କଟକରେ ଚାଞ୍ଚଲ୍ୟ: ବିଲ୍‌ଡର୍‌ଙ୍କ ଘରୁ ଲୁଟିନେଲେ ୧୮ ଲକ୍ଷ

ମହାନଦୀବିହାରରେ ସକାଳ ସାଢ଼େ ୬ଟାରେ ଡକାୟତି, ଆକ୍ରମଣରେ ବିଲ୍‌ଡର୍‌ଙ୍କ ସମେତ ପତ୍ନୀ ଓ ଟିଉସନ୍ ଶିକ୍ଷୟିତ୍ରୀ ଆହତ

କଟକ-ମହାନଦୀବିହାର : ସ୍ଥାନୀୟ ମହାନଦୀ ବିହାର ଅଞ୍ଚଳରେ ଶୁକ୍ରବାର ଦିନ ଏକ ଲୁଟ୍ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସକାଳ ସାଢ଼େ ଛଅଟାରେ ପାଞ୍ଚଜଣ ଦୁର୍ବୃତ୍ତ ଜଣେ ବିଲ୍‌ଡର୍‌ଙ୍କ ଘରେ ପଶି ୧୮ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସେମାନେ ବିଲ୍‌ଡର୍‌ଙ୍କୁ ମାଡ଼ମାରିବା ସହ ଛୋଟଛୁଆଙ୍କ ହାତ ଗୋଡ଼ ବାନ୍ଧି ଲୁଟ୍ କରିଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତଙ୍କ ପତ୍ତା ମିଳିନାହିଁ।

ମହାନଦୀବିହାରର ଜଗନ୍ନାଥ ମନ୍ଦିର ଲେନ୍‌ରେ ପ୍ଲଟ୍‌ ନମ୍ବର ୫୬୭ରେ ଉପର ମହଲାରେ ପରିବାର ସହିତ ରୁହନ୍ତି ଦୀପ୍ତିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପରିବାର।  ଆଜି ସକାଳ ପ୍ରାୟ ସାଢ଼େ ଛଅଟା ସମୟରେ ତାଙ୍କ କବାଟ ଠକ୍ ଠକ୍ କରାଯାଉଥିବା ଶବ୍ଦ ଶୁଣି ଦୀପ୍ତିରଂଜନଙ୍କ ପତ୍ନୀ ଶୁଭଶ୍ରୀ କବାଟ୍ ଖୋଲିଥିଲେ। କବାଟ ଖୋଲିବା ପରେ ଜଣେ ଦୁର୍ବୃତ୍ତ ଘର ଭିତରକୁ ପଶି ତାଙ୍କ ବେକରେ ଛୁରୀ ଲଗାଇଥିଲେ। ଦୀପ୍ତିରଂଜନ ଆସିଯିବାରୁ ଅନ୍ୟ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଏକ ଲୁହା ରଡ଼ରେ ପିଟି ଦେଇଥିଲେ। ୫ ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ଘରେ ପଶି ଯାଇଥିଲେ। ଦୀପ୍ତିରଂଜନଙ୍କ ୪ ବର୍ଷର ପୁଅ ଶିବମ୍ ଓ ୧୨ବର୍ଷର ପୁଅ ସାଇ ଜଣେ ଶିକ୍ଷୟିତ୍ରୀଙ୍କ ପାଖରେ ଘରେ ପାଠ ପଢୁଥିଲେ। ଦୁଇ ପୁଅ ଚିତ୍କାର ଶୁଣି ଆସିବାରୁ ଡାକୟତମାନେ ସେମାନଙ୍କୁ ବି ମାଡ଼ ମାରି ପାଟିରେ ସେଲୋଟେପ୍‌ ଲଗାଇ, ହାତଗୋଡ଼ ବାନ୍ଧି ଗୋଟିଏ ଘରେ ବନ୍ଦ କରି ଦେଇଥିଲେ। ଟ୍ୟୁସନ୍ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ମାରି ତାଙ୍କ ମୁହଁ ଫଟାଇ ଦେଇଥିଲେ। ପଟ୍ଟନାୟକ ଦମ୍ପତି ଓ ତାଙ୍କ ଛୁଆଙ୍କୁ ଘରେ ବନ୍ଦ କରି ନଗଦ ଟଙ୍କା ବ୍ୟତୀତ ୩୦ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ପ୍ରମାଣ ନଷ୍ଟ ପାଇଁ ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେଇଯାଇଥିବା ଜଣାପଡ଼ିଛି।

ଏହି ଘଟଣାରେ ଦୀପ୍ତିରଂଜନଙ୍କ ଅଫିସ କର୍ମଚାରୀଙ୍କ ଉପରେ ସନ୍ଦେହ କରାଯାଉଛି। ଦୀପ୍ତିରଞ୍ଜନ ଗତକାଲି ବ୍ୟାଙ୍କରୁ ୧୮ ଲକ୍ଷ ଟଙ୍କା ଉଠାଇ ଆଜି ଏକ ଜମି କିଣିବା ପାଇଁ ଯିବାର ଥିଲା। ଏତେ ପରିମାଣର ନଗଦ ଟଙ୍କା ଘରେ ଥିବା ନେଇ ଦୀପ୍ତିରଞ୍ଜନଙ୍କ ସଂପର୍କରେ ଥିବା କିଛି ଲୋକ ଜାଣିଥିଲେ। ପୁଲିସ ଏବେ ସେହି ଅନୁଯାୟୀ ତଦନ୍ତକୁ ଆଗକୁ ବଢାଉଥିବା ବେଳେ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରୁଛି। ଦୀପ୍ତିରଂଜନଙ୍କ ପାଖରେ କାମ କରୁଥିବା କର୍ମଚାରୀଙ୍କୁ ବି ଜେରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର