଲୋକାର୍ପିତ ହୋଇଥିଲା।