ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଦୁର୍ବୃତ୍ତମାନଙ୍କ ପୁଲିସ ଭୟ ହଜି ଯାଇଥିବା ବେଳେ ସେମାନଙ୍କ ଉତ୍ପାତ ପ୍ରତିଦିନ ବୃଦ୍ଧି ପାଉଛି। ଅନ୍ୟପଟେ ସେମାନଙ୍କର ପୁଲିସ ପ୍ରତି କୌଣସି ଭୟ ରହୁ ନଥିବା ଦେଖିବାକୁ ମିଳୁଥିଲା। ରାସ୍ତା ଉପରେ ଗାଡ଼ି ଅଟକାଇ ଆକ୍ରମଣ କରି ଟଙ୍କା ଓ ସୁନା ଗହଣା ଲୁଟ କରିବା ଏକ ସାଧାରଣ ଘଟଣା ପାଲଟି ଯାଇଛି। କିନ୍ତୁ ପୁଲିସ ଏବେ ଦୁର୍ବୃତ୍ତମାନଙ୍କୁ ସାବାଡ଼ କରିବା ପାଇଁ ଜୋର୍‌ଦାର ଲାଗି ପଡ଼ିଥିବା ଦେଖିବାକୁ ମିଳିଛି।

Advertisment

ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ରାଜ ରାସ୍ତାରେ ଲୁଟ କରିବାକୁ ଯୋଜନା କରିଥିବା ବିଶ୍ବସ୍ତ ସୂତ୍ରରୁ ବୁର୍ଲା ପୁଲିସ ସୂଚନା ପାଇଥିଲା। ଏହାପରେ ପୁଲିସ ଗୋଲଗୁଣ୍ଡା ଛକ ନିକଟରେ ଚଢ଼ଉ କରିଥିଲା। ଏହା ସହିତ ମାରଣାସ୍ତ୍ର ଧରି ଲୁଟ୍‌ କରିବାକୁ ଅପେକ୍ଷା କରି ରହିଥିବା ଅମିତ କୁର୍ମି(୩୦), ସୁମିତ କୁର୍ମି(୨୮), ବିଶାଲ କୁମ୍ଭାର(୨୭) ଏବଂ ଵାରିସ ଖାନ ଓରଫ ମୂଷା(୨୯)କୁ ପୁଲିସ ସେଠାରୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ହୋଇଥିବା ସବୁ ଅଭିଯୁକ୍ତ ବୁର୍ଲା ଥାନା ଅଧୀନ ମହତାବ ନଗରର। ସେମାନଙ୍କ ପାଖରୁ ଗୋଟିଏ ଲୁହା ରଡ୍‌, ଗୋଟିଏ ବାଉଁଶ ଠେଙ୍ଗା, ଗୋଟିଏ ଛୁରି, ଲଙ୍କା ଗୁଣ୍ଡ, ଗୋଟିଏ ମୋବାଇଲ୍‌ ଫୋନ୍‌ ଟର୍ଚ ଲାଇଟ ଜବତ କରିଥିଲା।

