ପୁରୀ : ପଇଡ଼ରେ ନିଶା ବଟିକା ଦେଇ ଟ୍ରେନ୍‌ ଯାତ୍ରୀମାନଙ୍କୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ୍‌ ଏବେ ସକ୍ରିୟ ହୋଇଯାଇଛନ୍ତି। ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୁଲିସ ନିକଟରେ ଏଦିଗରେ କୌଣସି ତତ୍ପରତା ପ୍ରକାଶ ପାଉନଥିବା ଜଣାପଡ଼ିଛି।

Advertisment

ଗତ ମାସ ୩୦ ତାରିଖ ମଧ୍ୟାହ୍ନରେ ପୁରୀ ଗୁଣପୁର ଏକ୍ସପ୍ରେସ୍‌ ଟ୍ରେନ୍‌ର ଡି-୨ ନମ୍ବର କୋଚ୍‌ରେ ବ୍ରହ୍ମପୁରର କେ. ସୁବାସ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କ ପରିବାରର ଚାରି ଜଣ ସଦସ୍ୟ/ସଦସ୍ୟା ମିଶି ପୁରୀରୁ ବ୍ରହ୍ମପୁରକୁ ଯାଉଥିଲେ।‌ ଏହି ସମୟରେ ସାକ୍ଷୀଗୋପାଳ ‌ଷ୍ଟେସନ ପରେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିବା ଦୁଇ ଜଣ ଯୁବ ଯାତ୍ରୀଙ୍କ ସହିତ ପରିଚୟ ହୋଇଥିଲା। ସେମାନେ କୌଶଳକ୍ରମେ ସୁବାସଙ୍କ ପରିବାରକୁ ଅନୁରୋଧ କରି ପଇଡ଼ ପିଇବାକୁ ଦେଇଥିଲେ। ତାଙ୍କ ସମ୍ମୁଖରେ ପଇଡ଼ ବ୍ୟବସାୟୀ ପଇଡ଼ କାଟି ଦେବାରୁ ପେଟ ଥଣ୍ଡା ହେବ ବୋଲି ଭାବି ସୁବାସଙ୍କ ଚାରି ଜଣ ସମ୍ପର୍କୀୟ ଏହି ପଇଡ଼ ପିଇଥିଲେ। ଖୋର୍ଦ୍ଧା ଷ୍ଟେସନ ପରେ ସେମାନେ ଆଉ କିଛି ଜାଣିପାରିନଥିଲେ। ଶେଷରେ ଏମ୍‌କେସିଜି ହସ୍‌ପିଟାଲରେ ଚିକିତ୍ସିତ ‌ହେଉଥିବା ଅବସ୍ଥାରେ ସେମାନଙ୍କ ସଜ୍ଞା ଫେରିଥିଲା।

ଇତି ମଧ୍ୟରେ ସେମାନଙ୍କର ଏକ ସୁନା ମଙ୍ଗଳସୂତ୍ର, ତିନିଟି ସୁନା ମୁଦି, ଗୋଟିଏ ସୁନା ଚେନ୍‌, ତିନିଟି ଦାମୀ ମୋବାଇଲ ଫୋନ୍‌, ୬ ହଜାର ଟଙ୍କା ଏବଂ ଲୁଟ୍‌ ହୋଇଥିବା ଏଟିଏମ୍‌ କାର୍ଡକୁ ବ୍ୟବହାର କରି ଲୁଟେରା ୪୭ ହଜାର ୯ଶହ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏଭଳି ଘଟଣା ପରେ ସୁବାସଙ୍କ ଅଭିଯୋଗକୁ ଭିତ୍ତି କରି ପୁରୀ ଜିଆର୍‌ପି ‌ପୁଲିସ ଗତ ୨ ତାରିଖ ଦିନ ୧୨୧/୨୨ ନମ୍ବରରେ ଏକ ମାମଲା ରୁଜୁ କରିଛି। ତେବେ ଏହି ଲୁଟ୍‌ ଘଟଣା ଘଟିବାର ପ୍ରାୟ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ମଧ୍ୟରେ ତତ୍ପରତା ପ୍ରକାଶ ପାଇନାହିଁ।

ଟ୍ରେନ୍‌ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ସେମାନଙ୍କ ଧନସମ୍ପଦର ସୁରକ୍ଷା ପାଇଁ ପାଇଁ ଆର୍‌ପିଏଫ୍‌ର ୧୨୫ ଜଣ ଓ ଜିଆର୍‌ପିର ୧୫ ଜଣ ନିୟୋଜିତ ହୋଇଛନ୍ତି। ଏତେ ସଂଖ୍ୟକ ପୁଲିସ ନିୟୋଜିତ ହୋଇଥିଲେ ମଧ୍ୟ ଯାତ୍ରୀ ଓ ସେମାନଙ୍କ ମୂଲ୍ୟବାନ ସମ୍ପତ୍ତିକୁ ସେମାନେ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି। ଏହି ଲୁଟେରାମାନେ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ କିମ୍ବା ବିହାର ଅଞ୍ଚଳର ହୋଇଥିବା ନେଇ ପୁଲିସ ସନ୍ଦେହ କରୁଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି। ଏହିଭଳି ଘଟଣା ଗତ କିଛି ଦିନ ହେବ ପୁରୀ‌ ଷ୍ଟେସନରେ ଘଟୁଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ନିରବତା ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି।