ପୁରୀ/କଣାସ: ଯାତ୍ରୀବାହୀ ବସ୍‌ରେ ଚଢ଼ି ଆଖିବୁଜା କଟୁରି ବୁଲାଇଛି ଯୁବକ। ଏଥିରେ ୬ଯାତ୍ରୀ ଲହୁଲୁହାଣ ହୋଇଛନ୍ତି। ଅତର୍କିତ ଆକ୍ରମଣରେ ବସ୍‌ରେ ଥିବା ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଭୟଭୀତ ହୋଇ ଝରକା ବାଟେ ବାହାରିଯିବା ପାଇଁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ହୋଇଛି। ଏଥିରେ ମଧ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଝରକାବାଟେ ବାହାରି ଜୀବନ ବଞ୍ଚାଇବାକୁ ଯାଇ ଜଣେ ଖସି ପଡ଼ିବାରୁ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଲକ୍ଷ୍ମୀ ବସ୍‌ରେ ଗଡ଼ିଶାଗୋଦା-କଣାସ ରାସ୍ତାର ବିନ୍ଧଣ ଛକରେ ଘଟିଛି। ଦୁଇଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନେ ହେଉଛନ୍ତି ଖଣ୍ଡହତା ଗ୍ରାମର ଶ୍ୟାମ ପରିଡ଼ା, ହରିପୁର ଗ୍ରାମର ନକୁଳ ପ୍ରଧାନ, ଆଳି ଗ୍ରାମର ସୁଶୀଲ ପରିଡ଼ା। ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀ ବସ୍‌ ଭିତରେ ଥିବା ବେଳେ ଯାତ୍ରୀମାନେ ବାହାରେ ଥାଇ ଟେକାପଥରମାଡ଼ କରିବାରୁ ବସ୍‌ ବି ଭାଙ୍ଗିରୁଜି ଯିବା ସହ ଆକ୍ରମଣକାରୀ ଆହତ ହୋଇଛି। କଣାସ ଥାନା ପୁଲିସ ଅଭିଯୁକ୍ତକୁ କାବୁ କରି ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି। ଅଭିଯୁକ୍ତକୁ କାବୁକଲା ବେଳେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି, ବିନ୍ଧଣ ଗ୍ରାମର ଜଣେ ମହିଳା, କଣାସ ଥାନାର ଜଣେ ଅଧିକାରୀ ଆହତ ହୋଇଛନ୍ତି। ବସ୍‌ ଭିତରେ ଏହି ଅତର୍କିତ ଆକ୍ରମଣର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। 

Advertisment

ଗଡ଼ିଶାଗଦାର ହରସପଡ଼ାରୁ ଲକ୍ଷ୍ମୀ ବସ୍ ଯାଉଥିଲା କଣାସ। ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ସତ୍ୟବାଦୀ ଥାନା ଅଧୀନ ସୁକଳ ବ୍ରାହ୍ମଣପଡ଼ା ତପନ ଭୋଇ ବିନ୍ଧଣ ଛକରେ ବସ୍‌କୁ ହାତ ଦେଖାଇ ଅଟକାଇବା ସହ ବସ୍‌ରେ ଚଢ଼ିଥିଲା। ଜଣେ ଯାତ୍ରୀଙ୍କ ଉପରେ ଚଢ଼ି ଯିବାରୁ ସେ ପ୍ରତିବାଦ କରିଥିଲେ। ଜଣେ ମହିଳାଙ୍କ ଉପରେ ମଧ୍ୟ ପଡ଼ିଯିବାରୁ ସେ ବିରକ୍ତ ହୋଇଥିଲେ। ତପନ ଉଭୟଙ୍କୁ ଗାଳିଗୁଲଜ କରିବା ସହ ବ୍ୟାଗ୍‌ରେ ରଖିଥିବା କଟୁରି ବାହାର କରି ଆକ୍ରମଣ କରିଥିଲେ। ପ୍ରଥମେ ଶ୍ୟାମ ପରିଡ଼ାଙ୍କୁ ଚୋଟେ ପକାଇବା ପରେ ଅନ୍ୟ ଯାତ୍ରୀମାନେ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ହେଲେ ଯିଏ ତାଙ୍କୁ ଧରିବାକୁ ଆସିଥିଲା, ସେ କଟୁରି ଚୋଟର ଶିକାର ହୋଇଥିଲା। ନକୁଳଙ୍କ ମୁଣ୍ଡରେ, ସୁଶୀଲଙ୍କ ହାତରେ ଚୋଟ ବାଜିଥିଲା। ଉଭୟ ଚିତ୍କାର କରିବାରୁ ଅନ୍ୟମାନେ ଝରକା ଦେଇ ବାହାରିବାକୁ ଉଦ୍ୟମ କରିଥିଲେ। ଏକ ସମୟରେ ସମସ୍ତେ ବାହାରିବାକୁ ଉଦ୍ୟମ କରିବାରୁ ଦଳାଚକଟା ସ୍ଥିତି ହୋଇଥିଲା। 

ଡ୍ରାଇଭର ବସ୍ ଅଟକାଇବା ପରେ ଯାତ୍ରୀମାନେ ଓହ୍ଲାଇପଡ଼ିଥିଲେ। ବସ୍ ଖାଲି ହୋଇଯିବା ପରେ ଏକମାତ୍ର ଅଭିଯୁକ୍ତ ଭିତରେ ରହିଯାଇଥିଲା। ଲୋକମାନେ ବସ୍‌ ଭିତରକୁ ଟେକାପଥର ମାଡ଼ କରିଥିଲେ। ଏହାପରେ ଡ୍ରାଇଭର ଓ ଲୋକମାନେ କାବୁ କରିବା ସହ ପ୍ରବଳ ମାଡ଼ ମାରିଥିଲେ। ଖବରପାଇ କଣାସ ଓ ଗଡ଼ିଶାଗୋଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୁକ୍ତ ତପନ ପୁଲିସକୁ ମଧ୍ୟ ଆକ୍ରମଣ କରିଥିଲା। ଏସ୍‌ପି ପ୍ରତୀକ ସିଂ କହିଛନ୍ତି ସଂଗ୍ରାମ କିଶୋର ପଲେଇଙ୍କ ଅଭିଯୋଗ କ୍ରମେ ଗଡ଼ିଶାଗୋଦା ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ ଚାଲିଛି। ମାନସିକ ବିକୃତ ବୋଲି ଲୋକ କହୁଛନ୍ତି। କିନ୍ତୁ ତାର ଚିକିତ୍ସା ପରେ ସବୁ ସ୍ପଷ୍ଟ ହେବ।