ଚଣ୍ଡିଖୋଲ : ଏକ ମାଛଗାଡ଼ିରୁ ୪ ଦୁର୍ବୃତ୍ତ ଏକଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି। ଏନେଇ ବଡ଼ଚଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Advertisment

ବାଲୁଗାଁ ଅଞ୍ଚଳରୁ ମାଛ ବୋଝେଇ ଏକ ପିକଅପ୍‌ ଭ୍ୟାନ୍‌ ବୁଧବାର ଦିନ ଛତିଆ, ଚଣ୍ଡିଖୋଲ, ଜାରକା ଓ କୁଆଖିଆ ଅଞ୍ଚଳକୁ ଆସି ବ୍ୟବସାୟୀଙ୍କୁ ମାଛ ଦେଇ ସାରିବା ପରେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଦିନ ଗୋଟାଏ ବେଳେ କଟକ ଅଭିମୁଖେ ଫେରୁଥିଲା। ଏହି ଗାଡ଼ିରେ ମ୍ୟାନେଜର ଦେବରାଜ ସେଠୀ (୪୫) ଓ ଚାଳକ ପିଙ୍କୁ ସେନ (୨୬) ଥିଲେ। ବଡ଼ଚଣା ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥର ଓଭରବ୍ରିଜ ଦେଇ ଭ୍ୟାନ୍‌ଟି ଯାଉଥିବା ବେଳେ ହଠାତ ୪ ଜଣ ଯୁବକ ଦୁଇଟି ବାଇକରେ ଆସି ବ୍ରିଜ ଉପରେ ଗାଡ଼ିଟିକୁ ଅଟକାଇଥିଲେ। ଚାଳକ ଓ ମ୍ୟାନେଜରକୁ ଭୟଭୀତ କରାଇ ଟଙ୍କା ମାଗିଥିଲେ। ମ୍ୟାନେଜର ପାଖରେ ଥିବା ଏକଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ଦ୍ରୁତ ଗତିରେ ଛତିଆ ଅଭିମୁଖେ ପଳାଇ ଯାଇଥିଲେ। ଏନେଇ ମ୍ୟାନେଜର ଦେବରାଜ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ତଦନ୍ତ ଚଳାଇଛନ୍ତି।