କୋରାପୁଟରେ ଡକାୟତି ଘଟଣା : ୫ ଗିରଫ, ସୁନା ଓ ଟଙ୍କା ଉଦ୍ଧାର

କୋରାପୁଟ : ସହର ଉପକଣ୍ଠ କୋରାପୁଟ-ବୋରିଗୁମ୍ମା ରାସ୍ତାରେ ହୋଇଥିବା ଡକାୟତି ଘଟଣାରରେ ପୁଲିସକୁ ସଫଳତା ମିଳିଛି। ଡକାୟତି କରିଥିବା ୫ ଜଣଙ୍କୁ କୋରାପୁଟ ସଦର ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୭୨,୮୦୦ ଟଙ୍କା ସହ ସୁନା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ଆଗରୁ ବହୁ ଡକାୟତି, ଚୋରି ଓ ଲୁଟପାଟରେ ସଂପୃକ୍ତ ଥିବା କହିଛି ପୁଲିସ।

ବୁଧବାର ବିଳମ୍ବିତ ରାତିରେ ବିଜୟନଗରମରୁ ଏକ କନ୍ୟା ଯାତ୍ରୀ ଦଳ କାରରେ କୋରାପୁଟରୁ ରାଣିଗଡ଼ ଦେଇ ବୋରିଗୁମ୍ମା ଯାଉଥିଲେ। କୋରାପୁଟ ସଦର ଥାନା ଅନ୍ତର୍ଗତ ଘୋଡାଦର ନିକଟ ମୂଷାପୁଟ ଗାଁ ପାଖରେ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଗାଡିକୁ କିଛି ଦୁର୍ବୁତ୍ତ ଅଟକାଇଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗାଡିରେ ବସିଥିବା ଲୋକଙ୍କ ପାଖରୁ ପାଖାପାଖି ୧୫ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହା ସହ ସେମାନଙ୍କ ପାଖରେ ଥିବା ନଗଦ ଦେଢ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଏଥିନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ୧୨୩/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣି ପାରିଥିଲା ଯେ, ଏହା ପଛରେ ଏକ ଡକାୟତ ଗୋଷ୍ଠୀ ଅଛନ୍ତି। ତେଣୁ ଏମାନଙ୍କୁ ଧରିବା ପାଇଁ ପ୍ରଥମ ଦିନରୁ ଜାଲ ବିଛାଇଥିଲା। ଆଉ ଏଥିରେ ପୁଲିସକୁ ସଫଳତା ମିଳିଛି। ଡକାୟତି କରିଥିବା ଦଇତାରୀ ଚାଲାଣ, ସହଦେବ ମୁଦୁଲି, ଘନ ଖରା, ରୁବେନ ଖରା ଓ ରାଜକୁମାର ନାଏକଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୩ ଭରି ଓଜନର ୩ ଟି ସୁନା ଚେନ, ୭୨ହଜାର ୮ ଶହ ଟଙ୍କା, ଗୋଟିଏ ମାରୁତି-୮୦୦ କାର(ଓଆର-୦୨-ଏବି-୫୩୮୯), ଗୋଟିଏ ବାଇକ(ଓଆର-୧୦-ଜି-୪୩୫୯) ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୁଲିସ।

ଏଥିନେଇ ଆଜି କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଡକାୟତ କରିଥିବା ଏହି ଅଭିଯୁକ୍ତମାନେ ପେଶାଦାର ଅପରାଧୀ। ଆଗରୁ କାକିରିଗୁମ୍ମାରେ ଏକ ଡକାୟତିରେ ଏମାନଙ୍କର ସଂପୃକ୍ତି ରହିଛି। ଏହା ସହିତ ସେମାନେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଏମାନେ ଚୋରି ଓ ଲୁଟପାଟ କରିଛନ୍ତି। ୨୮ ତାରିଖରେ ଦଇତାରୀ ଅନ୍ୟମାନଙ୍କୁ ଡାକି ଡକାୟତି କରିବା ପାଇଁ ଯୋଜନା କରିଥିଲେ। କେନ୍ଦାର ରାସ୍ତାରେ ସେମାନେ ଏକାଠି ହେବା ପରେ ରାତିରେ କୋରାପୁଟ-ରାଣୀଗଡ ରାସ୍ତାରେ ଡକାୟତି କରିବା ପାଇଁ ଛକି ରହିଥିଲେ। ଏହି ସମୟରେ କୋରାପୁଟଆଡୁ ଏକ ଇନୋଭା କାର ଆସିବାରୁ ମୁଷାପୁଟ ନିକଟରେ ତାକୁ ଅଟକାଇଥିଲେ। ଏଥିରେ କନ୍ୟା ଯାତ୍ରୀ ଯାଉଥିବା ଜାଣିବା ପରେ ଲୁଟପାଟ କରିଥିଲେ। ସେମାନେ ପାଖାପାଖି ୧୫ ଭରି ସୁନା ସହ ଲକ୍ଷାଧିକ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଏଥିରୁ ୫ ଜଣଙ୍କୁ ଗିରଫ କରିଥିଲାବେଳେ ସେମାନଙ୍କ ପାଖରୁ ସୁନା ଓ ଟଙ୍କା ଜବତ ହୋଇଥିବା ଏସଡିପିଓ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧିକାରୀ ସମର୍ପିତା ସ୍ବାଇଁ ଓ ମାମଲାର ତଦନ୍ତକାରୀ ଅଧିକାରୀ ଏସଆଇ ଶ୍ବେତପଦ୍ମା ସେଠ ଉପସ୍ଥିତ ଥିଲେ। ଏହି ମାମଲାରେ ସଂପୃକ୍ତ ଆଉ କିଛି ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢାଉ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର