ଭୁବନେଶ୍ବର: ମୂକ ଓ ବଧିର ଅଭିନୟରେ ଘରେ ପଶି ଲୁଟ୍ପାଟ୍ କରୁଥିବା ଏକ ତାମିଲ ଗ୍ୟାଙ୍ଗ୍ର ୨ଜଣଙ୍କୁ କମିସନରେଟ୍ ପୁଲିସ୍ ଗିରଫ କରିଛି। ନୂଆପଲ୍ଲୀ ଥାନା ପୁଲିସ ହାବୁଡ଼ରେ ପଡ଼ିଥିବା ଏହି ୨ ଅଭିଯୁକ୍ତ ହେଲେ ତାମିଲନାଡ଼ୁ ତିରୁପତ୍ତୂର ଅଞ୍ଚଳର ଚନ୍ଦ୍ରୁ ଡିଜି ଓରଫ ଚନ୍ଦୁ(୨୩) ଓ ଟି. କାଳିଆପାନ(୩୮)। ପୁଲିସ୍ ସେମାନଙ୍କଠାରୁ ୪ଟି ଲାପ୍ଟପ୍, ୮ ମୋବାଇଲ୍, ଦିବ୍ୟାଙ୍ଗ ସାର୍ଟିଫିକେଟ୍୍ ଓ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରିଛି। ପ୍ରାୟ ୯/୧୦ମାସ ହେଲା ପୁଲିସର ନିଦ ହଜେଇ ଦେଇଥିବା ଏହି ଗ୍ୟାଙ୍ଗ୍ର ୧୦/୧୨ଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି। ଏହି ୨ଜଣଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ସୂଚନା ଆଧାରରେ ଗ୍ୟାଙ୍ଗ୍ର ଅନ୍ୟମାନଙ୍କୁ ଠାବ କରିବା ଯୋଜନା କରିଛି ପୁଲିସ। ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଚନ୍ଦକା, ଇନ୍ଫୋଭ୍ୟାଲି, ଇନ୍ଫୋସିଟି, ପାହାଳ, ଧଉଳି, ମୈତ୍ରୀବିହାର ଓ ଖଣ୍ଡଗିରି ଆଦି ଥାନା ଅଞ୍ଚଳରେ ପାଖାପାଖି ୪୨ ଚୋରି ମାମଲାରେ ଏମାନେ ୩୨ ଲାପ୍ଟପ୍ ଓ ୪୪ ମୋବାଇଲ୍ ଲୁଟିଥିବା ସ୍ପଷ୍ଟ ହୋଇଛି। ଚୋରି ଜିନିଷଗୁଡ଼ିକୁ ସେମାନେ ତାମିଲନାଡ଼ୁ ଓ କୋଲକାତାର ଚୋରାବଜାରରେ ବିକିଦେଇଥିବା ଜଣାପଡ଼ିଛି। ସେହିଭଳି ଏକଦା ଟ୍ରେନ୍ରେ ପୁଲିସ ହାବୁଡ଼ରୁ ବର୍ତ୍ତିବା ପାଇଁ ତାମିଲନାଡ଼ୁ ପେରାମ୍ବୁର ଷ୍ଟେସନରେ କିଛି ଚୋରା ସାମଗ୍ରୀ ଛାଡ଼ି ପଳାଇଥିବା ସ୍ବୀକାର କରିଛନ୍ତି।
୨ ତାମିଲ ଯୁବକ ଗିରଫ
୪ ଲାପ୍ଟପ୍, ୮ ମୋବାଇଲ୍ ଜବତ
ଦିବ୍ୟାଙ୍ଗ ସାର୍ଟିଫିକେଟ୍ ବି ମିଳିଲା
ଏମାନଙ୍କ ଟାର୍ଗେଟ୍ରେ ଥିଲା ହଷ୍ଟେଲ, ମେସ୍ ଓ ସିକ୍ୟୁରିଟି ଗାର୍ଡ ନଥିବା ସୋସାଇଟି। ସକାଳୁ ସକାଳୁ ଏମାନଙ୍କ ଅପରେସନ୍ ଆରମ୍ଭ ହୋଇଯାଉଥିଲା।