ଝରକା ତାଡ଼ି ଲୁଟିଲେ ବ୍ୟାଙ୍କ

ଗାନ୍ଧିଛକ/ବସ୍ତା/ବସ୍ତା-୨: ସିଂଲା ଥାନା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, କାଣ୍ଡଗାଁ ଶାଖାରୁ ପୁଣି ଲୁଟ୍‌ ହୋଇଛି। ସୂଚନା ଅନୁସାରେ; ଗତକାଲି ରାତିରେ ଦୁର୍ବୃତ୍ତମାନେ‌ ବ୍ୟାଙ୍କର ପଛପଟ ଝରକା ତାଡ଼ି ଭିତରକୁ ପଶି ଟ୍ରଙ୍କ୍‌ ଭାଙ୍ଗି ଟଙ୍କା ଲୁଟ୍‌ କରିଥିଲେ। ଆଜି ବ୍ୟାଙ୍କ ଖୋଲିଲା ବେଳକୁ ଟ୍ରଙ୍କ ଭଙ୍ଗା ହୋଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ ମ୍ୟାନେଜରଙ୍କଠାରୁ ଖବର ପାଇ ସିଂଲା ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ଓ ଏସ୍‌ଡିପିଓ ଜଳନ୍ଧର ଜାଲି ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରିଛନ୍ତି। ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ମଧ୍ୟ ସଂଗ୍ରହ କରାଯାଇଛି। ଏ ନେଇ ବ୍ୟାଙ୍କ ପକ୍ଷରୁ ସିଂଲା ଥାନାରେ ଏତଲା ଦିଆଯାଇଥିବାବେଳେ ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟିଛନ୍ତି, ସେ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନାଥାଉକି, ସିଂଲା ଅଞ୍ଚଳରେ ବାରମ୍ବାର ବ୍ୟାଙ୍କ ଲୁଟ୍‌ ହେଉଛି। ଗଲା କିଛି ବର୍ଷ ମଧ୍ୟରେ ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କରୁ ୬ ଥର  ଲୁଟ୍‌ ହୋଇଥିବା ବେଳେ ଷ୍ଟେଟ୍‌ ବ୍ୟାଙ୍କ୍, କାଣ୍ଡଗାଁ ଶାଖାରୁ ୨ ଥର ଓ ଏହାର ଏଟିଏମ୍‌ରୁ ଥରେ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାରେ ଛିଦ୍ର ହେଉ ବା ପୁଲିସର ଅପାରଗତା କାରଣରୁ ହେଉ; ଦୁର୍ବୃତ୍ତମାନେ ବ୍ୟାଙ୍କକୁ ବାରମ୍ବାର ଟାର୍ଗେଟ୍‌ କରୁଥିବାରୁ ସରକାରୀ ଅନୁଷ୍ଠାନର ଧନସଂପତ୍ତି ଓ ଜନସାଧାରଣଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର