ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ମାଟିଆସାହି ଛକ ନିକଟରେ ଆଜି ସଂଧ୍ୟାରେ ୩ଜଣ ପିସ୍ତଲଧାରୀ ଦୁର୍ବୃତ୍ତ ଫାଙ୍କା ଗୁଳି ଚଳାଇ ବାଇକ୍‌ରେ ଯାଉଥିବା ଏକ ଦମ୍ପତିଙ୍କ ଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ସୂଚନା ଅନୁସାରେ, କବିସୂର୍ଯ୍ୟନଗର ବ୍ଲକ୍‌ ନିମୁଣ୍ଡିଆ ଗ୍ରାମର ବିଷ୍ଣୁପ୍ରସାଦ ବାଡ଼ତ୍ୟା ଏକ ବାଇକ୍‌ରେ ପତ୍ନୀ ଓ ପୁଅକୁ ଧରି ଖଲ୍ଲିକୋଟ ଥାନା ସିଧାପଲ୍ଲୀ ଗ୍ରାମସ୍ଥିତ ଶ୍ବଶୁର ଘରକୁ ଆସୁଥିଲେ। ସଂଧ୍ୟାରେ ସେମାନେ ମାଟିଆ ସାହି ଛକ ଦେଇ ଆସୁଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ହଠାତ୍‌ ସେମାନଙ୍କ ଆଗରେ ରହିଥିଲେ। ଦମ୍ପତି କିଛି ବୁଝିବା ପୂର୍ବରୁ ଜଣେ ଦୁର୍ବୃତ୍ତ ବିଷ୍ଣୁଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଦେଇଥିଲା।

Advertisment

ଅନ୍ୟ ଜଣେ ଦୁର୍ବୃତ୍ତ ବିଷ୍ଣୁଙ୍କ ପତ୍ନୀ ପିନ୍ଧିଥିବା ମଙ୍ଗଳସୂତ୍ର ଓ ହାର ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ଏଥିରେ ସେ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ତାହା ଛିଣ୍ଡି ଯାଇଥିଲା। ଏହା ଦେଖି ବିଷ୍ଣୁଙ୍କ ମୁଣ୍ଡରେ ପିସ୍ତଲ ଲଗାଇଥିବା ଯୁବକ ଜଣକ ଏକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲା। ଧସ୍ତାଧସ୍ତି ସମୟରେ ହାର ଓ ମଙ୍ଗଳସୂତ୍ର ଛିଣ୍ଡି ଯାଇଥିବା ବେଳେ ଅଧା ଦୁର୍ବୃତ୍ତମାନେ ନେଇ ଯାଇ ସେଠାରୁ ଦ୍ରୁତଗତିରେ ଚମ୍ପଟ ମାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଧସ୍ତାଧସ୍ତି ସ୍ଥଳରୁ ଏକ ଖୋକା ଜବତ ହୋଇଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ପୁଲିସ ଯାଞ୍ଚ କରୁଛି। ଏକ ସ୍ଥାନରୁ ମିଳିଥିବା ଫୁଟେଜ୍‌ରୁ ଦୁର୍ବୃତ୍ତଙ୍କ ଫଟୋ ମିଳିଛି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।