ପ୍ରାତଃଭ୍ରମଣରେ ଯାଉଥିବା ଲୋକ, ପିଲାଙ୍କୁ ସ୍କୁଲରେ ଛାଡ଼ିବାକୁ ଯାଉଥିବା ବ୍ୟକ୍ତି ଓ ହଷ୍ଟେଲ୍ରୁ ଜିମ୍ ଯାଉଥିବା ଛାତ୍ରଙ୍କ ଉପରେ ଏମାନଙ୍କ ନଜର ଥିଲା। ଏଭଳି ସମୟରେ ସାଧାରଣତଃ ଲୋକମାନେ ତରତରରେ କବାଟରେ ତାଲା ପକାଇବାକୁ ଭୁଲିଯାଇଥାନ୍ତି। ଏହି ମଉକାରେ ରେକି କରି ପୂର୍ବରୁ ଛକି ରହିଥିବା ଲୁଟେରାମାନେ ସେସବୁ ଘରେ ପଶି ଲାପ୍ଟପ୍, ମୋବାଇଲ୍ ଓ କ୍ୟାମେରା ଭଳି ଦାମୀ ଜିନିଷ ଉଠାଇନିଅନ୍ତି। ଯଦି ବି କେଉଁଠି ସନ୍ଦେହଜନକ ଅବସ୍ଥାରେ ଲୋକଙ୍କ ହାବୁଡ଼ରେ ପଡ଼ନ୍ତି, ସଙ୍ଗେସଙ୍ଗେ ଆରମ୍ଭ କରିଦିଅନ୍ତି ନିଖୁଣ ଅଭିନୟ। ମୁକ ଓ ବଧିର ଅଭିନୟ କରିବା ସହ ନିକଟରେ ରଖିଥିବା ସାର୍ଟିଫିକେଟ୍୍ ଦେଖାନ୍ତି ଓ ଭିକ ମାଗିବାକୁ ଆସିଥିଲେ ବୋଲି ଠାରରେ କହନ୍ତି। ଫଳରେ ଲୋକଙ୍କ ମନରେ ଦୟା ଆସେ ଓ ସହାନୁଭୂତି ପ୍ରଦର୍ଶନ କରିବାକୁ ଯାଇ ଲୋକେ ସେମାନଙ୍କୁ କିଛି ଆର୍ଥିକ ସହାୟତା ଦେଇ ଛାଡ଼ିଦିଅନ୍ତି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଏମାନେ ବିଭିନ୍ନ ସ୍କୁଲ୍ କଲେଜକୁ ଯାଇ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଖାଇ ଆର୍ଥିକ ସହାୟତା ପାଇଛନ୍ତି। ଏମାନେ କୌଣସି ଅଞ୍ଚଳରେ ବେଶି ଦିନ ଡେରା ପକାନ୍ତି ନାହିଁ। ତେଣୁ ସେମାନଙ୍କୁ ଜାଣିବା ପୁଲିସ ପାଇଁ କାଠିକର ବ୍ୟାପାର ଥିଲା। ବହୁ ଅଭିଯୋଗ ପରେ ବି ପୁଲିସ ସିସିଟିଭି ଫୁଟେଜ୍ରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନଥିଲା।
ଫେବ୍ରୁଆରି ୨୬ ତାରିଖ ସକାଳେ ନୂଆପଲ୍ଲୀ ବେହେରାସାହି ଅଞ୍ଚଳର ଶିବପ୍ରସାଦ ସାହୁଙ୍କ ଘରୁ ଲାପ୍ଟପ୍ ଓ ୩ଟି ମୋବାଇଲ ଫୋନ୍ ଚୋରି ହୋଇଥିଲା। ଏହି ମାମଲାରେ ପୁଲିସ ପାଇଥିବା ସିସିଟିଭି ଫୁଟେଜ୍ରୁ ଚନ୍ଦୁକୁ ଭଲ ଭାବେ ଚିହ୍ନଟ କରାଯାଇଥିଲା। ସେବେଠୁ ଭିକାରି ବେଶରେ ବୁଲୁଥିବା ଚନ୍ଦୁ ପଛରେ ପୁଲିସ ଟିମ୍ ପଡ଼ିଥିଲା। ଗୁରୁବାର ସକାଳେ ପୁଲିସ ତାକୁ ସିଆର୍ପି ଛକରେ ଠାବ କରିଥିଲା। ପରେପରେ ତା ସୂଚନା ଆଧାରରେ କାଳିଆପାନାକୁ ଭୁବନେଶ୍ବର ରେଳଷ୍ଟେସନ୍ରୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/18/JbgphQbF9eg9Hy3LB61R.jpg)