ଯୋଡ଼ା: ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍ରେ ଭର୍ତ୍ତି କରିବାକୁ ଯାଉଥିବା ଗାଡ଼ିରୁ ଲୁଟ୍ ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କ ସହ ଲଢ଼ିଲେ ସୁରକ୍ଷାକର୍ମୀ। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଧସ୍ତାଧସ୍ତି ହେବା ପରେ ଶେଷରେ ତିନିଜଣ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି। ଗାଡ଼ିରେ ଥିବା ୩୮ ଲକ୍ଷ ଟଙ୍କା ସୁରକ୍ଷିତ ରହିଯାଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ। ଅନ୍ୟପକ୍ଷରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଇଣ୍ଡସ୍ଇଣ୍ଡ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୩୮ଲକ୍ଷ ଟଙ୍କା ନେଇ ସିଏମ୍ଏସ୍ କମ୍ପାନିର ଏକ ଗାଡ଼ି ଜୁରୁଡ଼ି ଯାଉଥିଲା। ଫ୍ଲାଏଓଭରର ୧୦୨ ନମ୍ବର ପିଲାର ନିକଟ ସର୍ଭିସରୋଡରେ ଅପରାହ୍ଣ ୩ଟାବେଳେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍ରେ ଆସି ଗାଡ଼ି ଅଟକାଇଥିଲେ। ଗାଡ଼ିରେ ଥିବା ସୁରକ୍ଷାକର୍ମୀ ବଳରାମ ପୃଷ୍ଟିଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ। ବଳରାମ ଓ ଦୁର୍ବୃତ୍ତମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବଳରାମ ଦୁର୍ବୃତ୍ତମାନେ ଧରିଥିବା ପିସ୍ତଲକୁ ଛଡ଼ାଇ ଆଣିଥିଲେ। ସେହିପରି ଦୁର୍ବୃତ୍ତମାନେ ମଧ୍ୟ ବଳରାମ ଧରିଥିବା ବନ୍ଧୁକକୁ ଛଡ଼ାଇ ନେଇ ତାଙ୍କୁ ଲୁହାରଡରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଶେଷରେ ଦୁର୍ବୃତ୍ତମାନେ ତାଙ୍କ ବନ୍ଧୁକ ନେଇ ବାଇକ୍ରେ ଜୁରୁଡ଼ି ଆଡ଼କୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ଗୁରୁତର ହୋଇଥିବା ସୁରକ୍ଷାକର୍ମୀ ବଳରାମଙ୍କୁ ଯୋଡ଼ା ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ତିନି ଦୁର୍ବୃତ୍ତ ଭୁଜାଲି, ପିସ୍ତଲ ଓ ଲୁହାରଡ୍ ଧରିଥିଲେ। କିଛି ସମୟ ଧରି ଆତଙ୍କରାଜ ଚଳାଇଥିଲେ। ଘଟଣାସ୍ଥଳରେ ଲୋକେ ଉପସ୍ଥିତ ଥିଲେ ମଧ୍ୟ ଭୟରେ କେହି ସେମାନଙ୍କ ପାଖକୁ ଯିବାକୁ ସାହସ କରି ନଥିଲେ। ବଳରାମ ଏକାକୀ ସେମାନଙ୍କର ମୁକାବିଲା କରିଥିଲେ ବୋଲି କହିଛନ୍ତି। ଖବର ପାଇ ବଡ଼ବିଲ ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏକ ବଡ଼ ଧରଣର ଡକାୟତ ଗ୍ୟାଙ୍ଗ ଯୋଡ଼ା ସହରରେ ପଶି ଲୁଟ୍ ଯୋଜନା କରୁଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/16/BRXlNV9kIYsqScCtwlhI.jpg)