ସମ୍ବଲପୁର ଅଞ୍ଚଳରେ ରାଜରାସ୍ତାରୁ ଅନେକ ସମୟରେ ଲୁଟ୍‌ ହୋଇଛି। ଅନେକ ଅପରାଧୀଙ୍କୁ ପୁଲିସ ଧରିବାରେ ସଫଳ ମଧ୍ୟ ହୋଇଛି। କିନ୍ତୁ ରାଜରାସ୍ତାରେ ବଢ଼ୁଥିବା ଲୁଟ୍‌ ପୁଲିସର ବିଫଳତାର କଥା କହୁଛି। ନିକଟରେ ସଦର ଥାନା ଅଧୀନରେ କେନଘାଟି ଠାରେ ପରିବା ଆଣିବା ପାଇଁ ବରଗଡ଼ ଆସୁଥିବା ବେଳେ ଝାରଖଣ୍ଡର ଏକ ଗାଡ଼ି ଚାଳିକଙ୍କୁ ଛୁରା ମାଡ଼ କରି ଲୁଟ କରାଯାଇଥିଲା। ସଦର ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ଜିତେନ୍ଦ୍ର ସାହୁକୁ ଗିରଫ କରି ଗତ ବୁଧବାର କୋର୍ଟ ଚାଲାଣ କରିଥିଲା। ଏହା ପୂର୍ବରୁ କିଛି ମାସ ତଳେ କିଛି ଦୁର୍ବୃତ୍ତ ଏକ ଟ୍ରକକୁ ଲୁଟ କରି ବୁର୍ଲା ଥାନା ଅଧୀନ ଅଞ୍ଚଳରୁ ଚମ୍ପଟ ମାରିଥିଲେ। ରାଜରାସ୍ତାରେ ଏକାକି ଯାଉଥିବା ବେଳେ ବାଇକ୍‌ ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରଣଣ କରାଯିବା ସହ ଟଙ୍କା ଲୁଟ୍‌ ଘଟଣଣାର ତାଲିକା କଲେ ଶେଷ ହେବ ନାହିଁ। ତେବେ ଶନିବାର ରାତି ବୁର୍ଲା ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ତ୍ବରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯିବା ସହ ଏଭଳି ଉଦ୍ୟମ ସମ୍ବଲପୁର ପୁଲିସ ଜାରି ରଖିଲେ ଦୁର୍ବୃତ୍ତମାନଙ୍କ ମନରେ ପୁଣିଥରେ ପୁଲିସ ଭୟ ରହିବା ଆରମ୍ଭ କରିବ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

କେମିତ କରନ୍ତି ଲୁଟ୍‌
ରାଜ ରାସ୍ତା ଉପରେ ବୁର୍ବୃତ୍ତମାନେ ବିଭିନ୍ନ ଉପାୟରେ ଲୁଟ୍‌ କରିଥାନ୍ତି। ପ୍ରାଣାନ୍ତକ ଆକ୍ରମଣ ହେଉଛି ସେମାନଙ୍କର ପ୍ରମୁଖ ଅସ୍ତ୍ର। ସେମାନେ ମୁଖ୍ୟତ ରାତିରେ ଲୁଟ୍‌ କରୁଥିବା ବେଳେ ମାଲ ବୋଝେଇ ଗାଡ଼ି ଓ ବାଇକ୍‌ ଆରୋହୀଙ୍କୁ ଟାର୍ଗେଟ୍‌ କରିଥାନ୍ତି। ପ୍ରଥମେ ସେମାନେ କୌଣସି ବାହାନା ଦେଖାଇ ଗାଡ଼ିକୁ ଅଟକାଇବାକୁ ପ୍ରୟାସ କରନ୍ତି। ସାହାଯ୍ୟ ମାଗିବା ତଥା ମିଛରେ ଗାଡ଼ିକୁ ମାଡ କାହିଁକୁ କରିବାର ଅଭିଯୋଗ ଆଣି ପ୍ରଥମେ ଗାଡିକୁ ଅଟକାଇ ଥାନ୍ତି। ଏହାପରେ ଗାଡ଼ି ଚାଳକ ତଥା ହେଲପର୍‌କୁ ମାଡ଼ ମାରି ସେମାନଙ୍କ ପାଖରେ ଥିବା ଟଙ୍କା ଓ ଅନ୍ୟ ଜିନିଷ ଲୁଟ୍‌ କରିଥାନ୍ତି। ଅନେକ ସମୟରେ ଗାଡ଼ି ମଧ୍ୟ ଲୁଟି ନେଇଥାନ୍ତି। ବୁର୍ଲା ପୁଲିସ ଶନିବାର ବିଳମ୍ବିତ ରାତିରେ ଧରିଥିବା ଲୁଟେରା ଦଳଙ୍କ ଠାରୁ ଲଙ୍କା ଗୁଣ୍ଡ ସାଙ୍ଗକୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ବୁର୍ବୃତ୍ତମାନେ ଏହି ଲଙ୍କାଗୁଣ୍ଡ ଗାଡ଼ି ଚାଳକଙ୍କ ଆଖିରେ ପକାଇ ମଧ୍ୟ ଲୁଟ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ୁଛି।