କେନ୍ଦ୍ରାପଡ଼ା: ଏନ୍‌କାଉଣ୍ଟର୍‌ ପରେ ଧରାପଡ଼ିଲା କୁଖ୍ୟାତ ଅପରାଧୀ

କେନ୍ଦ୍ରାପଡ଼ା: ଶୁକ୍ରବାର ରାତିରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ସାମ୍ନାରେ ଏନ୍‌କାଉଣ୍ଟର୍‌ କରାଯାଇ ଜଣେ କୁଖ୍ୟାତ ଅପରାଧୀକୁ ଧରାଯାଇଛି।

ପୁଲିସ ଗୁଳିରେ ଆହତ ଅପରାଧୀ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜୁଣ ଗାଁ’ର ହୃଷୀକେଶ ମଳିକ।

ପୁଲିସ କହିବା ଅନୁସାରେ, ୪ ଜଣ କୁଖ୍ୟାତ ଅପରାଧୀ ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମରୁ ଡକାୟତି କରିବା ପରେ କାର୍‌ ଯୋଗେ କଟକ-ଚାନ୍ଦବାଲି ରାସ୍ତା ଦେଇ ପଟ୍ଟାମୁଣ୍ଡାଇ ଆଡ଼କୁ ଯାଉଥିବା ଖବର ପାଇ କେନ୍ଦ୍ରାପଡ଼ା ସ୍ପେସାଲ୍‌ ସ୍କ୍ଵାଡ୍‌ ପୁଲିସ ସେମାନଙ୍କ ପିଛା କରିଥିଲେ।

ସେମାନେ ଗରାପୁର ରାସ୍ତାର ଏସ୍‌ପିଙ୍କ ବାସଭବନ ସାମ୍ନାରେ ହୋଇଥିବା ବେଳେ ପୁଲିସ ଚାରିପଟୁ ଘେରି ଯାଇଥିଲେ। ପୁଲିସ ଗୁଳି ଚଳାଇବା ପରେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିଲା। ବାକି ଚାରିଜଣ କୌଣସି ମତେ ସେଠାରୁ ଖସି ପଳାଇଥିଲେ।

ଆହତ ଅପରାଧୀକୁ ଗିରଫ କରି ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରୁ ପୁଲିସ ଅପରାଧୀମାନେ ବ୍ୟବହାର କରିଥିବା ଚାରିଚକିଆ ଯାନ, ଗୋଟାଏ ଭୁଜାଲି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି।

ଏହି ଅଭିଯାନରେ ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ସ୍ପେସାଲ୍‌ ସ୍କ୍ଵାଡ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ପ୍ରଦୀପ୍ତ କାନୁନ୍‌ଗୋ ଏବଂ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର